କୁଆଡ଼େ ଗଲା ‘ଜେଲଟିନ୍’ ଡିଲର? ଜିଲ୍ଲା ବାହାରକୁ ବ୍ୟାପିଛି ନେଟ୍ୱର୍କ
ମାସକ ତଳେ ଖୋରଧା ସଦର ଥାନା ପୁଲିସ ଚୋରା ଜେଲଟିନ୍ ବ୍ୟବସାୟର ଗୋଟିଏ ଖିଅ ଧରିଥିଲା। ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ବେଆଇନ ଜେଲଟିନ୍ ଧରି ଚୋରା ଚାଲାଣ କରୁଥିବା ବିକ୍ରେତା, ଏହାର କ୍ରେତା ଓ ମଧ୍ୟସ୍ଥିଙ୍କୁ ଧରି ବାଃ ବାଃ ସାଉଁଟିଥିଲା ପୁଲିସ।

ଖୋରଧା: ମାସକ ତଳେ ଖୋରଧା ସଦର ଥାନା ପୁଲିସ ଚୋରା ଜେଲଟିନ୍ ବ୍ୟବସାୟର ଗୋଟିଏ ଖିଅ ଧରିଥିଲା। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳରୁ ବେଆଇନ ଜେଲଟିନ୍ ଧରି ଚୋରା ଚାଲାଣ କରୁଥିବା ବିକ୍ରେତା, ଏହାର କ୍ରେତା ଓ ମଧ୍ୟସ୍ଥିଙ୍କୁ ଧରି ବାଃ ବାଃ ସାଉଁଟିଥିଲା ପୁଲିସ। ଢେଙ୍କାନାଳଠୁ ଆରମ୍ଭ କରି ଖୋରଧା, ଗଞ୍ଜାମ ଯାଏଁ ଚୋରାଚାଲାଣର ନେଟ୍ୱାର୍କ ଯେ ଲମ୍ବିଛି, ପୁଲିସ ପ୍ରାଥମିକ ତଦନ୍ତରୁ ତାହା ଜାଣିବାକୁ ପାଇଥିଲା ହେଲେ, ଏ ନେଟ୍ୱର୍କର ଅନ୍ୟମାନେ କୁଆଡ଼େ ଗଲେ? ପୁଲିସ ତଳତଳିଆ ତିନି ଅଭିଯୁକ୍ତଙ୍କୁ ଧରି ଚୁପ୍ ବସିଥିବା ବେଳେ ଜେଲଟିନ୍ କଳା ସାମ୍ରାଜ୍ୟ ମୁଖିଆକୁ ପୁଲିସ କାବୁ କରିପାରିନି। ପୂରା ନେଟ୍ୱର୍କକୁ ଧରିବାରେ ଖୋରଧା ଜିଲ୍ଲା ପୁଲିସ ବିଫଳ ହୋଇଛି।
ସୂଚନା ମୁତାବକ, ଏ ଧରପଗଡ଼ ହୋଇଥିଲା ଖୋରଧା ସଦର ଥାନା ତାପଙ୍ଗ ମୌଜାର ଗ୍ରିନ ଲେକ୍ ନିକଟରେ। ଜେଲଟିନ୍ ହେଉଛି ଏକ ବିସ୍ଫୋରକ, ଯାହା ପଥର ଖଣିରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଏ। ଜେଲଟିନ୍ ସହିତ ଡେଟୋନେଟର ଉପଯୋଗ କରାଯାଏ। ଏଜିଲ୍ଲା ପ୍ରଶାସନଠାରୁ ଅନୁମତିପ୍ରାପ୍ତ ଡିଲର୍ ହିଁ ଏହାକୁ ବିକ୍ରି କରିପାରିବେ। ଖୋରଧା ସଦର ଥାନାର ତାପଙ୍ଗ ଅଞ୍ଚଳ ଯେହେତୁ ପଥର ଖଣି ଖାଦାନରେ ଭରପୂର, ଏଠି ଶ୍ରୀଜଗନ୍ନାଥଙ୍କର କଳା ମୁଗୁନି ପଥର ଖଣି ସବୁ ରହିଛି। ତେଣୁ ଏଠି ଜେଲଟିନ୍ ଉପଯୋଗ ଅଧିକ ରହିଛି। ନିକଟରେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ଜଗନ୍ନାଥଙ୍କ ପଥର ଖଣିର ଟେଣ୍ଡରକୁ ବାତିଲ କରି ଦେଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କର ୪୪ଟି ଖଣି ଅଚଳ ଅବସ୍ଥାରେ ରହିଛି ବୋଲି ଯଦିଓ କୁହାଯାଉଛି, ତଥାପି ଚୋରାରେ ସବୁ ଖଣି ଖୋଳା ଚାଲିଛି। ଯାହାର ପ୍ରମାଣ ଗଲା ମାସରେ ତାପଙ୍ଗ ଅଞ୍ଚଳରେ ଚାଲିଥିବା ଜେଲଟିନ୍ ଡିଲ୍ରୁ ସ୍ପଷ୍ଟ ହୋଇଛି। ପୁଲିସର କହିବା ମୁତାବକ, ଏହାକୁ କ୍ରୟ କରିବାକୁ ଗଞ୍ଜାମର ଜଣେ ବ୍ୟକ୍ତି ବି ଆସିଥିଲା। ଜେଲଟିନ୍ ସାମ୍ପୁଲ୍ ଦେଖାଦେଖି ବେଳେ ପୁଲିସ ମାଡ଼ି ବସିଥିଲା। ସେମାନେ ୬ଲକ୍ଷ ୮୦ହଜାର ଟଙ୍କାରେ ମାଲ୍ ନେବାକୁ ଆସିଥିଲେ ବୋଲି ପୁଲିସ ସନ୍ଦେହ କରୁଛି।
ଏହାର ଅର୍ଥ ଚୋରା ଜେଲଟିନ୍ର ଗନ୍ତାଘର କେଉଁଠି ନାଁ କେଉଁଠି ରହିଛି। ଡିଲର୍ କେଉଁଠି ଲୁଚି ରହିଥିଲା, ଅନ୍ୟମାନଙ୍କୁ ଡିଲ୍ କରିବାକୁ ପଠାଇଥିଲା। ଏ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କଠାରୁ ତିନିଟି ମୋବାଇଲ୍ ବି ଜବତ କରିଛି। ମୋବାଇଲ୍ କଲ୍ ରେକର୍ଡ ବି ଏ ମାମଲାରେ ବହୁ କଥା କହି ପାରନ୍ତା। କେଉଁ ଡିଲର ପଏଣ୍ଟରୁ ଏ ମାଲ୍ ସବୁ ଆସିଥିଲା କିମ୍ବା କେଉଁଠି ଚୋରାରେ ଏହା ତିଆରି ଚାଲିଥିଲା? ତା’ର କିଛି ବି ସୁରାକ୍ ପୁଲିସ ପାଇପାରନ୍ତା। କିନ୍ତୁ, ମାମଲାର ମାସକ ପରେ ବି ପୁଲିସ ହାତବାନ୍ଧି ବସିଛି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହ କହିଛନ୍ତି, ମାମଲାର ତଦନ୍ତ ଚାଲିଛି। ଦୁଇ ଦୁଇଟି ଥାନା ଦାୟିତ୍ବରେ ରହିବା ଯୋଗୁ ସମୟ ହୋଇପାରି ନାହିଁ। ଏହାର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




