Assam Flood: ଆସାମରେ ବନ୍ୟାର କରାଳ ରୂପ, ୧୦୦ ମୃତ ! ୟୁପି-ବିହାରରେ ବର୍ଷା ନେଇ IMDର ଆଲର୍ଟ
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶିବସାଗର ଜିଲ୍ଲାରେ ଜଣଙ୍କର ନାଁ ଭୁଲ୍ବଶତଃ ଦୁଇଥର ରେକର୍ଡ ହୋଇଯାଇଥିଲା । ଏହାକୁ ସଂଶୋଧନ କରାଯିବା ପରେ ସେଠାରେ ମୃତ୍ୟୁସଂଖ୍ୟା ୫୦ରୁ ବଦଳରେ ୪୯ ହୋଇଛି ।

ଆସାମ, ୧୦।୮: ଦେଶର ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବର୍ଷାର ଭୟାବହତା ଜାରି ରହିଛି । ବିଶେଷକରି ଆସାମରେ ବନ୍ୟା ପରିସ୍ଥିତି ଅତି ମର୍ମନ୍ତୁଦ ହୋଇପଡ଼ିଥିବା ବେଳେ ଉତ୍ତର ପ୍ରଦେଶ, ବିହାର, କେରଳ, ଗୁଜୁରାଟ ଏବଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଗ ଅତ୍ୟନ୍ତ ଖରାପ ରହିଛି । ଆସାମରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ରେ ପହଞ୍ଚିଛି । ସରକାରୀ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୬୦ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ ୧୮ ଜଣ ଶିଶୁ ଅଛନ୍ତି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶିବସାଗର ଜିଲ୍ଲାରେ ଜଣଙ୍କର ନାଁ ଭୁଲ୍ବଶତଃ ଦୁଇଥର ରେକର୍ଡ ହୋଇଯାଇଥିଲା । ଏହାକୁ ସଂଶୋଧନ କରାଯିବା ପରେ ସେଠାରେ ମୃତ୍ୟୁସଂଖ୍ୟା ୫୦ରୁ ବଦଳରେ ୪୯ ହୋଇଛି ।
ସର୍ବାଧିକ ପ୍ରଭାବିତ ଜିଲ୍ଲା:
କଚାରରେ ୨୨ ଜଣଙ୍କର ମୃତ୍ୟୁ, ଶିବସାଗରରେ ୪୯ ଜଣଙ୍କର ଜୀବନ ଯାଇଛି । କରିମଗଞ୍ଜରେ ୯ ଏବଂ ଗୋଲାଘାଟରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା ଧେମାଜି, ନାଗାଁଓ, ଉଦାଲଗୁଡ଼ି, ସୋନିତପୁର ଏବଂ କାର୍ବି ଆଙ୍ଗଲୋଂଗ୍ ଜିଲ୍ଲାରେ ମଧ୍ୟ ବନ୍ୟା ବ୍ୟାପକ କ୍ଷତି ଘଟାଇଛି । ହାଥିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆଶଙ୍କା ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନ ଜଳସ୍ତର କିଛି ମାତ୍ରାରେ ଖସିବାରେ ଲାଗିଛି ଏବଂ ଜଳସେଚନ ବିଭାଗ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରାଜଧାନୀରେ ପ୍ରବଳ ଝଡ଼ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପ୍ରଚଣ୍ଡ ପବନ ବହିପାରେ ବୋଲି ପାଗ ବିଭାଗ ସତର୍କ କରାଇଛି ।
ଉତ୍ତର ପ୍ରଦେଶରେ ‘ୟେଲୋ ଆଲର୍ଟ’:
ୟୁପିରେ କ୍ରମାଗତ ମୌସୁମୀ ବର୍ଷା ଯୋଗୁଁ ଗଙ୍ଗା, ଯମୁନା, ଶାରଦା ଏବଂ ସର୍ୟୁ ସମେତ ୧୦ରୁ ଅଧିକ ନଦୀ ବିପଦ ସଙ୍କେତ ଆଖପାଖରେ ପ୍ରବାହିତ ହେଉଛନ୍ତି । ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଶାହାଜାହାନପୁରର ମିର୍ଜାପୁର ଅଞ୍ଚଳରେ ଅନେକ ଗାଁ ଭିତରକୁ ପାଣି ପଶିଯାଇଛି, ଯାହାକି ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ସହାରନପୁର, ଶାମଲୀ, ମୁଜାଫରନଗର, ବିଜନୌର, ମେରଠ, ଲକ୍ଷ୍ମୀପୁର ଖେରୀ, ବାହରୈଚ, ଶ୍ରାବସ୍ତୀ, ବଳରାମପୁର, ସୀତାପୁର, ଗୋଣ୍ଡା, ସିଦ୍ଧାର୍ଥନଗର, ବାରାବଙ୍କୀ, ଲକ୍ଷ୍ନୌ, ଉନ୍ନାଓ, କାନପୁର, କନ୍ନୌଜ ଏବଂ ଓରେୟା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି । ଅନ୍ୟପଟେ ବିହାରର ବିଭିନ୍ନ ଜିଲ୍ଲାରେ ମଧ୍ୟ ପାଗ ଅତ୍ୟନ୍ତ ଖରାପ ରହିବା ନେଇ ଆକଳନ କରାଯାଇଛି । ଗୟା, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ରୋହତାସ, ନୱାଦା, ବାଙ୍କା, ଲକ୍ଷୀସରାଇ, ମୁଗେର, ନାଳନ୍ଦା, ବକ୍ସର, ସିବାନ, ବୈଶାଳୀ, ମୁଜାଫରନଗର, ସମସ୍ତୀପୁର, ଦରଭଙ୍ଗା, ମଧୁବନୀ, ପୂର୍ଣ୍ଣିଆ, ଅରରିଆ, କିଶନଗଞ୍ଜ, କଟିହାର, ବେଗୁସରାଇ, ସହରସା ଏବଂ ସୁପୌଲ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ।
ସୌଜନ୍ୟ ପ୍ରମେୟ




