ପତାକା ଉତ୍ତୋଳନବେଳେ ରୋଚକ ପରିସ୍ଥିତି ; ଅଧା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା, ଅଧା ଟାଣିଲେ ବିଡିଓ

ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ ବେଳେ ଶାସକ ବିଜେପି ବିଧାୟକଙ୍କ ସମର୍ଥକ ଏବଂ ସାଂସଦଙ୍କ ସମର୍ଥକଙ୍କ ମଧ୍ୟରେ କଥା କଟାକଟି ଓ ଛକାପଞ୍ଝା ସାଙ୍ଗକୁ ପୁଲିସ ଉପସ୍ଥିତି ଉପୁଜିଛି। ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁମାରୀ ଦାସ ଅଧା ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଅଧା ଫିଟା ପତାକାକୁ ଉତ୍ତୋଳନ କରିବା ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି। ଏହା ଶାସକ ଦଳ ମଧ୍ୟରେ ରହିଥିବା କନ୍ଦଳକୁ ସ୍ପଷ୍ଟ କରିଛି। ଦୀର୍ଘ ଦୁଇ ବର୍ଷ ଧରି ଏଠାରେ ଖଲ୍ଲିକୋଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ବାଧୀନତା ଦିବସରେ ବ୍ଲକ ପରିସରରେ ପତାକା ଉତ୍ତୋଳନ କରି ଆସୁଥିଲେ। ତେବେ ଚଳିତ ବର୍ଷ ବିଧାୟକଙ୍କୁ ପତାକା ଉତ୍ତୋଳନରୁ ଦୂରେଇ ରଖିବା ପାଇଁ ସାଂସଦଙ୍କ ସମର୍ଥକ ଗୋଷ୍ଠୀ ଅଡ଼ି ବସିଥିଲେ। ତଦନୁଯାୟୀ ପ୍ରାକ୍ ପ୍ରସ୍ତୁତି ହୋଇଥିଲା। ଅନ୍ୟପକ୍ଷରେ ବିଡିଓ ଶ୍ରୀ ସେଠୀ କେନ୍ଦ୍ର ସରକାରଙ୍କ ଏକ ଚିଠି ସାମ୍ବାଦିକଙ୍କୁ ଦେଖାଇ ବ୍ଲକରେ କେବଳ ବିଡିଓ ପତାକା ଉତ୍ତୋଳନ କରିବା ପାଇଁ ନିର୍ଦେଶ ଥିବା ସୂଚନା ଦେଇଥିଲେ। ତେବେ ବ୍ଲକ ଅଧ୍ୟକ୍ଷା କୁମାରୀ ଦାସ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ଅଧା ରହିଥିବାବେଳେ ସଂପୂର୍ଣ୍ଣ ଫିଟି ନ ଥିବା ପତାକାକୁ ବିଡିଓ ଦେବାଶିଷ ସାମଲ ପୁନର୍ବାର ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଜେପିର ଉଭୟ ଗୋଷ୍ଠୀର ଆଗ ଧାଡିର ନେତା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଜେପି ନେତା ଓ ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ ଗଣମାଧ୍ୟମକୁ ସୂଚନା ଦେଇ ଜାତୀୟ ପତାକାକୁ ସାମ୍ବିଧାନିକ ଅଧିକାର ପାଇଥିବା ବ୍ଲକ ଅଧ୍ୟକ୍ଷା ହିଁ ଉତ୍ତୋଳନ କରିଥିବା କହିଥିଲେ। ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ ଏହାକୁ ଖଣ୍ଡନ କରି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଡ଼ିଓ ପତାକା ଉତ୍ତୋଳନ କରିବା ବ୍ୟବସ୍ଥା ରହିଛି। ତେଣୁ ବିଡିଓ ହିଁ ପତାକା ଉତ୍ତୋଳନ କରିଥିବା ଦାବି କରିଥିଲେ। ବିଡିଓ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ପତ୍ର ଅନୁଯାୟୀ ବିଡ଼ିଓ ପତାକା ଉତ୍ତୋଳନ କରିବେ ଏବଂ ତଦନୁଯାୟୀ ସେ ପତାକା ଉତ୍ତୋଳନ କରିଥିବା କହିଥିଲେ। ଖଲ୍ଲିକୋଟ ବିଧାୟକ ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସରକାରଙ୍କ ଚିଠି ଅନୁଯାୟୀ, କାର୍ଯ୍ୟକ୍ରମ ସମ୍ପାଦିତ ହେବା କଥା। କିଛି ଖଳ ପ୍ରକୃତିର ଲୋକ ବ୍ଲକ ଭିତରେ ଏସବୁ ଅଶୋଭନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମରେ ଏତଲା ହେବା କଥା ବୋଲି ବିଧାୟକ କହିଛନ୍ତି।
ସୌଜନ୍ୟ ସମାଜ




