ରାଜ୍ୟ

Medicines: ଫିଙ୍ଗିଦେଲେ ଲକ୍ଷଲକ୍ଷ ଟଙ୍କାର ଔଷଧ: ବ୍ୟବସ୍ଥାପନ ଓ ବର୍ଜ୍ୟନଷ୍ଟ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ

ଗୋଟିଏ ପଟେ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ପାଇଁ ଗରିବ ରୋଗୀ ଓ ସେମାନଙ୍କ ପରିବାର ହନ୍ତସନ୍ତ ହେଉଥିବାବେଳେ ଅନ୍ୟପଟେ ସରକାରୀ ଅର୍ଥରେ କିଣାଯାଇଥିବା ଲକ୍ଷଲକ୍ଷ ଟଙ୍କାର ଔଷଧ ଓ ଚିକିତ୍ସା ସାମଗ୍ରୀ ନଷ୍ଟ ହୋଇ ନଈରେ ଫିଙ୍ଗାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମନାକୁ ଆସିଛି।

ବାରିପଦା: ଗୋଟିଏ ପଟେ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ପାଇଁ ଗରିବ ରୋଗୀ ଓ ସେମାନଙ୍କ ପରିବାର ହନ୍ତସନ୍ତ ହେଉଥିବାବେଳେ ଅନ୍ୟପଟେ ସରକାରୀ ଅର୍ଥରେ କିଣାଯାଇଥିବା ଲକ୍ଷଲକ୍ଷ ଟଙ୍କାର ଔଷଧ ଓ ଚିକିତ୍ସା ସାମଗ୍ରୀ ନଷ୍ଟ ହୋଇ ନଈରେ ଫିଙ୍ଗାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମନାକୁ ଆସିଛି। ଘଟଣାଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଶ୍ନ ‌ଘେରକୁ ଟାଣିଛି। ସୂଚନା ଅନୁଯାୟୀ, କରୋନା ମହାମାରୀ ସମୟରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଔଷଧ, ଚିକିତ୍ସା ସାମଗ୍ରୀ ଓ ବିଭିନ୍ନ ଯନ୍ତ୍ରପାତି କିଣାଯାଇଥିଲା। ତେବେ ଏହାର ଏକ ଅଂଶ ରୋଗୀଙ୍କ ବ୍ୟବହାରରେ ନ ଆସି ଦୀର୍ଘଦିନ ଧରି ଗୋଦାମରେ ପଡ଼ି ରହିଥିଲା ବୋଲି ହସ୍ପିଟାଲର ଷ୍ଟୋର ଅଧିକାରୀ ରାଜେନ୍ଦ୍ରନାଥ ସିଂଙ୍କ ପକ୍ଷରୁ କୁହାଯାଇଛି। ଫଳରେ ଅନେକ ସାମଗ୍ରୀର ବ୍ୟବହାର ଅବଧି ଶେଷ ହୋଇଯାଇଥିଲା। ଏହି ସାମଗ୍ରୀକୁ ନିୟମ ଅନୁଯାୟୀ ନଷ୍ଟ କରିବା ପରିବର୍ତ୍ତେ ନଈରେ ଫିଙ୍ଗାଯାଉଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରା ଯିବା ପରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ଥିବା କଥା ସେମାନେ କହିଛନ୍ତି। ଅନ୍ୟପକ୍ଷରେ, ମିଆଦ ଶେଷ ହୋଇଥିବା ଔଷଧ ଓ ବାୟୋ-ମେଡିକାଲ୍ ବର୍ଜ୍ୟବସ୍ତୁର ସୁରକ୍ଷିତ ନଷ୍ଟ ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଥିବା ସତ୍ତ୍ୱେ ନଈରେ କାହିଁକି ଫିଙ୍ଗାଯାଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ପଚରାଯିବାରୁ ସମ୍ପୃକ୍ତ ଅଧିକାରୀ ‘ଭୁଲ ହୋଇଛି’ ବୋଲି ସ୍ୱୀକାର କରିଛନ୍ତି।

ଏହି କାର୍ଯ୍ୟ ଠିକା କର୍ମଚାରୀମାନେ କରିଥିବା ନେଇ ମଧ୍ୟ କୁହାଯାଇଛି। ତେବେ ନଷ୍ଟ ହୋଇଥିବା ଔଷଧ ଓ ଚିକିତ୍ସା ସାମଗ୍ରୀର ପରିମାଣ କେତେ? ସେଗୁଡ଼ିକର ପ୍ରକୃତ ମୂଲ୍ୟ କେତେ? ଷ୍ଟକ୍ ରେକର୍ଡରେ ଏହାର ହିସାବ ରହିଛି କି? କେବେ ସେଗୁଡ଼ିକର ମିଆଦ ଶେଷ ହୋଇଥିଲା? ସବୁଠାରୁ ବଡ଼ ପ୍ରଶ୍ନ ନଈରେ ଫିଙ୍ଗିବାକୁ କାହାର ନିର୍ଦ୍ଦେଶ ଥିଲା? ଏସବୁର ନିରପେକ୍ଷ ତଦନ୍ତ ଆବଶ୍ୟକ। ସରକାରୀ ଅର୍ଥରେ କିଣା ଔଷଧ ରୋଗୀଙ୍କ କାମରେ ନଲାଗି ନଷ୍ଟହେବା ଘଟଣା ଡାକ୍ତରଖାନାର ଷ୍ଟକ୍ ପରିଚାଳନା, ପ୍ରଶାସନିକ ଦାୟିତ୍ୱ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନଷ୍ଟ ହୋଇଥିବା ଔଷଧ ଓ ସାମଗ୍ରୀର ପ୍ରକୃତ ମୂଲ୍ୟ, ଷ୍ଟକ୍ ରେକର୍ଡ, ମିଆଦ ଶେଷ ତାରିଖ, ବର୍ଜ୍ୟ ନିଷ୍ପତ୍ତି ପ୍ରକ୍ରିୟା ଏବଂ ନଈରେ ଫିଙ୍ଗିବା ପାଇଁ କାହାର ନିର୍ଦ୍ଦେଶ ଥିଲା ସେସବୁ ସାର୍ବଜନୀନ କରିବାକୁ ଦାବି ହେଉଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ଜଣା ପଡ଼ିନାହିଁ। ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ପଚାରିବାରୁ ‘ନଈରେ ଏପରି ଔଷଧ ଭସାଇବା ଉଚିତ ନୁହେଁ ଓ ଏହାର ତଦନ୍ତ କରାଯିବ’ ବୋଲି କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button