ସାହାଜପାଲ(ଶେଷଦେବ ଦାଶ): ବୌଦ୍ଧଜିଲ୍ଲା ତାଳସରତା ଗ୍ରାମପଞ୍ଚାୟତର ସରପଞ୍ଚ ସୁସ୍ମିତା ପାଣ୍ଡେଙ୍କ ବିରୁଦ୍ଧରେ ବ୍ୟାପକ ଆର୍ଥିକ ଅନିୟମିତତା, ଜାଲିଆତି ଓ କ୍ଷମତାର ଅପବ୍ୟବହାର ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ହେଉଥିବା ବ୍ୟାପକ ହରିଲୁଟ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପଞ୍ଚାୟତର ବହୁସଂଖ୍ୟକ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସରପଞ୍ଚ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସଲାସୁତୁରା କରି ହଡ଼ପ
ଅଭିଯୋଗ ଅନୁଯାୟୀ, ସରପଞ୍ଚ ୱାର୍ଡ ସଭ୍ୟମାନଙ୍କ ଅଜାଣତରେ ଦୀର୍ଘ ପ୍ରାୟ ଏକ ବର୍ଷ ହେବ ମନଗଢ଼ା ପ୍ରସ୍ତାବ ପ୍ରସ୍ତୁତ କରି ଜାଲ୍ ବୈଠକ ଜରିଆରେ ନିଜେ ସ୍ୱାକ୍ଷର କରି ଚାଲିଛନ୍ତି। ପଞ୍ଚାୟତର କୌଣସି କାର୍ଯ୍ୟରେ ଗଣତାନ୍ତ୍ରିକ ଆଲୋଚନା ନକରି ସରକାରୀ ପାଣ୍ଠିକୁ ନିଜ ଇଚ୍ଛା ମୁତାବକ ଅପବ୍ୟବହାର କରାଯାଉଥିବା ନେଇ ସଭ୍ୟମାନେ ଦର୍ଶାଇଛନ୍ତି। କାଗଜପତ୍ରରେ କାମ, ଲକ୍ଷ ଲକ୍ଷ ଟଙ୍କା ହଡ଼ପ, ଶୈବପୀଠ କାର୍ଯ୍ୟରେ ଜାଲିଆତି, ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମରେ ଥିବା ‘ଗୋକୁଳେଶ୍ୱର ଶୈବପୀଠ’ର କୌଣସି ପ୍ରକାରର କାର୍ଯ୍ୟ ନକରି ସମସ୍ତ ଅର୍ଥକୁ ଆତ୍ମସାତ କରାଯାଇଛି। ସିଦ୍ଧଗୁରୁ ଉଦ୍ୟାନ ଦୁର୍ନୀତି, ଅନୁରୂପ ଭାବେ ‘ସିଦ୍ଧଗୁରୁ ଉଦ୍ୟାନ’ ନିର୍ମାଣ ନାଁରେ କୌଣସି ଭୂମିଗତ କାମ ନକରି ଜାଲିଆତି ଜରିଆରେ ସରକାରଙ୍କ ୧,୫୦,୦୦୦ (ଏକ ଲକ୍ଷ ପଚାଶ ହଜାର) ଟଙ୍କା ସମ୍ପୂର୍ଣ୍ଣ ହଡ଼ପ କରାଯାଇଛି। ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (PEO)ଙ୍କ ସହିତ ସଲାସୁତୁରା କରି କୌଣସି କାର୍ଯ୍ୟ ନକରି ପ୍ରାୟ ଏକ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଇ ନିଆଯାଇଛି। ଏହା ସହିତ ସରପଞ୍ଚ ନିୟମିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁ ନଥିବାରୁ ଜନସାଧାରଣ ନିଜର ମୌଳିକ ସମସ୍ୟା ଜଣାଇବାରୁ ବଞ୍ଚିତ ହେଉଛନ୍ତି।
ଏହି ସାଙ୍ଘାତିକ ଅଭିଯୋଗ ଉପରେ ତାଳସରତା ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ ତରଣୀସେନ ମେହେର, ଭଗବତୀ ସେଠୀ, ପ୍ରଦୀପ କୁମାର ଦାଶ, ଦ୍ରୌପଦୀ ଭୋଇ, ରିନା ପାତ୍ର, ରଞ୍ଜନ ବେହେରା, ରଞ୍ଜନ ଗୁରୁ ଏବଂ ସୀତାରାମ ମଲ୍ଲିକ ସମେତ ଅନ୍ୟ ସଭ୍ୟମାନେ ସ୍ୱାକ୍ଷର କରିଛନ୍ତି। ଜିଲ୍ଲାପାଳ ଏହି ସମଗ୍ର ଘଟଣାର ଏକ ପୁଙ୍ଖାନୁପୁଙ୍ଖ ଓ ନିରପେକ୍ଷ ତଦନ୍ତ କରି ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ପଦବୀ ରଦ୍ଦ କରିବାକୁ ଜନସାଧାରଣ ଓ ୱାର୍ଡ ସଭ୍ୟମାନେ ଦୃଢ଼ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ