ଦେଶ ବିଦେଶ

Supreme Court: ପରମାଣୁ ଦୁର୍ଘଟଣାରେ ନ୍ୟାୟସଙ୍ଗତ କ୍ଷତିପୂରଣ ଦେଇପାରିବେ କି କୋର୍ଟ?

ପରମାଣୁ ଦୁର୍ଘଟଣା ଘଟିଲେ ପୀଡ଼ିତଙ୍କୁ ‘ନ୍ୟାୟସଙ୍ଗତ ଓ ଉଚିତ’ କ୍ଷତିପୂରଣ ଦେବାରେ ସଂସଦ ନିର୍ଦ୍ଧାରଣ କରିଥିବା ଦାୟିତ୍ବ ସୀମା କୋର୍ଟଙ୍କ କ୍ଷମତାକୁ ରୋକିପାରିବ କି ନାହିଁ, ସେନେଇ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମ୍‌କୋର୍ଟ।

ନୂଆଦିଲ୍ଲୀ: ପରମାଣୁ ଦୁର୍ଘଟଣା ଘଟିଲେ ପୀଡ଼ିତଙ୍କୁ ‘ନ୍ୟାୟସଙ୍ଗତ ଓ ଉଚିତ’ କ୍ଷତିପୂରଣ ଦେବାରେ ସଂସଦ ନିର୍ଦ୍ଧାରଣ କରିଥିବା ଦାୟିତ୍ବ ସୀମା କୋର୍ଟଙ୍କ କ୍ଷମତାକୁ ରୋକିପାରିବ କି ନାହିଁ, ସେନେଇ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମ୍‌କୋର୍ଟ। ସୋମବାର ପ୍ରଧାନ ବିଚାରପତି (ସିଜେଆଇ) ସୁର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନୋଟିସ୍‌ ଜାରି କରିଛନ୍ତି।

ଏହି ମାମଲା ୨୦୨୫ର ‘ସଷ୍ଟେନେବଲ୍‌ ହାର୍ଣ୍ଣେସିଂ ଆଣ୍ଡ ଆଡ୍‌ଭାନ୍ସମେଣ୍ଟ ଅଫ୍‌ ନ୍ୟୁକ୍ଲିୟର ଏନର୍ଜି ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ’ (ଶାନ୍ତି) ଆଇନର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ସହ ଜଡ଼ିତ। ପୂର୍ବତନ ଅମଲା ଇଏଏସ୍‌ ଶର୍ମାଙ୍କ ନେତୃତ୍ବରେ କିଛି ପ୍ରଫେସର ଓ ବୈଜ୍ଞାନିକ ଏହି ଆବେଦନ କରିଛନ୍ତି। ଆବେଦନକାରୀମାନେ ଦାବି କରିଛନ୍ତି ଯେ ଏହି ଆଇନ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅଧୀନରେ ଥିବା ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ନେହା ରାଠୀ ଯୁକ୍ତି ରଖିଥିଲେ। ଭୂଷଣ କହିଥିଲେ, ଶାନ୍ତି ଆଇନ ପରମାଣୁ ଦୁର୍ଘଟଣା ଘଟିଲେ ପ୍ଲାଣ୍ଟ ଚଳାଉଥିବା କମ୍ପାନିର ଦାୟିତ୍ବକୁ ସୀମିତ କରିଛି। ସବୁଠାରୁ ବଡ଼ ପ୍ଲାଣ୍ଟ ପାଇଁ ଅପରେଟରଙ୍କ ଦାୟିତ୍ବ ସର୍ବାଧିକ ୩,୦୦୦ କୋଟି ଟଙ୍କାରେ ସୀମିତ ଥିବା ସେ ଦର୍ଶାଇଥିଲେ। ଚେର୍ଣ୍ଣୋବିଲ୍‌ ଓ ଫୁକୁସିମା ଭଳି ପରମାଣୁ ଦୁର୍ଘଟଣାର କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ସେ ଯୁକ୍ତି ଦେଇଥିଲେ।

ଏହାର ଜବାବରେ ସିଜେଆଇ ସୁର୍ଯ୍ୟକାନ୍ତ କହିଥିଲେ, ସଂସଦ ଅପରେଟରଙ୍କ ଦାୟିତ୍ବରେ ସୀମା ଧାର୍ଯ୍ୟ କରିଥିଲେ ମଧ୍ୟ ଏହା କୋର୍ଟଙ୍କୁ ନ୍ୟାୟସଙ୍ଗତ କ୍ଷତିପୂରଣ ଦେବାରୁ ବାରଣ କରେ ନାହିଁ। ଅପରେଟରଙ୍କ ଦାୟିତ୍ବ ସୀମିତ କରିବାର ଉଦ୍ଦେଶ୍ୟ ପରମାଣୁ କ୍ଷେତ୍ରରେ ନିବେଶ ଓ ପ୍ରକଳ୍ପକୁ ଉତ୍ସାହିତ କରିବା ବୋଲି କେନ୍ଦ୍ରର ଯୁକ୍ତି ଥିଲା। ଭୂଷଣ ଆଶଙ୍କା ପ୍ରକାଶ କରି କହିଥିଲେ, ଦାୟିତ୍ବ ସୀମିତ ଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରିବାକୁ ଅପରେଟରମାନେ ଉତ୍ସାହିତ ହୋଇପାରନ୍ତି। ମାମଲାରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ପରମାଣୁ ନିୟାମକ ସଂସ୍ଥାର ସ୍ବାଧୀନତା। ‘ଶାନ୍ତି’ ଆଇନର ଧାରା ୧୭(୪) ଅନୁଯାୟୀ ଆଟମିକ୍‌ ଏନର୍ଜି ରେଗୁଲେଟରି ବଡିର ସଦସ୍ୟ ନିଯୁକ୍ତି ପାଇଁ ଆଟମିକ୍‌ ଏନର୍ଜି କମିସନ୍‌ ଦ୍ବାରା ଗଠିତ ସର୍ଚ୍ଚ ଓ ସିଲେକ୍ସନ୍‌ ପ୍ୟାନେଲ୍‌ ସୁପାରିସ କରିବ।

ଭୂଷଣଙ୍କ ଯୁକ୍ତି ହେଉଛି, ଆଟମିକ୍‌ ଏନର୍ଜି କମିସନ୍‌ ନିଜେ ପରମାଣୁ ବିଦ୍ୟୁତ୍‌ କେନ୍ଦ୍ର ଚଳାଉଥିବାରୁ ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ବାର୍ଥ ସଂଘାତର ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ମଧ୍ୟ ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଜବାବ ମାଗିଛନ୍ତି। ସୂଚନାଯୋଗ୍ୟ, ‘ଶାନ୍ତି’ ଆଇନ ୨୦୧୦ର ପରମାଣୁ କ୍ଷତି ପାଇଁ ସିଭିଲ ଲାୟେବିଲିଟି ଆଇନକୁ ବଦଳାଇଛି। ଏହା ଅନୁଯାୟୀ, ଘରୋଇ କମ୍ପାନିଗୁଡ଼ିକୁ ପରମାଣୁ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନର ଅନୁମତି ମିଳିଛି ଏବଂ ଦୁର୍ଘଟଣା ଘଟିଲେ ଅପରେଟରଙ୍କ ଦାୟିତ୍ବ ୩,୦୦୦ କୋଟି ଟଙ୍କାରେ ସୀମିତ କରାଯାଇଛି। ଏହି ଆଇନକୁ ନେଇ ମେ ୧୯ରେ ମଧ୍ୟ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଅର୍ଥନୈତିକ ନୀତି ସହ ଜଡ଼ିତ। ଏବେ କୋର୍ଟଙ୍କ ନୋଟିସ୍‌ ପରେ କେନ୍ଦ୍ରର ସ୍ପଷ୍ଟୀକରଣ ଉପରେ ମାମଲାର ପରବର୍ତ୍ତୀ ଶୁଣାଣିର ଦିଗ ନିର୍ଭର କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button