କୋହଳ ହେଲା ଅନୁକମ୍ପା ନିଯୁକ୍ତି ନିୟମ

ଭୁବନେଶ୍ବର: କାର୍ଯ୍ୟରତ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ନିୟମକୁ ସରଳ ତଥା କର୍ମଚାରୀ ଅନୁକୂଳ କରାଯାଇଛି। ଏଥିପାଇଁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ବର୍ତ୍ତମାନ ପ୍ରଚଳିତ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ- ୨୦୨୦କୁ ବାତିଲ କରି ଓଡ଼ିଶା ସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ-୨୦୨୬କୁ ଅନୁମୋଦନ କରାଯାଇଛି। ଅସହାୟ ଶିଶୁମାନଙ୍କ ପାଇଁ ଯଶୋଦା ଓ ଆଶୀର୍ବାଦ ଯୋଜନା ତଥା ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାର ଅବଧିକୁ ଆଉ ୫ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସେହିପରି, ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସେମିକଣ୍ଡକ୍ଟର୍ ନୀତିରେ ତୃତୀୟ ସଂଶୋଧନକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏଥିସହ ଚାଷୀ ପଞ୍ଜୀକରଣ ପାଇଁ ଏଗ୍ରିଷ୍ଟାକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁସାରେ, ଅନୁକମ୍ପାମୂଳକ ନିଯୁକ୍ତି ନିୟମକୁ ସରଳ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବକୁ ସରକାର ମଞ୍ଜୁରି ଦେଇଛନ୍ତି। ନୂଆ ନିୟମରେ ୧୦୦ ପଏଣ୍ଟ ମୂଲ୍ୟାୟନ ପଦ୍ଧତି ଯୋଗ୍ୟତା ସର୍ତ୍ତ ପ୍ରତ୍ୟାହାର କରାଯାଇଛି। ମୂଳସ୍ତରରେ ଗ୍ରୁପ୍-ଡି’ ପଦବୀର ୫୦% ସୀମାକୁ ମଧ୍ୟ ହଟାଇ ଦିଆଯାଇଛି। ପତି/ପତ୍ନୀଙ୍କୁ ୫୦ରୁ ଅଧିକ ବର୍ଷ ହୋଇଥିଲେ ଏବଂ ନିଯୁକ୍ତି ଗ୍ରହଣ ପାଇଁ ଅନିଚ୍ଛୁକ ଥିଲେ, ପରିବାରର ଜଣେ ସଦସ୍ୟଙ୍କୁ ମନୋନୀତ କରାଯାଇପାରିବ। ଅପରପକ୍ଷେ, ପୂର୍ବ ନିୟମ ଅନୁଯାୟୀ ୧୦୦ ପଏଣ୍ଟ ନିୟମ ପାଇଁ ପ୍ରତ୍ୟାଖାନ ହୋଇଥିବା ଅବା ବିଚାରାଧୀନ ଥିବା ଆବେଦନଗୁଡ଼ିକର ପୁନଃବିଚାର କରାଯିବ।ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଉପସ୍ଥାପିତ ସେମିକଣ୍ଡକ୍ଟର୍ ନୀତିରେ ତୃତୀୟ ସଂଶୋଧନକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହାଦ୍ବାରା ସେମିକଣ୍ଡକ୍ଟର୍ ଉପକରଣ, ସେମିକଣ୍ଡକ୍ଟର ଗ୍ରେଡ୍ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅନୁମୋଦିତ ପ୍ରକଳ୍ପ ପାଇଁ ୨୫% ଅତିରିକ୍ତ ସହାୟତା ମିଳିବ। ଅପରପକ୍ଷେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କାଗଜମୁକ୍ତ କରିବା ଲକ୍ଷ୍ୟରେ ପ୍ରଚଳିତ ଓସ୍ବାସ୍ରେ ଉନ୍ନତି ଆଣିବା ପାଇଁ ୧୨୨ କୋଟି ୬୦ ଲକ୍ଷ ଟଙ୍କାର ଟେଣ୍ଡର ଅନୁମୋଦନ କରାଯାଇଛି।
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାର ଅବଧିକୁ ୨୦୩୦-୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ଏଥିପାଇଁ ୫,୮୬,୫୦,୭୫,୪୮୦ ଟଙ୍କା ମଞ୍ଜୁର ହୋଇଛି। ଏହାସହ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାକ୍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ, ଜୋତା, ମୋଜା, ସ୍ବେଟର ମୂଲ୍ୟରେ ସଂଶୋଧନ ଏବଂ ଗୋଟିଏ ହଳ ଅତିରିକ୍ତ ମୋଜା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ପ୍ରାକ୍ ବିଦ୍ୟାଳୟର ପ୍ରତ୍ୟେକ ବାଳକଙ୍କୁ ୧୭୫ ଟଙ୍କା ମୂଲ୍ୟରେ ଦୁଇଟି ୟୁନିଫର୍ମ, ବାଳିକାଙ୍କୁ ୨୨୫ ଟଙ୍କା ମୂଲ୍ୟରେ ଦୁଇ ହଳ ୟନିଫର୍ମ, ୧୮୦ ଟଙ୍କା ମୂଲ୍ୟରେ ଗୋଟିଏ ହଳ ଜୋତା, ଦୁଇ ହଳ ମୋଜା ଏବଂ ୨୦୦ ଟଙ୍କାରେ ସ୍ବେଟର୍ ଯୋଗାଇ ଦିଆଯିବ। ଏହା ଦ୍ବାରା ୩-୬ ବର୍ଷ ମଧ୍ୟରେ ୧୪.୭୬ ଲକ୍ଷ ପିଲା ଉପକୃତ ହେବେ। ଯଶୋଦା ଓ ଆଶୀର୍ବାଦ ଯୋଜନା ଆଉ ୫ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ୨୯୬.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବାପା-ମା’ ଛେଉଣ୍ଡ ଶିଶୁ, ଭିନ୍ନକ୍ଷମ ପିତାମାତାଙ୍କ ଶିଶୁ, ଏଚ୍ଆଇଭି ଆକ୍ରାନ୍ତ ଶିଶୁ, କୋଭିଡ୍ରେ ପରିବାରର ଏକମାତ୍ର ରୋଜଗାରିଆଙ୍କୁ ହରାଇଥିବା ଶିଶୁଙ୍କ ପୁନର୍ବାସ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।
ସୌଜନ୍ୟ ସମାଜ




