ଖେଳ

Asian Games: ସରିଲା ଏସିଆଡ୍…ପୂର୍ବ ସଂସ୍କରଣ ଠାରୁ କମିଲା ଭାରତର ୭ ସ୍ୱର୍ଣ୍ଣ, କବାଡ଼ି, କ୍ରିକେଟ୍‌ ଓ ହକିରେ କ୍ଲିନ୍‌ ସୁଇପ୍

ନୂଆଦିଲ୍ଲୀ,୦୫/୧୦; ଜାପାନର ଆଇଚି ଓ ନାଗୋୟାରେ ଆୟୋଜିତ ୨୦ତମ ଏସିଆଡ୍ ଉଦଯାପିତ ହୋଇଯାଇଛି । ଚୀନ ସର୍ବାଧିକ ୧୬୯ ସ୍ୱର୍ଣ୍ଣ ସହ ମୋଟ୍ ୩୪୧ଟି ପଦକ ଜିତି ଚାମ୍ପିଅନ ହୋଇଛି । ଜାପାନ (୮୩ ସ୍ୱର୍ଣ୍ଣ ସହ ମୋଟ ୨୬୯ ପଦକ) ଦ୍ୱିତୀୟ, ଦକ୍ଷିଣ କୋରିଆ (୩୯ ସ୍ୱର୍ଣ୍ଣ ସହ ମୋଟ ୧୫୦ ପଦକ) ତୃତୀୟ ଏବଂ ଭାରତ ଚତୁର୍ଥ (୨୧ ସ୍ୱର୍ଣ୍ଣ ସହ ମୋଟ ୮୫ ପଦକ) ସ୍ଥାନରେ ରହିଛି । କ୍ରୀଡ଼ା ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ଆଜି ନାଗୋୟାର ପାଲୋମା ମିଜୁହୋ ଷ୍ଟାଡିୟମରେ ଆୟୋଜିତ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବରେ ଅଲିମ୍ପିକ୍ସ କାଉନସିଲ ଏସିଆର ସଭାପତି ଜୋଆନ ବିନ ହାମଦ ଅଲ ଥାନି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉଦଯାପନୀର ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମ ଓ ଆତସବାଜି ବେଶ ଆକର୍ଷଣୀୟ ରହିଥିଲା । ଭାରତୀୟ ଦଳର ନେତୃତ୍ୱ ନେଇ ନୀରୁ ଧଣ୍ଡା ତ୍ରିରଙ୍ଗା ଧାରଣ କରିଥିଲେ । ଶେଷରେ ୨୦୩୦ କ୍ରୀଡ଼ା ଆୟୋଜକ ଦୋହାକୁ ଏସିଆଡ୍ ପତାକା ଓ ମଶାଲ୍ ପ୍ରଦାନ କରାଯାଇଥିଲା ।

ଚୀନର ପଦକ କମିଛି ପୂର୍ବ ସଂସ୍କରଣ ହାଙ୍ଗଝୌରେ ଆୟୋଜିତ ହୋଇଥିଲା । ଆୟୋଜକ ଚୀନ ସର୍ବାଧିକ ୨୦୧ ସ୍ୱର୍ଣ୍ଣ, ୧୧୧ ରୌପ୍ୟ ଓ ୭୧ଟି ବ୍ରୋଞ୍ଜ ସହ ମୋଟ୍ ୩୮୩ଟି ପଦକ ଜିତିବାରେ ସଫଳ ହୋଇଥିଲା । ଏଥର କିନ୍ତୁ ଦଳର ପଦକ ସଂଖ୍ୟା ହ୍ରାସ ପାଇଛି । ଚୀନ ଚାମ୍ପିଅନ ହୋଇଥିଲେ ବି ଜିତିଛି ୧୬୯ ସ୍ୱର୍ଣ୍ଣ, ୮୯ ରୌପ୍ୟ ଓ ୮୩ ବ୍ରୋଞ୍ଜ ସହ ମୋଟ୍ ୩୪୧ଟି ପଦକ ।

ପଦକ କମିଛି, ମାନ୍ୟତା ସ୍ଥିର ଏଥର ଭାରତର ପଦକ କମିଛି ସତ କିନ୍ତୁ ପଦକ ତାଲିକାରେ ମାନ୍ୟତା ସ୍ଥିର ରହିଛି । ୨୦୨୨ ସଂସ୍କରଣରେ ଭାରତ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ସହ ମୋଟ୍ ୧୦୬ଟି ପଦକ ଜିତିଥିଲା । କିନ୍ତୁ ଏଥର ୨୧ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ସହ ମୋଟ୍ ୮୫ଟି ପଦକ ଜିତିଛି । ପୂର୍ବ ଥର ମଧ୍ୟ ପଦକ ତାଲିକାରେ ଚତୁର୍ଥ ଏବଂ ଏଥର ମଧ୍ୟ ସେହି ସ୍ଥାନ ବଜାୟ ରଖିଛି । ବିଶେଷ କରି ଏଥର ଆଥଲେଟିକ୍ସ ଓ ସୁଟିଂରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଲା । ପୂର୍ବଥର ଆଥଲେଟିକ୍ସରେ ୨୯ଟି ପଦକ (୬ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୯ଟି ବ୍ରୋଞ୍ଜ) ମିଳିଥିଲା । ଏଥର ୨୪ଟି ପଦକ (୧ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ) ମିଳିଛି । ସେମିତି ସୁଟିଂରେ ୨୨ଟି ପଦକ (୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୬ଟି ବ୍ରୋଞ୍ଜ ) ମିଳିଥିଲା । ଏଥର ମାତ୍ର ୧୫ଟି ପଦକ (୩ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୪ଟି ବ୍ରୋଞ୍ଜ) ମିଳିଛି । ହକି, କ୍ରିକେଟ୍ ଏବଂ କବାଡ଼ିରେ ଭାରତୀୟ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାମ୍ପିଅନ ହେବାରେ ସଫଳ ହୋଇଥିଲା । ଯଦିଓ ପୂର୍ବଥର କ୍ରିକେଟ୍ ଓ କବାଡ଼ିର ଉଭୟ ବର୍ଗରେ ସ୍ୱର୍ଣ୍ଣ ମିଳିଥିଲା । କିନ୍ତୁ ହକିରେ ଭାରତୀୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ଏସିଆଡ୍ର ଗୋଟିଏ ସଂସ୍କରଣରେ ଚାମ୍ପିଅନ ହେବାର ଗୌରବ ଲାଭ କରିଛନ୍ତି । କେବଳ ଚାମ୍ପିଅନ ହୋଇ ନାହାନ୍ତି, ୨୦୨୮ ଅଲିମ୍ପିକ୍ସକୁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button