ଜାତୀୟ

Electricity Storage Cement: ଘରର କାନ୍ଥରେ ହିଁ ଷ୍ଟୋର୍ ହେବ ବିଦ୍ୟୁତ୍! ଚୀନରେ ପ୍ରସ୍ତୁତ ହେଲା ନୂଆ ସିମେଣ୍ଟ ଟେକ୍ନୋଲୋଜି

ବେଜିଂ,୦୫/୧୦: ଆଜି ପର୍ଯ୍ୟନ୍ତ ଆପଣ ବ୍ୟାଟେରୀରେ ବିଦ୍ୟୁତ୍ ଷ୍ଟୋର୍ ହେବା କଥା ଶୁଣିଥିବେ। କିନ୍ତୁ ଭବିଷ୍ୟତରେ ଘରର କାନ୍ଥ, ଛାତ କିମ୍ବା ଅନ୍ୟ କଂକ୍ରିଟ୍ ଅଂଶ ମଧ୍ୟ ବିଦ୍ୟୁତ୍ ସଂରକ୍ଷଣ କରିପାରିବ, ଏକଥା ସ୍ବପ୍ନରେ ବି ହୁଏତ କେହି ଭାବିନଥିବେ। ଚୀନର ହାର୍ବିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଗବେଷକମାନେ ଏଭଳି ଏକ ସିମେଣ୍ଟ ଆଧାରିତ ସୁପରକ୍ୟାପାସିଟର୍ ବିକଶିତ କରିଛନ୍ତି। ଏହି ଟେକ୍ନୋଲୋଜିର ବିଶେଷତ୍ବ ହେଉଛି, ଏହା କଂକ୍ରିଟକୁ ମଜବୁତ ରଖିବା ସହିତ ଏହା ମଧ୍ୟରେ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ କରିବାର ସୁଯୋଗ ଦେଇପାରେ। ଏହାକୁ ଥ୍ରୀଡି (3D) ପ୍ରିଣ୍ଟିଂ ମାଧ୍ୟମରେ ମଧ୍ୟ ତିଆରି କରାଯାଇପାରୁଛି। ବଡ଼ ପରିମାଣରେ ଏହି ପ୍ରଯୁକ୍ତି ବ୍ୟବହାର ହେଲେ ଭବିଷ୍ୟତରେ ବ୍ୟାଟେରୀ ଉପରେ ନିର୍ଭରଶୀଳତା କମିପାରେ।

କିପରି ବିଦ୍ୟୁତ୍ ଷ୍ଟୋର୍ କରିବ କଂକ୍ରିଟ୍?

ସୌର ପ୍ୟାନେଲ୍ କିମ୍ବା ପବନ ଟର୍ବାଇନରୁ ବିଦ୍ୟୁତ୍ ଉତ୍ପାଦନ କରିବା ସମ୍ଭବ। କିନ୍ତୁ ଉତ୍ପାଦିତ ଅତିରିକ୍ତ ବିଦ୍ୟୁତକୁ ପରେ ବ୍ୟବହାର କରିବା ପାଇଁ ଷ୍ଟୋର୍ କରିବା ଏକ ବଡ଼ ଚ୍ୟାଲେଞ୍ଜ। ସାଧାରଣତଃ ଏଥିପାଇଁ ବ୍ୟାଟେରୀ ଆବଶ୍ୟକ ହୁଏ। ଗବେଷକମାନେ ଏହାର ବିକଳ୍ପ ଭାବେ ସୁପରକ୍ୟାପାସିଟର୍ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି। ସୁପରକ୍ୟାପାସିଟର୍ ପାରମ୍ପରିକ ବ୍ୟାଟେରୀ ଭଳି ଧୀର ରାସାୟନିକ ପ୍ରକ୍ରିୟା ଉପରେ ନିର୍ଭର ନକରି ଅପେକ୍ଷାକୃତ ଦ୍ରୁତ ଭାବରେ ଶକ୍ତି ସଂରକ୍ଷଣ ଓ ମୁକ୍ତ କରିପାରେ। ଏହି ଟେକ୍ନୋଲୋଜିକୁ ଭବିଷ୍ୟତରେ ଘରର ଭିତ୍ତିଭୁମୀ, କାନ୍ଥ, ସିଢ଼ି କିମ୍ବା କଂକ୍ରିଟ୍ ସ୍ଲାବରେ ବ୍ୟବହାର କରାଯାଇପାରେ। ଅର୍ଥାତ୍ ଦିନବେଳେ ସୋଲାର ପ୍ୟାନେଲରୁ ମିଳୁଥିବା ଅତିରିକ୍ତ ବିଦ୍ୟୁତ୍ ଘରର କଂକ୍ରିଟ୍ ଅଂଶରେ ଷ୍ଟୋର୍ ହୋଇପାରିବ ଏବଂ ଆବଶ୍ୟକତା ସମୟରେ ଏହାକୁ ବ୍ୟବହାର କରାଯାଇପାରିବ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button