Annamalai: ବିଜେପି ଛାଡ଼ିବାର କାରଣ କହିଲେ ଆନ୍ନାମଲାଇ: ଦିଲ୍ଲୀରୁ ତାମିଲନାଡ଼ୁର ନିଷ୍ପତ୍ତି ନେବା ଠିକ୍ ନୁହେଁ
ବିଜେପି ଛାଡ଼ିବାର କାରଣ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦଳର ପୂର୍ବତନ ତାମିଲନାଡ଼ୁ ସଭାପତି କେ. ଆନ୍ନାମଲାଇ। ସୋମବାର ଚେନ୍ନାଇରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ ରାଉଣ୍ଡଟେବୁଲ୍ ତାମିଲନାଡ଼ୁ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବିଜେପିର ନିଷ୍ପତ୍ତି ନେବା ପ୍ରକ୍ରିୟା ଅତ୍ୟଧିକ ଦିଲ୍ଲୀକୈନ୍ଦ୍ରିକ ହୋଇପଡ଼ିଥିଲା।

ଚେନ୍ନାଇ: ବିଜେପି ଛାଡ଼ିବାର କାରଣ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦଳର ପୂର୍ବତନ ତାମିଲନାଡ଼ୁସଭାପତି କେ. ଆନ୍ନାମଲାଇ। ସୋମବାର ଚେନ୍ନାଇରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ ରାଉଣ୍ଡଟେବୁଲ୍ ତାମିଲନାଡ଼ୁ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବିଜେପିର ନିଷ୍ପତ୍ତି ନେବା ପ୍ରକ୍ରିୟା ଅତ୍ୟଧିକ ଦିଲ୍ଲୀକୈନ୍ଦ୍ରିକ ହୋଇପଡ଼ିଥିଲା। ରାଜ୍ୟ ନେତାମାନଙ୍କୁ ପର୍ଯ୍ୟାପ୍ତ ସ୍ୱାଧୀନତା ନ ମିଳିବା ଏବଂ ତାମିଲନାଡ଼ୁର ରାଜନୈତିକ ଆବଶ୍ୟକତାକୁ ଦିଲ୍ଲୀରୁ ବୁଝିବା ପ୍ରୟାସ ତାଙ୍କ ଅସନ୍ତୋଷର ମୁଖ୍ୟ କାରଣ ଥିଲା।
୨୦୨୦ ଅଗଷ୍ଟରେ ବିଜେପିରେ ଯୋଗ ଦେଇଥିବା ଆନ୍ନାମଲାଇ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ତାମିଲନାଡ଼ୁ ବିଜେପିର ନେତୃତ୍ୱ ନେଇଥିଲେ। ଦଳକୁ ତାମିଲନାଡ଼ୁରେ ସ୍ୱତନ୍ତ୍ର ଭାବେ ବିସ୍ତାର କରିବା ପାଇଁ ସେ ଜୋରଦାର ଅଭିଯାନ ଚଳାଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ୧୭୦୦ କିମି ପଦଯାତ୍ରା କରି ରାଜ୍ୟର ସମସ୍ତ ୩୯ଟି ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ଏହା ପରେ ରାଜ୍ୟରେ ବିଜେପିର ଭୋଟ୍ ହାର ପ୍ରାୟ ୩ ପ୍ରତିଶତରୁ ବଢ଼ି ୧୧ ପ୍ରତିଶତରୁ ଅଧିକ ହୋଇଥିଲା। ଆନ୍ନାମଲାଇ କହିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍କେ ସହ ମେଣ୍ଟ କରିବାକୁ ସେ ବିରୋଧ କରିଥିଲେ। ତଥାପି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏହି ମେଣ୍ଟକୁ ଆଗକୁ ନେଇଥିଲା। ଏହା ପରେ ୨୦୨୬ ନିର୍ବାଚନରେ ବିଜେପିର ଭୋଟ୍ ହାର ୨.୯ ପ୍ରତିଶତକୁ ଖସିଲା, ଯାହା ୨୦୨୧ର ଭୋଟ୍ ହାର ସହ ପ୍ରାୟ ସମାନ।
ସେ କହିଛନ୍ତି ଯେ, ୨୦୨୫ ଅକ୍ଟୋବର-ନଭେମ୍ବରରେ ହିଁ ସେ ଦଳ ଛାଡ଼ିବାକୁ ନିଜ ଇଚ୍ଛା ଜଣାଇଥିଲେ। ହେଲେ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦଳରେ ରହିବାକୁ ତାଙ୍କୁ କୁହାଯାଇଥିଲା। ମେ’ରେ ନିର୍ବାଚନ ଶେଷ ହେବା ପରେ ସେ ପୁଣି ଦଳୀୟ ନେତୃତ୍ୱ ସହ ଆଲୋଚନା କରିଥିଲେ ଏବଂ ସାର୍ବଜନୀନ ଭାବେ ବିବାଦ ସୃଷ୍ଟି ନ କରି ସମ୍ମାନଜନକ ଭାବେ ବାହାରିବାକୁ ଚାହିଥିଲେ। ଶେଷରେ ଜୁନ୍ରେ ସେ ବିଜେପି ଛାଡ଼ି ‘ୱି ଦି ଲିଡର୍ସ’ ନାମରେ ଏକ ତୃଣମୂଳସ୍ତରୀୟ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ସୌଜନ୍ୟ ସମ୍ବାଦ




