ରାଜ୍ୟ

‘ସମାଜ’ ପ୍ରଭାବ ଅନ୍ତ ହେବ ଭିନ୍ନକ୍ଷମଙ୍କ ସଂଘର୍ଷ; ସମ୍ପତ୍ତି ଅଧିକାର ସୁରକ୍ଷା ପାଇଁ ଆସିବ ମାଗଦର୍ଶିକା

ଭୁବନେଶ୍ବର: ନିଜ ସମ୍ପତ୍ତି ଅଧିକାର ସୁନିଶ୍ଚିତ କରିବା ପାଇଁ ଭିନ୍ନକ୍ଷମ ନାଗରିକଙ୍କ ସଂଘର୍ଷର ଅନ୍ତ ଘଟିବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୁରେଶ ବଶିଷ୍ଠ ଆଜି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀଙ୍କୁ ପତ୍ର ଲେଖି ଭିନ୍ନକ୍ଷମଙ୍କ ସମ୍ପତ୍ତି ସୁରକ୍ଷା ଆଇନ ନିମନ୍ତେ ୯ ସୂତ୍ରୀ ପ୍ରସ୍ତାବ ଅନୁଯାୟୀ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ମାର୍ଗଦର୍ଶିକା‌ ପ୍ରସ୍ତୁତ ହେବା ପରେ ତାହାର ଅନୁପାଳନ ନିମନ୍ତେ ସମସ୍ତ ଜିଲାପାଳ ତଥା ରାଜସ୍ବ ଅଧିକାରୀଙ୍କୁ ନିର୍ଦେଶ ଦେବା ପାଇଁ କୁହାଯାଇଛି। ନିଜ ସମ୍ପତ୍ତି ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ଭିନ୍ନକ୍ଷମ ନାଗରିକଙ୍କ ସଂଘର୍ଷ ସମ୍ପର୍କରେ ଗତ ମାର୍ଚ୍ଚ ୨୩ରେ ‘ସମାଜ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଏସ୍‌ଏସ୍‌ଇପିଡି ବିଭାଗ ପ୍ରମୁଖ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି, ଅନେକ ସମୟରେ ଭିନ୍ନକ୍ଷମ ବ୍ୟକ୍ତି ନିଜର ଏବଂ ପୈତୃକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେଉଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ପତ୍ତିକୁ ବେଆଇନ ଭାବେ ଆତ୍ମସାତ୍‌ କରିବା ନେଇ ଅନେକ ଉଦାହରଣ ବିଭାଗର ଦୃଷ୍ଟିଗୋଚର ହୋଇଛି। ସେମାନେ ଆର୍ଥିକ ଶୋଷଣର ଶିକାର ହେବା ସହ ନିଜ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏପରିସ୍ଥଳେ ରାଜସ୍ବ ବିଭାଗ ଭିନ୍ନକ୍ଷମଙ୍କ ସମ୍ପତ୍ତି ଅଧିକାରର ସୁରକ୍ଷା ସମ୍ପର୍କିତ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ତାହାର ଅନୁପାଳନ ନିମନ୍ତେ ସମସ୍ତ ରାଜସ୍ବ ଅଧିକାରୀଙ୍କୁ ନିର୍ଦେଶନାମା ଜାରି କରିବା ଜରୁରୀ। ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ କୁହାଯାଇଛି, ମାର୍ଗଦର୍ଶିକା‌ ପ୍ରସ୍ତୁତ କରିବା ସମୟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ। ଭିନ୍ନକ୍ଷମ ବ୍ୟକ୍ତି ଯେପରି ବଂଶଗତ, ପୈତୃକ ଓ ନିଜେ ଅର୍ଜନ କରିଥିବା ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ, ସେଥିପାଇଁ ଏକ ନିୟାମକ ବ୍ୟବସ୍ଥା ପ୍ରଚଳନ କରାଯିବା ଜରୁରୀ।

ଭିନ୍ନକ୍ଷମଙ୍କ ସମ୍ପତ୍ତି ହସ୍ତାନ୍ତର ହେଉଥିବା ପ୍ରତ୍ୟେକ ମାମଲାକୁ ବରିଷ୍ଠ ରାଜସ୍ବ ଅଧିକାରୀ ଅନୁଧ୍ୟାନ କରିବେ। ସମ୍ପୃକ୍ତ ଭିନ୍ନକ୍ଷମଙ୍କ ସମ୍ପତ୍ତିକୁ ବେଆଇନ ଭାବେ କେହି ନେଉଥିଲେ ଆଇନ ଅନୁସାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଭିନ୍ନକ୍ଷମଙ୍କ ଜମିରେ କେହି ଅନଧିକାର ହସ୍ତକ୍ଷେପ କଲେ, ଚାଷ କଲେ, କିସମ ପରିବର୍ତ୍ତନ କିମ୍ବା ଜବରଦଖଲ ଅଭିଯୋଗ ଆସିଲେ ଜିଲାପାଳ କିମ୍ବା ବରିଷ୍ଠ ରାଜସ୍ବ ଅଧିକାରୀ ତଦନ୍ତ କରିବେ। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ। ଯଦି କେହି ଭିନ୍ନକ୍ଷମଙ୍କୁ ଡରାଇ, ଧମକ ଦେଇ କିମ୍ବା ବଳପୂର୍ବକ ସମ୍ପତ୍ତି ନେଇଯାଇଥିଲେ, ତାହା ପୁନର୍ବାର ସମ୍ପୃକ୍ତ ଭିନ୍ନକ୍ଷମଙ୍କ ନାମରେ କରାଇବା ପାଇଁ ପ୍ରଶାସନ ପଦକ୍ଷେପ ନେବ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button