Corruption case : ତିର୍ତ୍ତୋଲ ବ୍ଲକରେ ୩.୦୨ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ୨ ପୂର୍ବତନ ଅଧିକାରୀ ଗିରଫ
ଜଗତସିଂହପୁର ତିର୍ତ୍ତୋଲ ବ୍ଲକ୍ରେ ₹୩.୦୨ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଦୁଇ ପୂର୍ବତନ ଅଧିକାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବତନ SRA ଭଞ୍ଜ କିଶୋର ବେହେରା ଓ ପୂର୍ବତନ PEO ପ୍ରଦୀପ୍ତ କୁମାର ମଲ୍ଲିକଙ୍କ ବିରୋଧରେ ଫର୍ଜି ବେତନ ବିଲ୍, ରେଜିଷ୍ଟରରେ ଜାଲିଆତି ଏବଂ ସରକାରୀ ଟଙ୍କା ବ୍ୟକ୍ତିଗତ ଖାତାକୁ ନେବା ଅଭିଯୋଗ ରହିଛି।

ଭୁବନେଶ୍ଵର, ୧୩/୮ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ମାମଲାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ। ପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗରେ ତିର୍ତ୍ତୋଲ ବ୍ଲକ୍ର ଦୁଇ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ବ୍ଲକ୍ର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ PEO ପ୍ରଦୀପ୍ତ କୁମାର ମଲ୍ଲିକ। ପ୍ରଦୀପ୍ତ କୁମାର ମଲ୍ଲିକ ଅବସରପ୍ରାପ୍ତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ତିର୍ତ୍ତୋଲ ବ୍ଲକ୍ର ପୂର୍ବତନ AEE ସ୍ୱର୍ଗତ ରାଜଦୀପ ହାଁସଦାଙ୍କ ନାମ ମଧ୍ୟ ରହିଛି।
୧୦ ବର୍ଷରେ ହୋଇଥିଲା ହେରଫେର
ସୂଚନା ଅନୁସାରେ, ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟରେ ଯୋଜନାବଦ୍ଧ ଭାବେ ସରକାରୀ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ରହିଛି। ସରକାରୀ ବେତନ ରେଜିଷ୍ଟର ଏବଂ ଅର୍ଥ ପ୍ରଦାନ ସମ୍ବନ୍ଧୀୟ ଦସ୍ତାବିଜରେ ଜାଲିଆତି ଓ ଟାମ୍ପରିଂ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି। ଏହା ସହିତ ଅନୁମୋଦିତ ବଜେଟ୍ ଠାରୁ ଅଧିକ ଟଙ୍କାର ଫର୍ଜି ବେତନ ବିଲ୍ ପ୍ରସ୍ତୁତ କରି ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି।
ସୌଜନ୍ୟ ପ୍ରମେୟ




