ରାଜ୍ୟ

Kanwar Mela Garbage: କାଉଡ଼ି ଯାତ୍ରା ପରେ ହରିଦ୍ୱାରରେ ଆବର୍ଜନାର ପାହାଡ଼, ସଫା କରିବାକୁ ୮୦ରୁ ଅଧିକ ଗାଡ଼ି ନିୟୋଜିତ

ହରିଦ୍ୱାର, ୧୩/୦୮: ହରିଦ୍ୱାରରେ ୧୨ ଦିନିଆ କାଉଡ଼ି ଯାତ୍ରା ଶେଷ ହୋଇଛି। ଏହି ଯାତ୍ରା ସମୟରେ ପ୍ରାୟ ୪ କୋଟି ୮୦ ଲକ୍ଷ କାଉଡ଼ିଆ ହରିଦ୍ୱାରରେ ପହଞ୍ଚି ଗଙ୍ଗାଜଳ ସଂଗ୍ରହ କରି ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ତେବେ ଏତେ ବଡ଼ ଧାର୍ମିକ ସମାଗମ ପରେ ଗଙ୍ଗା ଘାଟଗୁଡ଼ିକରେ ଆବର୍ଜନାର ପାହାଡ଼ ଜମିଛି। ଯାତ୍ରା ଶେଷରେ ପ୍ରାୟ ୭ ହଜାର ମେଟ୍ରିକ ଟନ୍ ଆବର୍ଜନା ସହରରେ ଜମା ହୋଇଥିବା ଜଣାପଡ଼ିଛି।

ଗଙ୍ଗା ଆରତୀ ପାଇଁ ପ୍ରସିଦ୍ଧ ହରକୀ ପୌଡ଼ି ଅଞ୍ଚଳର ସ୍ଥିତି ସବୁଠାରୁ ଗମ୍ଭୀର ରହିଥିଲା। ଘାଟର ବିଭିନ୍ନ ସ୍ଥାନରେ ଆବର୍ଜନାର ବଡ଼ ବଡ଼ ଗଦା ଦେଖିବାକୁ ମିଳିଥିଲା। ଏପରିକି ମହିଳାଙ୍କ ଚେଞ୍ଜିଂ ରୁମ୍‌ରୁ ପରିସ୍ରାରେ ଭର୍ତ୍ତି ବୋତଲ ମଧ୍ୟ ମିଳିଥିବା ଜଣାପଡ଼ିଛି। ସ୍ଥିତିକୁ ଦେଖି ହରିଦ୍ୱାର ପ୍ରଶାସନ ପକ୍ଷରୁ ବ୍ୟାପକ ସଫେଇ ଅଭିଯାନ ଆରମ୍ଭ କରାଯାଇଛି। ୧,୦୦୦ରୁ ଅଧିକ ବାହ୍ୟ କର୍ମଚାରୀଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ୮୦ରୁ ଅଧିକ ଗାଡ଼ି ଆବର୍ଜନା ସଂଗ୍ରହ ପାଇଁ ନିୟୋଜିତ ହୋଇଛି। ହରିଦ୍ୱାର ଜିଲ୍ଲା ପ୍ରଶାସନ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସଫେଇ ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି।

ମ୍ୟୁନିସିପାଲ କମିଶନରଙ୍କ ସୂଚନା ଅନୁସାରେ, କାଉଡ଼ି ଯାତ୍ରାର ଶେଷ ଦୁଇ ଦିନରେ ହିଁ ସମଗ୍ର ସହରରେ ପ୍ରାୟ ୧,୭୦୦ ମେଟ୍ରିକ ଟନ୍ ଆବର୍ଜନା ଜମା ହୋଇଥିଲା। ଏବେ ସଂଗ୍ରହ କରାଯାଉଥିବା ଆବର୍ଜନାକୁ ଜ୍ୱାଲାପୁରସ୍ଥିତ ସରାୟ ଆବର୍ଜନା ପରିଚାଳନା କାରଖାନାକୁ ପଠାଯାଉଛି। ସେଠାରେ ଆବର୍ଜନାକୁ ପୃଥକୀକରଣ କରାଯାଇ ପୁନଃଚକ୍ରଣ ପାଇଁ ଘରୋଇ କମ୍ପାନିଗୁଡ଼ିକୁ ବିକ୍ରି କରାଯିବ। ଏହାସହ କିଛି ଆବର୍ଜନାରୁ କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button