ପ୍ୟାରିସ:ସ୍କୁଲଗୁଡ଼ିକର ଅବସ୍ଥା ଏବଂ ଶିକ୍ଷା ପାଇଁ ପାଣ୍ଠି ଅଭାବକୁ ନେଇ ଫ୍ରାନ୍ସରେ ପ୍ରତିବାଦ ଜାରି ରହିଥିବା ବେଳେ ବିଭିନ୍ନ ସହରରେ ହାଇସ୍କୁଲ ଛାତ୍ରଛାତ୍ରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ଦୁର୍ବଳ ସ୍କୁଲ ସୁବିଧା ଦାବି କରି ଫ୍ରାନ୍ସର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଛି। ଦେଶର ବିଭିନ୍ନ ସହରରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ନିଆଁ ଲଗାଇ ସୁରକ୍ଷା ବାହିନୀ ଉପରେ ପଥର ମାଡ଼ କରିବା ସହିତ ଅନ୍ୟାନ୍ୟ ଜିନିଷ ଫିଙ୍ଗିଛନ୍ତି। ଶିକ୍ଷକ ସଂଘଗୁଡ଼ିକ ମଧ୍ୟ ଧର୍ମଘଟ ଡାକରା ଦେଇଛନ୍ତି। ଏଭଳି ସ୍ଥିତି ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାରଙ୍କ ଉପରେ ଚାପ ବୃଦ୍ଧି କରୁଛି। ପୂର୍ବ ସହର ଷ୍ଟ୍ରାସବର୍ଗର ରାସ୍ତାରେ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଛି। ଦେଶର ଦକ୍ଷିଣରେ ଥିବା ମାର୍ସିଲ ସହରରେ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି। ପଶ୍ଚିମ ରେନେସରେ ଅଳିଆ ଡବାରେ ନିଆଁ ଲଗାଇବାର ଘଟଣା ରିପୋର୍ଟ ହୋଇଛି।
୪୦୦ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ
ପ୍ୟାରିସର ଉପକଣ୍ଠରେ ଥିବା ପାଣ୍ଟିନରେ ପ୍ରଦର୍ଶନକାରୀମାନେ ବାଡ଼ ସମେତ ଜିନିଷପତ୍ର ପୋଡ଼ିବା ସହ ପୁଲିସ ଉପରେ ଆକ୍ରମଣ କରାଯାଇଛି। ନ୍ୟାୟ ମନ୍ତ୍ରୀ ଜେରାଲ୍ଡ ଡାର୍ମାନିନ ପ୍ରଦର୍ଶନରେ ବାହ୍ୟ ହସ୍ତକ୍ଷେପ ଥିବା ଅଭିଯୋଗ କରିଛନ୍ତି। ସରକାର ଛାତ୍ରଛାତ୍ରୀମାନଙ୍କର ଅଭିଯୋଗ ପ୍ରକାଶ କରିବାର ଅଧିକାରକୁ ସମର୍ଥନ କରିଛନ୍ତି, କିନ୍ତୁ ପୁଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ଏବଂ ବର୍ବର ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ୩,୭୦୦ ହାଇସ୍କୁଲ ମଧ୍ୟରୁ ଅତି କମରେ ୭୩୫ରେ ଶିକ୍ଷାଦାନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ୪୦୦ ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିଛି। ସେପ୍ଟେମ୍ବର ମାସରେ ପ୍ୟାରିସରେ ଆରମ୍ଭ ହୋଇଥିବା ପ୍ରତିବାଦ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିଛି। ବରିଷ୍ଠ ଛାତ୍ରଛାତ୍ରୀମାନେ ସ୍କୁଲ କ୍ୟାମ୍ପସର ପ୍ରବେଶ ପଥଗୁଡ଼ିକୁ ଅବରୋଧ କରି ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।
ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ସେମାନଙ୍କର ପାଠପଢ଼ା ସମୟ ଅତ୍ୟଧିକ ଲମ୍ବା ଏବଂ ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧାର ଅଭାବ ଅଛି। ଅତ୍ୟଧିକ ଗରମ ଶ୍ରେଣୀଗୃହ, ଶିକ୍ଷକଙ୍କ ବାରମ୍ବାର ଅନୁପସ୍ଥିତି ଏବଂ ପାଠ୍ୟ ସାମଗ୍ରୀର ଅଭାବ ଯୋଗୁଁ ସେମାନେ ସମସ୍ୟାରେ ପଡୁଛନ୍ତି। କେନ୍ଦ୍ରୀୟ ପ୍ୟାରିସର ଟର୍ଗୋଟ୍ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଅନୁସାରେ ସ୍କୁଲରେ ବର୍ଷସାରା କୌଣସି ବିଜ୍ଞାନ ଶିକ୍ଷକ ନାହାନ୍ତି ଏବଂ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ ନାହିଁ। ସହରତଳି ସ୍କୁଲଗୁଡ଼ିକର ପରିସ୍ଥିତି ଆହୁରି ଖରାପ ରହିଛି। ଗୃହମନ୍ତ୍ରୀ ଲରେଣ୍ଟ ନୁନ୍ସ ହିଂସାକୁ ନିନ୍ଦା କରିଛନ୍ତି। ପ୍ୟାରିସର ଦୁଇଟି ହାଇସ୍କୁଲର ମୁଖ୍ୟ ଫାଟକରେ ନିଆଁ ଲଗାଇ ଦିଆଯାଇଛି। ଟୁଲୁସରେ, ଛାତ୍ରଛାତ୍ରୀମାନେ ଲୁହ ଗ୍ୟାସ୍ର ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ଆଖି ଡ୍ରପ୍ ପ୍ରୟୋଗ କରୁଥିବାର ଦେଖାଯାଇଛି। ଛାତ୍ରଛାତ୍ରୀମାନେ ପୁଲିସ ପକ୍ଷରୁ ଅତ୍ୟଧିକ ବଳ ପ୍ରୟୋଗ କରାଯାଇଥିବବା ଏବଂ ନିଷ୍ଠୁରତାର ଅଭିଯୋଗ ମଧ୍ୟ କରିଛନ୍ତି। ତିନୋଟି ମାମଲାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଶିକ୍ଷା ମନ୍ତ୍ରୀ ଏଡୋଆର୍ଡ ଜେଫ୍ରି ଗଭୀର ଚିନ୍ତା ପ୍ରକାଶ କରି କହିଛନ୍ତି, ଛାତ୍ର ଆନ୍ଦୋଳନକୁ ହିଂସାତ୍ମକ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରଣ କରୁଛନ୍ତି। ସେ କହିଛନ୍ତି ଯେ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ, ୪୦ ଜଣ ପ୍ରଧାନଶିକ୍ଷକଙ୍କ ସମେତ ୬୫ ଜଣ ସ୍କୁଲ କର୍ମଚାରୀ ଏବଂ ପ୍ରାୟ ୧୭୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି, ଯେତେବେଳେ ୧୦୦ ରୁ ଅଧିକ ସ୍କୁଲ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ୧,୭୪୭ ଜଣଙ୍କୁ ଗିରଫ କରାଯାଇଛି। ସେ ଅଭିଭାବକଙ୍କୁ ଏକ ଭାବପ୍ରବଣ ନିବେଦନ କରି ନିଜ ପିଲାମାନଙ୍କୁ ରାସ୍ତାକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ନ୍ୟାୟ ମନ୍ତ୍ରୀ ଜେରାଲ୍ଡ ଡାର୍ମାନିନ ସ୍ପଷ୍ଟ କରିଛନ୍ତି ଯେ ପ୍ରତିବାଦ ସମୟରେ ନାବାଳକମାନଙ୍କ ଦ୍ୱାରା ହୋଇଥିବା ସମ୍ପତ୍ତି କ୍ଷତି ପାଇଁ ପିତାମାତା ଦାୟୀ ରହିବେ ଏବଂ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରାଯିବ। ସେ କହିଛନ୍ତି ଯେ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ପ୍ରାୟ ୨,୦୦୦ ଲୋକଙ୍କୁ ଅଟକ ରଖାଯାଇଛି, ଯାହାଙ୍କ ମଧ୍ୟରୁ ୯୦ ପ୍ରତିଶତ ନାବାଳକ। ପ୍ରାୟ ଛଅ ମାସ ପରେ ହେବାକୁ ଥିବା ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଆନ୍ଦୋଳନ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି।
ସୌଜନ୍ୟ ସମ୍ବାଦ