ଜିଲ୍ଲା

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଚେତାବନୀ ; ‘ମୋତେ ଅପଦସ୍ଥ କଲେ ଜାଳି ସଫା କରିଦେବି’

ଭୁବନେଶ୍ବର : ଅନ୍ୟ ଦଳରୁ ଆସି କିଛି ଲୋକ ରାଉରକେଲାରେ ପଇସା ଖର୍ଚ୍ଚ କରି ମୋ ନାଁରେ ଅପପ୍ରଚାର କରୁଛନ୍ତି। ସେମାନେ ଭାବୁଛନ୍ତି ଜୁଏଲ ଓରାମ ଓହରିଗଲେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଯିବ। ମୋତେ ଅପଦସ୍ଥ କରିବାକୁ ଚେଷ୍ଟା କଲେ ଜାଳି ସଫା କରିଦେବି। କାହା ନାଁ ନ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଗଣମାଧ୍ୟମରେ ଏପରି ଚେତାବନୀ ଦେଇଛନ୍ତି।
ସୁନ୍ଦରଗଡ଼ରେ ବିଜେପି ରାଜନୀତି ତୀବ୍ର ହେବାରେ ଲାଗିଛି। ସର୍କିଟ୍‌ ହାଉସ୍‌ରୁ ପେସାଦାର ଅପରାଧୀ ଗିରଫ ଓ ବନ୍ଧୁକ ଜବତ ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ନିଜ ଦଳର କିଛି ନେତାଙ୍କ ଉପରେ ଦୋଷ ଲଦିଛନ୍ତି।
ଶୁକ୍ରବାର ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଜୁଏଲ କହିଛନ୍ତି, ଏ ପାର୍ଟିକୁ ମୁଁ ରକ୍ତମାଂସ ଦେଇ ଗଢ଼ିଛି। ଏ ପାର୍ଟିକୁ ମୁଁ ଚିହ୍ନିଛି। ଆଉ ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି, ତାହା ଯଥେଷ୍ଟ। ମୋ ରେପୁଟେସନ (ପ୍ରତିଷ୍ଠା) ବାବଦରେ ଯଦି କେହି ହାତ ଉଠାଇବେ, ତା’ ହେଲେ ସେ ହାତକୁ କାଟି ଫିଙ୍ଗିଦେବାର ତାକତ୍ ମୁଁ ରଖୁଛି। ଖୋଲା ଚାଲେଞ୍ଜ ଦେଇ ଶ୍ରୀ ଓରାମ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଥିଲି। କିନ୍ତୁ ମୁଁ ଆଉଥରେ ନିର୍ବାଚନ ଲଢ଼ିବି। ମୁଁ ଦେଖିବି, କେଉଁମାନେ ମୋ ବିରୋଧରେ କାମ କରୁଛନ୍ତି, ସେମାନଙ୍କର କ’ଣ ଅବସ୍ଥା ହେବ ଓ ସେମାନଙ୍କର ମୁଁ କ’ଣ କରିବି। ଅନ୍ୟ ଦଳରୁ ଆସି ମୋ ପାର୍ଟିରେ ପଶି କିଛି ପଇସାପତ୍ର ଖର୍ଚ୍ଚ କରି ମୋତେ ଅସ୍ଥିର କରିବାକୁ ଚେଷ୍ଟା କରାଯାଉଛି। ମୁଁ ଏ ସଂପର୍କରେ ଦଳର ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ କହିଛି। ସେମାନେ ଏ ସମ୍ପର୍କରେ ଆଲୋଚନା କରିବେ ଓ ନ୍ୟାୟ ଦେବେ। ଆବଶ୍ୟକ ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ସେ ଏ ବିଷୟରେ ଅବଗତ କରାଇବେ ବୋଲି କହିଛନ୍ତି। ଜୁଏଲଙ୍କ ଏପରି ମନ୍ତବ୍ୟ ସୁନ୍ଦରଗଡ଼ ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button