ରାଜ୍ୟ

Subhendra Mohan: ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହଙ୍କ ଜୟନ୍ତୀ ସମାରୋହ: ‘ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପାଇଁ ଶିଶୁ ସାହିତ୍ୟ ଏକାନ୍ତ ଆବଶ୍ୟକ’

ଓଡ଼ିଆ ଭାଷାକୁ ସୁରକ୍ଷିତ କରିବା ଓ ଏହାକୁ ନୂତନ ପିଢ଼ିଙ୍କ ନିକଟତର କରିବାକୁ ହେଲେ ଲିପି ଓ ଭାଷା ସଂସ୍କାରର ଆବଶ୍ୟକତା ରହିଛି। ସେହିପରି ବ୍ୟାକରଣ ଅନୁମୋଦିତ କିଛି ପରିବର୍ତ୍ତନର ଆବଶ୍ୟକତା ବି ରହିଛି।

କଟକ: ଓଡ଼ିଆ ଭାଷାକୁ ସୁରକ୍ଷିତ କରିବା ଓ ଏହାକୁ ନୂତନ ପିଢ଼ିଙ୍କ ନିକଟତର କରିବାକୁ ହେଲେ ଲିପି ଓ ଭାଷା ସଂସ୍କାରର ଆବଶ୍ୟକତା ରହିଛି। ସେହିପରି ବ୍ୟାକରଣ ଅନୁମୋଦିତ କିଛି ପରିବର୍ତ୍ତନର ଆବଶ୍ୟକତା ବି ରହିଛି। କିନ୍ତୁ ତାହା କିପରି ସର୍ବମାନ୍ୟ ହେବ ସେ ସମ୍ପର୍କରେ ଲେଖକ, ପ୍ରକାଶକ ଓ ଶିକ୍ଷକଙ୍କ ଭିତରେ ସହମତି ରହିବା ଦରକାର। ଏହା ନ ହେଲେ ଆମ ଜାତୀୟ ଜୀବନ ବିଭାଜିତ ହେବା ପରି ଉତ୍ତରପିଢ଼ି ପାଖରେ ଆମ ଭାଷା ସାହିତ୍ୟର କଥା ମଧ୍ୟ ବିଭାଜିତ ହୋଇ ରହିବ। ଡକ୍ଟର୍‌ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ସ୍ମୃତି ସଂସଦ ପକ୍ଷରୁ ଶ୍ରୀରାମ ଚନ୍ଦ୍ର ଭବନରେ ଆୟୋଜିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ, ମୁଦ୍ରିତ ଅକ୍ଷର ଆମ ପିଲାଙ୍କ ପାଖରେ ଯେପରି ଢଙ୍ଗରେ ପହଞ୍ଚିବା କଥା ସେପରି ପହଞ୍ଚିପାରୁନାହିଁ।  ଯେକୌଣସି ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପାଇଁ ଶିଶୁ ସାହିତ୍ୟ ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ।

ସ୍ନିଗ୍‌ଧାରାଣୀ ସ୍ବାଇଁଙ୍କୁ ଗବେଷଣା ସମ୍ମାନ 
ଦିବ୍ୟଜ୍ୟୋତି ପାଣିଙ୍କୁ ଶିଶୁ ସାହିତ୍ୟ ସମ୍ମାନ

ସମ୍ମାନିତ ଅତିଥି ଭାବରେ ପ୍ରଫେସର୍‌ ବୈଷ୍ଣବ ଚରଣ ସାମଲ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଦାଶ ବେନହୁର, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର୍‌ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଶିଶୁ ସାହିତ୍ୟିକ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଯୋଗଦେଇ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦସିଂହଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହଙ୍କ ପୁଅ ପ୍ରଫେସର୍‌ ଶିଳାଦିତ୍ୟ ବିକାଶ ଶ୍ରୀଚନ୍ଦନସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରଫେସର୍‌ ଆଦିକନ୍ଦ ସାହୁ ଅନୁଭୂତି ବଖାଣିଥିଲେ। ମନୋରଞ୍ଜନ ମିଶ୍ର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଶିଶୁ ସାହିତ୍ୟିକ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ ଦ୍ବାରା ସମ୍ପାଦିତ ‘ଶୁଭେନ୍ଦ୍ର ମୋହନ‘, ‘ସୃଜନଦୀପ୍ତି’ ଓ ‘ସମ୍ମୋହିତ ସ୍ମୃତି’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ଡକ୍ଟର୍‌ ସ୍ନିଗ୍‌ଧାରାଣୀ ସ୍ବାଇଁଙ୍କ ଦ୍ବାରା ଗବେଷଣାତ୍ମକ ପୁସ୍ତକ ‘ଡକ୍ଟର୍‌ ଶୁଭେନ୍ଦ୍ର ମୋହନ ସୃଷ୍ଟି ଓ ଦୃଷ୍ଟି’ ଏବଂ ଦେବରାଜ ନାୟକଙ୍କ ପୁସ୍ତକ ‘କଳା ପାଗୋଡ଼ାର ପଥର ଗାଥା’ ଉନ୍ମୋଚିତ ହୋଇଥିଲା।  ଡକ୍ଟର୍‌ ସ୍ନିଗ୍‌ଧାରାଣୀ ସ୍ବାଇଁଙ୍କୁ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଗବେଷଣା ସମ୍ମାନ, ଦିବ୍ୟଜ୍ୟୋତି ପାଣିଙ୍କୁ ଶୁଭେନ୍ଦ୍ର ମୋହନ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ସାହିତ୍ୟିକ ଆଦିକନ୍ଦ ସାହୁ, ଅର୍ଜୁନ ଚରଣ ମଲ୍ଲିକ, ମନୋରଞ୍ଜନ ମିଶ୍ର, ଡକ୍ଟର ଅନ୍ତର୍ଯ୍ୟାମୀ ପ୍ରଧାନ, ଶିଶୁ ସାହିତ୍ୟିକ ସୁନାମଣି ରାଉତ, ସଂଗ୍ରାମ ପୃଷ୍ଟି, ଦେବରାଜ ନାୟକ, ବସନ୍ତ ବେହେରା, ପ୍ରଫେସର୍‌ ଜ୍ଞାନୀଦେବାଶିଷ ମିଶ୍ର, ପ୍ରକାଶ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁଭେନ୍ଦ୍ର ମୋହନଙ୍କ ପୁଅ ବାଳାଦିତ୍ୟ ଶ୍ରୀଚନ୍ଦନସିଂହ ବାପାଙ୍କ ସ୍ମୃତିଚାରଣ କରିଥିଲା ବେଳେ ବିଜୟ କୁମାର ନାଥ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାହିତ୍ୟିକ ମନୋରଞ୍ଜନ ମିଶ୍ର ପ୍ରାରମ୍ଭିକ ଭାଷଣ ଦେଇଥିଲେ। ରୀନାରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button