JPSC Exam Case: JPSC ପରୀକ୍ଷା ଦୁର୍ନୀତି ମାମଲାରେ CID ର ବଡ଼ କାର୍ଯ୍ୟାନୁଷ୍ଠାନ, ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ
ଆଇଡିର କହିବାନୁଯାୟୀ, ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ସମନ୍ ପଠାଯାଇଥିଲା, କିନ୍ତୁ ସେମାନେ ହାଜର ହୋଇନଥିଲେ । ଏହାପରେ ତଦନ୍ତକାରୀ ସଂସ୍ଥା ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସମସ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି କରାଇଥିଲା ।

ଝାଡ଼ଖଣ୍ଡ, ୧୩।୮: ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ର ୧୪ତମ ସିଭିଲ୍ ସେବା ପରୀକ୍ଷାରେ କଥିତ ଦୁର୍ନୀତି ମାମଲାକୁ ନେଇ CID ନିଜର ତଦନ୍ତ ପରିସରକୁ ବୃଦ୍ଧି କରିଛି । ଏହି ମାମଲାରେ ସିଆଇଡି ଆଉ ୭ ଜଣଙ୍କୁ ନୂତନ ଅଭିଯୁକ୍ତ ଭାବେ ସାମିଲ କରିଛି । ସ୍ୱତନ୍ତ୍ର କୋର୍ଟରୁ ୱାରେଣ୍ଟ ହାସଲ କରିବା ପରେ ଏହି ସମସ୍ତଙ୍କ ଠିକଣାରେ ଚଢ଼ାଉ ଜାରି ରହିଛି । ଏହାପୂର୍ବରୁ ସିଆଇଡି ଏହି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।
କିଏ ଏହି ୭ ଜଣ ନୂତନ ଅଭିଯୁକ୍ତ ?
ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ସିଆଇଡି ଯେଉଁ ୭ ଜଣ ନୂତନ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରିଛି, ସେଥିରେ TDPL ର ଅନ୍ୟ ଜଣେ ନିର୍ଦ୍ଦେଶକ ସତ୍ୟପାଲ ସିହ୍ନା, BSL ର ଜଣେ କର୍ମଚାରୀ ସାନନ୍ଦ ପ୍ରକାଶ, ଯିଏ ଅଭୟ ତିୱାରୀଙ୍କ ସିଣ୍ଡିକେଟ୍ ପାଇଁ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ, ରାଞ୍ଚିର ଏକ କୋଚିଂ ସେଣ୍ଟରର ଇଂରାଜୀ ଶିକ୍ଷକ ରବିଶଙ୍କର କୁମାର, ଜଣେ ସରକାରୀ ଶିକ୍ଷକ ସନ୍ତୋଷ ସିଂହଙ୍କ ନାଁ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି । ସିଆଇଡିର କହିବାନୁଯାୟୀ, ତଦନ୍ତ ସମୟରେ ଏହି ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ସମନ୍ ପଠାଯାଇଥିଲା, କିନ୍ତୁ ସେମାନେ ହାଜର ହୋଇନଥିଲେ । ଏହାପରେ ତଦନ୍ତକାରୀ ସଂସ୍ଥା ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସମସ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି କରାଇଥିଲା । ୱାରେଣ୍ଟ ମିଳିବା ପରେ ସିଆଇଡି ର ସ୍ୱତନ୍ତ୍ର ଟିମ୍ଗୁଡ଼ିକ ରାଞ୍ଚି, ବୋକାରୋ, ପଲାମୁ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସମ୍ଭାବ୍ୟ ଠିକଣାରେ ଚଢ଼ାଉ ଜାରି ରଖିଛନ୍ତି ।
ଅନ୍ୟପକ୍ଷରେ, ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତାକୁ ବିରୋଧ କରି ରାଞ୍ଚିର ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ରଛାତ୍ରୀମାନଙ୍କର ପ୍ରତିବାଦ ଜାରି ରହିଛି । ଛାତ୍ରଛାତ୍ରୀମାନେ ପ୍ରାୟ ଗତ ୨୦ ଦିନ ହେବ ଷ୍ଟାଡିୟମରେ ଧାରଣାରେ ବସିଛନ୍ତି । ସେମାନଙ୍କର ଦାବି ରହିଛି ଯେ, ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ହୋଇନାହିଁ, ସେମାନେ ଧାରଣାସ୍ଥଳରୁ ହଟିବେ ନାହିଁ । ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତାକୁ ବିରୋଧ କରି ଆନ୍ଦୋଳନ କରୁଥିବା JLKM ନେତା ଦେବେନ୍ଦ୍ର ମହତୋ ମଧ୍ୟ ଏହି ମାମଲାରେ ଚର୍ଚ୍ଚାରେ ଅଛନ୍ତି । ସେ ଗତ ୧୧ ଦିନ ହେବ ଅନଶନରେ ଅଛନ୍ତି ଏବଂ ବର୍ତ୍ତମାନ ସଦର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଗତ ବୁଧବାର ରାତିରେ ଦେବେନ୍ଦ୍ର ମହତୋ ରାଞ୍ଚିର ସିଭିଲ୍ ସର୍ଜନଙ୍କୁ ଏକ ଚିଠି ଲେଖି ପ୍ରଦର୍ଶନ ସ୍ଥଳକୁ ଫେରିବା ପାଇଁ ଅନୁମତି ମାଗିଛନ୍ତି । ସେ ଆନ୍ଦୋଳନକାରୀମାନଙ୍କ ପାଖକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ସୌଜନ୍ୟ ପ୍ରମେୟ




