Hotel Fire: ଗଳି ରାସ୍ତା, ଡୋର୍ ବନ୍ଦ ହେଲା କାଳ.. ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ଜଣେ ଶିଶୁଙ୍କ ସମେତ ୯ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୧୯/୦୮; ଚିକିତ୍ସା ପାଇଁ ଆସିଥିଲେ । ଭଲ ହୋଇ ଘରକୁ ଫେରିଥାନ୍ତେ ବୋଲି କେତେ ଆଶା ନେଇ ଆସିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ରାତିରେ ଶୋଇଥିଲେ ସକାଳ ନହେଉଣୁ ଜଳିଗଲା ଅନେକ ଜୀବନ । ସକାଳୁ ସକାଳୁ ଏକ ବଡ଼ ଅଘଟଣ ଘଟିଛି । ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜୀବନ୍ତ ଜଳିଯାଇଛନ୍ତି ୯ ଜଣ । କୋଲକାତାର ନ୍ୟୁ ମାର୍କେଟ୍ ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫ୍ରି ସ୍କୁଲ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି । ଏକାଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ବାଂଲାଦେଶୀ ହୋଇଥିବା ସୂଚନା ମିଳିଛି । ସେମାନେ ଚିକିତ୍ସା ପାଇଁ କୋଲକାତା ଆସିଥିଲେ । ଶୋଇଥିବାବେଳେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଶ୍ୱାସରୁଦ୍ଧରୁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ସଂକୀର୍ଣ୍ଣ ରାସ୍ତା ଏବଂ ବନ୍ଦ ଦ୍ୱାର ରାସ୍ତା ଦୁର୍ଘଟଣାର କାରଣ ପାଲଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଗାଡ଼ି ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନ୍ୟୁ ମାର୍କେଟ ଥାନାର ପୁଲିସ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ । ଅଗ୍ନିଶମ ବାହିନୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ପ୍ରାୟ ରାତି ୨ଟା ୪୫ ସମୟରେ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ହୋଟେଲର ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିଲେ । ଧୂଆଁ-ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଲୋକମାନେ ଆତଙ୍କିତ ହୋଇଥିଲେ । ମଧ୍ୟରାତ୍ରି ହୋଇଥିବାରୁ, ଲୋକମାନେ ଅଘଟଣ ବିଷୟରେ ଜାଣିପାରିନଥିଲେ । ପୁଲିସର କହିବା ଅନୁସାରେ, କୋଠରୀ ଏବଂ କରିଡର ଦେଇ ବ୍ୟାପିଥିବା ଧୂଆଁ ନିଆଁ ଅପେକ୍ଷା ଅଧିକ ଘାତକ ହୋଇଥିଲା ।
ସୌଜନ୍ୟ ପ୍ରମେୟ




