Pakistan: ପାକିସ୍ତାନରେ ଠକେଇକାରୀ କଲ୍ ସେଣ୍ଟର ଉପରେ ଚଢ଼ଉ: ୪୦ ଚୀନ୍ ନାଗରିକଙ୍କ ସମେତ ୨୫୮ ବିଦେଶୀ ଅଟକ
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଲୋକଙ୍କୁ ଠକୁଥିବା କଲ୍ ସେଣ୍ଟର ଉପରେ ଚଢ଼ଉ କରି ୪୦ ଜଣ ଚୀନ୍ ନାଗରିକଙ୍କ ସମେତ ୨୫୮ ଜଣ ବିଦେଶୀଙ୍କୁ ଅଟକ ରଖିଛନ୍ତି ପାକିସ୍ତାନୀ କର୍ତ୍ତୃପକ୍ଷ

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଲୋକଙ୍କୁ ଠକୁଥିବା କଲ୍ ସେଣ୍ଟର ଉପରେ ଚଢ଼ଉ କରି ୪୦ ଜଣ ଚୀନ୍ ନାଗରିକଙ୍କ ସମେତ ୨୫୮ ଜଣ ବିଦେଶୀଙ୍କୁ ଅଟକ ରଖିଛନ୍ତି ପାକିସ୍ତାନୀ କର୍ତ୍ତୃପକ୍ଷ। ସୋମବାର ପାକିସ୍ତାନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଏହି ଚଢ଼ଉ କରାଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ଇସଲାମାବାଦ ସହରର ଉପକଣ୍ଠରେ ଥିବା ଗୁଲବର୍ଗ ଗ୍ରୀନ୍ ଆବାସିକ ଅଞ୍ଚଳରେ ଏହି କଲ୍ ସେଣ୍ଟର ଚାଲିଥିବା ଅଭିଯୋଗ ରହିଛି। ଅଟକ ଥିବା ବିଦେଶୀମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗର ବିସ୍ତୃତ ତଥ୍ୟ ତଦନ୍ତ ଶେଷ ହେବା ପରେ ପ୍ରକାଶ କରାଯିବ ବୋଲି ଅଧିକାରୀ କହିଛନ୍ତି। ଅଟକ ଥିବା ୨୫୮ ଜଣଙ୍କ ମଧ୍ୟରେ ୧୭୦ ଜଣ ଭିଏତନାମର ନାଗରିକ। ଏହା ବ୍ୟତୀତ ଚୀନ୍, ମାଲେସିଆ ଓ ଅନ୍ୟ କେତେକ ଏସୀୟ ଦେଶର ନାଗରିକ ମଧ୍ୟ ଅଛନ୍ତି। ସମସ୍ତଙ୍କୁ ରାୱଲପିଣ୍ଡିର ଏକ ଜେଲ୍ରେ ରଖାଯାଇଛି।
ଅଟକ ବିଦେଶୀଙ୍କ ସମ୍ପୃକ୍ତ ଦେଶର ଦୂତାବାସକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଅଧିକାରୀଙ୍କ କହିବା ଅନୁସାରେ, ଅଟକ ଥିବା ବିଦେଶୀମାନେ ପର୍ଯ୍ୟଟକ ଭିସାରେ ପାକିସ୍ତାନ ଆସିଥିଲେ। ସେମାନଙ୍କୁ ଏଠାରେ ଏଭଳି କାର୍ଯ୍ୟ କରିବାର ଅନୁମତି ନ ଥିଲା। ମାମଲାର ତଦନ୍ତ ଚାଲିଥିବାରୁ ଆଗାମୀ ଦିନଗୁଡ଼ିକରେ ଅଟକ ବ୍ୟକ୍ତିମାନଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ବିଦେଶୀଙ୍କୁ ନିଜ ଦେଶକୁ ପଠାଇ ଦିଆଯାଇପାରେ ବୋଲି ଅଧିକାରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




