ପୋଡିୟମକୁ ତଳକୁ ଫିଙ୍ଗିଦେଲେ ବ୍ଲକ ଅଧ୍ୟକ୍ଷା

ବାଲିଗୁଡା : କନ୍ଧମାଳ ଜିଲା କୋଟଗଡରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କ ହଟ୍ଟଗୋଳ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଟଗଡ଼ ବିଡିଓ ଚିନ୍ମୟ ମହାନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତେବେ ଜନପ୍ରତନିଧିଙ୍କୁ ପତାକା ଉତ୍ତୋଳନ ପାଇଁ ନିମନ୍ତ୍ରଣ କରାଯାଇ ନଥିବା ଏବଂ ସେମାନଙ୍କୁ ମଞ୍ଚ ଉପରକୁ ବସିବାକୁ ଦିଆଯାଇ ନଥିବାର ପ୍ରତିବାଦ କରି ବ୍ଲକ୍ ଅଧ୍ୟକ୍ଷା ପିଙ୍କି କହଁର ମଞ୍ଚ ଉପରକୁ ଚଢି ବିଡିଓଙ୍କୁ ଗାଳିଗୁଲଜ କରିବା ସହ ଜନ ପ୍ରତିନିଧିଙ୍କୁ ଗୁରୁତ୍ବ ଦିଆଯାଇ ନଥିବା କହି ସେଠାରେ ଥିବା ପୋଡିୟମକୁ ତଳକୁ ଫିଙ୍ଗି ଦେଇଥିଲେ। ଏହି ସମୟରେ ଜିଲା ପରିଷଦ ସଭ୍ୟ ଜିରିମୟ ସୁନାମାଝୀ ଓ ଅନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ହଟ୍ଟଗୋଳ ଯୋଗୁଁ ପରେଡ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ମଞ୍ଚ ଉପରେ ଥିବା ଅତିଥିମାନେ ତଳକୁ ଓଲ୍ଲାଇ ଆସିଥିଲେ। ମଞ୍ଚରେ ଉପସ୍ଥିତ ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟମାନଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ପୁଣି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିବାଦ ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ସ୍ୱାଧୀନତା ଦିବସରେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।
ସୌଜନ୍ୟ ସମାଜ




