chamoli tunnel collapse: ଚମୋଲିରେ ମର୍ମନ୍ତୁଦ ଟନେଲ୍ ଦୁର୍ଘଟଣା; ୪୪୪ ମେଗାୱାଟ୍ ବିଶିଷ୍ଟ ‘ବିଷ୍ଣୁଗଡ଼-ପିପଲକୋଟି’ ଜଳବିଦ୍ୟୁତ ପ୍ରକଳ୍ପ, ଜାଣନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
ଟିଏଚ୍ଡିସିର ତଥ୍ୟ ଅନୁଯାୟୀ, ଏହି ପ୍ରକଳ୍ପଟି ଗଙ୍ଗାର ଏକ ମୁଖ୍ୟ ସହାୟକ ନିଦୀ ଅଳକାନନ୍ଦା ଉପରେ କାର୍ଯ୍ୟକାରୀ ହେଉଛି । ଏହା ଏକ ରନ୍-ଅଫ୍-ଦି-ରିଭର ପ୍ରକଳ୍ପ ଅଟେ, ଅର୍ଥାତ୍ ଏହା ନଦୀର ପ୍ରବାହ ଉପରେ ଆଧାରିତ ।

ଉତ୍ତରାଖଣ୍ଡ, ୧୪।୮: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଗୁରୁବାର ଏକ ନିର୍ମାଣାଧୀନ ଟିଏଚ୍ଡିସି ଟନେଲ୍ ଭିତରେ ହଠାତ୍ ପାଣି ଏବଂ ମାଟି ପଶିଯିବା କାରଣରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କପ୍ରାଣହାନି ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ଟନେଲ୍ରେ ମୋଟ୍ ୨୪ ଜଣ ଶ୍ରମିକ କାମ କରୁଥିଲେ, ଯେଉଁଥିରୁ ଏବେ ବି ୩ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ଆଇଟିବିପି ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ ଏହି ପ୍ରକଳ୍ପ କ’ଣ ଏବଂ ଏହା କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଛି ? ଆସନ୍ତୁ ଜାଣିବା ସେ ବିଷୟରେ…
ମୁଖ୍ୟମନ୍ତ୍ରୀ ଧାମୀଙ୍କ ଦ୍ୱାରା ଉଚ୍ଚସ୍ତରୀୟ ବୈଠକ:
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବିଳମ୍ବିତ ରାତିରେ ଅଧିକାରୀମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଡେରାଡୁନ୍ ସ୍ଥିତ ଆପତ୍ତି ପରିଚାଳନା କେନ୍ଦ୍ରରେ ପହଞ୍ଚି ମାୟାପୁର (ପିପଲକୋଟି) ସ୍ଥିତ ଟିଏଚ୍ଡିସିର ନିର୍ମାଣାଧୀନ ଟନେଲ୍ରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି ।
ଏକ ମେଗା ପ୍ରକଳ୍ପର ଅଂଶବିଶେଷ ଏହି ଟନେଲ୍:
ସାଧାରଣତଃ ପାହାଡ଼କୁ ଖୋଳି ରାସ୍ତା ନିର୍ମାଣ ପାଇଁ ଟନେଲ୍ କଥା ଚିନ୍ତା କରାଯାଏ, କିନ୍ତୁ ଏହି ଟିଏଚ୍ଡିସି ଟନେଲ୍ ଏକ ବୃହତ୍ ଜଳବିଦ୍ୟୁତ ପ୍ରକଳ୍ପର ଏକ ଅଂଶ । ଏହାର ସଂପୂର୍ଣ୍ଣ ନାମ ହେଉଛି ୪୪୪ ମେଗାୱାଟ୍ ବିଶିଷ୍ଟ ବିଷ୍ଣୁଗଡ଼-ପିପଲକୋଟି ଜଳବିଦ୍ୟୁତ ପ୍ରକଳ୍ପ, ଯାହାକି ଚମୋଲିର ଅଳକାନନ୍ଦା ନାମକ ନଦୀ ଉପରେ ନିର୍ମାଣ କରାଯାଉଛି ।
ବିଷ୍ଣୁଗଡ଼-ପିପଲକୋଟି ଜଳବିଦ୍ୟୁତ୍ ପ୍ରକଳ୍ପ କ’ଣ ?
ଟିଏଚ୍ଡିସିର ତଥ୍ୟ ଅନୁଯାୟୀ, ଏହି ପ୍ରକଳ୍ପଟି ଗଙ୍ଗାର ଏକ ମୁଖ୍ୟ ସହାୟକ ନିଦୀ ଅଳକାନନ୍ଦା ଉପରେ କାର୍ଯ୍ୟକାରୀ ହେଉଛି । ଏହା ଏକ ରନ୍-ଅଫ୍-ଦି-ରିଭର ପ୍ରକଳ୍ପ ଅଟେ, ଅର୍ଥାତ୍ ଏହା ନଦୀର ପ୍ରବାହ ଉପରେ ଆଧାରିତ । ଏହି ପ୍ରକଳ୍ପ ପାଇଁ ଅଳକାନନ୍ଦା ନଦୀର ପ୍ରଖର ସ୍ରୋତକୁ ବ୍ୟବହାର କରାଯିବ । ଏହି ପ୍ରକଳ୍ପଟି ଋଷିକେଶଠାରୁ ପ୍ରାୟ ୨୨୫ କିଲୋମିଟର ଦୂରରେ ଜାତୀୟ ରାଜପଥ-୫୮ ଉପରେ ଅବସ୍ଥିତ । THDC ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏହାର ଟନେଲ୍ ନିର୍ମାଣ କାର୍ଯ୍ୟ ଏଚ୍ସିସି କମ୍ପାନୀ ଦ୍ୱାରା କରାଯାଉଛି । ଏହି ପ୍ରକଳ୍ପର ମୋଟ କ୍ଷମତା ୪୪୪ ମେଗାୱାଟ୍ ଅଟେ, ଯେଉଁଥିରେ ପ୍ରତ୍ୟେକେ ୧୧୧ ମେଗାୱାଟ୍ର ୪ଟି ୟୁନିଟ୍ ପ୍ରସ୍ତୁତ କରାଯିବ ।
ସୌଜନ୍ୟ ପ୍ରମେୟ




