IND VS WI: ସିରାଜ ଫେରିବେ କି ନା ଜୈସ୍ୱାଲଙ୍କୁ ମିଳିବ ଚାନ୍ସ ? ଇଣ୍ଡିଆର ଟାର୍ଗେଟ୍ ମୂଳପୋଛ, ସମ୍ମାନ ପାଇଁ ଲଢିବ ଇଣ୍ଡିଜ୍

ନୂଆଦିଲ୍ଲୀ,୦୩/୧୦; ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ । ନ୍ୟୁ ଚଣ୍ଡୀଗଡ଼ର ପିସିଏ ଷ୍ଟାଡ଼ିୟମ୍ ପ୍ରଥମ କରି ଦିନିକିଆ ମ୍ୟାଚ ଆୟୋଜନ କରିବ । ୨-୦ରେ ସିରିଜ କବଜା କରି ସାରିଥିବା ଭାରତୀୟ ଦଳ ଆଉ ଏକ ବିଜୟ ସହ ସିରିଜ ମୂଳପୋଛ ପାଇଁ ପ୍ରୟାସ କରିବ । ୱେଷ୍ଟ ଇଣ୍ଡିଜ ଦଳ ମଧ୍ୟ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି । ଏସବୁ ମଧ୍ୟରେ ଉଭୟ ଦଳ ଲୟ ହରାଇ ବସିଥିବା ବୋଲିଂ ବିଭାଗକୁ ସୁଧାରିବା ଉପରେ ଗୁରୁତ୍ୱ ଦେବେ । ୨ଟି ମ୍ୟାଚରେ ୱେଷ୍ଟ ଇଣ୍ଡିଜର ବୋଲିଂ ବାହିନୀ ୭୦୬ ରନ ପ୍ରଦାନ କରିବା ସହ ଭାରତର ମାତ୍ର ୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଭାରତୀୟ ବୋଲିଂ ବାହିନୀ ମଧ୍ୟ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିରେ ଶକ୍ତିହୀନ ମନେ ହେଉଛି । ଆସନ୍ତା ବର୍ଷ ବିଶ୍ୱକପ୍ ରହିଥିବାରୁ ଏବେଠୁ ଭାରତୀୟ ଦଳକୁ ବୋଲିଂ ବିଭାଗ ଉପରେ କାର୍ଯ୍ୟ କରିବାକୁ ହେବ । ଭାରତୀୟ ଦଳ ଆଜି ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ପ୍ରଥମ ୨ଟି ମ୍ୟାଚ ଖେଳି ନଥିବା ମହମ୍ମଦ ସିରାଜ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରସିଦ୍ଧ କ୍ରିଷ୍ଣା ଦ୍ୱିତୀୟ ମ୍ୟାଚରେ ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି । ଅବଶ୍ୟ ତାଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜ ଦଳରେ ଯୋଗ ଦେଇ ଅଭ୍ୟାସ କରିଛନ୍ତି । ତଥାପି ସିରାଜଙ୍କୁ ଅଗ୍ରାଧିକାର ମିଳିବା ଆଶା କରାଯାଉଛି । ବ୍ୟାଟିଂ ବିଭାଗରେ ଅଦଳ ବଦଳ କରିବାକୁ ଟିମ ମ୍ୟାନେଜମେଣ୍ଟ ଚାହୁଁ ନାହିଁ । ଯାହା ଫଳରେ ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।
ସୌଜନ୍ୟ ପ୍ରମେୟ




