2 Bills Passed : ସଂସଦରେ ଅଚଳାବସ୍ଥା ଜାରି, ହଟ୍ଟଗୋଳ ଭିତରେ ଲୋକସଭାରେ ୨ ବିଲ୍ ପାସ୍, ‘ବନ୍ଦେ ମାତରମ୍’ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି

ନୂଆଦିଲ୍ଲୀ, ୧୨/୮ : ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୩ ତାରିଖରେ ଶେଷ ହେବ । ଏଭଳି ସ୍ଥିତିରେ ଉଭୟ ଗୃହରେ ହଟ୍ଟଗୋଳ ପରିସ୍ଥିତି ଲାଗିରହିଛି । ସ୍ୱାଭାବିକ ଚର୍ଚ୍ଚା ହୋଇପାରୁ ନାହିଁ । ତେଣୁ ଆଉ ମାତ୍ର ୨ ଦିନ ଗୃହ ଚାଲିବାକୁ ଥିବା ବେଳେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ବିଲ୍ ଆସିବା ନେଇ କମ୍ ଆଶା ରହିଛି । ତା’ଛଡ଼ା ସ୍ୱତନ୍ତ୍ର ଅଧିବେଶନ ବସିବା ପ୍ରସ୍ତାବ ନାହିଁ ବୋଲି ସରକାର କହିସାରିଛନ୍ତି । ଚଳିତ ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ରାମ ମନ୍ଦିର ଦାନ ଚୋରି ଏବଂ ଜନ୍ତରମନ୍ତରରେ ପୁଲିସର ମାତ୍ରାଧିକ ବଳ ପ୍ରୟୋଗ ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ବିରୋଧୀମାନେ ସରକାରଙ୍କୁ ଘେରିବା ଜାରି ରଖିଛନ୍ତି । ଫଳରେ ଏକପ୍ରକାର ଅଚଳାବସ୍ଥା ଲାଗି ରହିଛି । ବିରୋଧୀମାନେ ଜାଣିଶୁଣି ଗୃହରେ ଆଲୋଚନା କରାଇ ଦେଉ ନ ଥିବା ଏନ୍ଡିଏ ସାଂସଦମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ସଂସଦ ପରିସରରେ ଏନ୍ଡିଏ ସାଂସଦମାନେ ଏହି ପ୍ରସଙ୍ଗରେ ବିକ୍ଷୋଭ ପଦଯାତ୍ରା କରିଥିଲେ । ଏହି ସମୟରେ ବିରୋଧୀ ପକ୍ଷ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ମୁହାଁମୁହିଁ ହୋଇଥିଲା । ବିରୋଧୀ ପକ୍ଷ ଚର୍ଚ୍ଚାରୁ ପଳାୟନ କରୁଥିବା ଏନ୍ଡିଏ ସଦସ୍ୟମାନେ ଅଭିଯୋଗ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ଦେଉ ନ ଥିବା ବିରୋଧୀମାନେ କହିଥିଲେ। ଏହି ସମୟରେ ଶାସକ ଓ ବିରୋଧୀ ପକ୍ଷ ପରସ୍ପର ବିରୋଧରେ ସ୍ଲୋଗାନବାଜି କରିଥିଲେ । ପ୍ରିୟଙ୍କା ଗାନ୍ଧୀ ସଂସଦରେ ପହଞ୍ଚିବା ପରେ ବିଜେପି ସାଂସଦମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ରାହୁଲ ଝାଡ଼ଖଣ୍ଡର ଛାତ୍ର ବିକ୍ଷୋଭକାରୀଙ୍କୁ କାହିଁକି ଭେଟୁନାହାନ୍ତି ବୋଲି ବିଜେପି ସାଂସଦ ମୁକେଶ ଦଲାଲ ପଚାରିଥିଲେ । ପ୍ରିୟଙ୍କା ତାଙ୍କ ପାଖରେ ପହଞ୍ଚି ରାହୁଲ ଝାଡ଼ଖଣ୍ଡ ଯାଇଛନ୍ତି ଏବଂ ଛାତ୍ରଙ୍କୁ ଭେଟିଥିବା କହିଥିଲେ ।
ସେପଟେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବି ହଙ୍ଗାମା ହୋଇଥିଲା । ହଙ୍ଗାମା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ବିନା ଚର୍ଚ୍ଚାରେ ପାରିତ ହୋଇଯାଇଛି । ଏଥିରେ କେରଳ (ନାମ ପରିବର୍ତ୍ତନ) ବିଲ୍ ୨୦୨୬ ଏବଂ ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ (ସଂଶୋଧନ) ବିଲ୍ ୨୦୨୬ ଅନ୍ତର୍ଭୁକ୍ତ । ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କେରଳ ନାମ ପରିବର୍ତ୍ତନ ବିଲ୍ ଆଗତ କରିଥିଲେ । ବିନା ଚର୍ଚ୍ଚା ଏବଂ ବିତର୍କରେ ବାଚନିକ ଭୋଟରେ ଏହା ଗୃହୀତ ହୋଇଥିଲା । ଏହାପରେ ସମବାୟ ରାଷ୍ଟ୍ର ମନ୍ତ୍ରୀ ମୁରଲୀଧର ମୋହୋଲ ସମବାୟ ବିକାଶ (ସଂଶୋଧନ) ବିଲ୍ ଆଗତ କରିଥିଲେ । ଲଗାତର ହଙ୍ଗାମା ଭିତରେ ଏହା ପାରିତ ହୋଇଥିଲା । ଲୋକସଭାରେ ଏ ପର୍ଯ୍ୟନ୍ତ ୧୧ ବିଲ୍ ପାରିତ ହୋଇଛି । କେବଳ ଦୁଇଟି ବିଲ୍ ଉପରେ ବିତର୍କ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ‘ବନ୍ଦେ ମାତରମ୍’ ବିଲ୍କୁ ମଞ୍ଜୁରି ଦେଇଛନ୍ତି । ଫଳରେ ଏହା ଆଇନରେ ପରିଣତ ହୋଇଛି । ଏଣିକି ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ରାଷ୍ଟ୍ରଗାନ ‘ଜନ ଗଣ ମନ’ ସହ ସମାନ ଆଇନ ସୁରକ୍ଷା ମିଳିବ । ଏହାର ଅପମାନ କିମ୍ବା ଗାନ ବେଳେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରିବା କ୍ଷେତ୍ରରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡବିଧାନ ରହିଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ କରିଛନ୍ତି । ସୂତ୍ର ମୁତାବକ, ସରକାର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବୟାନ ଏବଂ ସୁରକ୍ଷା ବଳ ବିରୋଧରେ ମାତ୍ରାଧିକ ବଳ ପ୍ରୟୋଗ ଅଭିଯୋଗ ସଂକ୍ରାନ୍ତରେ ଚର୍ଚ୍ଚା ନିମନ୍ତେ ପ୍ରସ୍ତୁତ । ସେହିଭଳି ଖଣି, ଖାଦାନ ଏବଂ ଟ୍ରିବ୍ୟୁନାଲ୍ ସହ ଜଡ଼ିତ ତିନୋଟି ବିଲ୍ ଉପରେ ଚର୍ଚ୍ଚା ପାଇଁ ୨-୩ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ଉଲ୍ଲେଖଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏଥିପାଇଁ ସ୍ୱତନ୍ତ୍ର ଅଧିବେଶନ ବସିପାରେ ବୋଲି ଆଶା କରାଯାଉଥିଲା । ଚଳିତମାସ ୧୬ରୁ ୧୮ ପର୍ଯ୍ୟନ୍ତ ୩ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ସଂସଦୀୟ ମନ୍ତ୍ରୀ କିରେନ ରିଜିଜୁ ଏହାକୁ ଖଣ୍ଡନ କରିଥିଲେ । ଚଳିତ ମୌସୁମୀ ଅଧିବେଶନକୁ ସମ୍ପ୍ରସାରଣ ଲାଗି କୌଣସି ପ୍ରସ୍ତାବ ନ ଥିବା କହିଥିଲେ । ଏହା ପୂର୍ବରୁ ରିଜିଜୁ ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ଦଳୀୟ ସାଂସଦଙ୍କୁ ସାକ୍ଷାତ କରିଥିଲେ । ଶେଷରେ ରାହୁଲ ସମର୍ଥନ ଦେବେନାହିଁ ବୋଲି ସିଧାସଳଖ କହିଥିଲେ । ତଥାପି ଏହି ଦୁଇଟି ବିଲ୍ ଆଗତ ହେବା ନେଇ ଆଶା ମରି ନ ଥିଲା । ବିରୋଧୀଙ୍କୁ ମନାଇବା ପାଇଁ ସରକାରୀ ପକ୍ଷ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଥିଲା ।
ସୌଜନ୍ୟ ପ୍ରମେୟ




