ଜିଲ୍ଲା

ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ

ପୁରୀ : ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହେବା ସହ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ମାର୍କଣ୍ଡେୟ ପୁଷ୍କରିଣୀଠାରେ ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ଶ୍ରୀବଳଭଦ୍ର ୨ଟି ଲେଖାଏଁ ରାଖି ଏବଂ ୨ଟି ଲେଖାଏଁ ଗୁଆମାଳ ପରିଧାନ କରିଛନ୍ତି। ପାଟରା ବିଶୋଇ ସେବକ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ବାସୁଙ୍ଗା ପାଟରେ ରାଖି ଏବଂ ଗୁଆମାଳକୁ ବଡ଼ଠାକୁର ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀହସ୍ତରେ ପରିଧାନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲିରଙ୍ଗର ଗୁଆମାଳ ଏବଂ ବଡ଼ଠାକୁର ବଳଭଦ୍ର ବାଇଗଣୀ ଓ ନୀଳରଙ୍ଗର ଗୁଆମାଳ ପରିଧାନ କରାଇଥିଲେ।
ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଭୋଗମଣ୍ଡପ ଶେଷ ହୋଇ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୋଇଥିଲା। ପରେ ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ସର୍ବାଙ୍ଗ ନୀତି ସମ୍ପନ୍ନ କରିବା ପରେ ବୋଇରାଣୀ ପତନୀ ନୂଆ ଲୁଗା କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ଦ୍ୱିପହର ଧୂପ ବେଶ ବଢ଼ିଥିଲା। ପରେ ତିନିଖଣ୍ଡ ଆଜ୍ଞାମାଳକୁ ଦୁଇ ଠାକୁରଙ୍କ ଦକ୍ଷିଣ ଭୁଜରେ ଗୋଟିଏ ଏବଂ ବାମ ଭୁଜରେ ଦୁଇଟି ଲାଗି କରାଯାଇଥାଏ। ପରେ ପାଟରା ବିଶୋଇ ଦେଇଥିବା ୪ଟି ରାଖି ଏବଂ ୪ଟି ଗୁଆମାଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ବଳଭଦ୍ରଙ୍କ ଶ୍ରୀହସ୍ତରେ ପୁଷ୍ପାଳକ ସେବକମାନେ ବାନ୍ଧିଥିଲେ। ଗହ୍ମାପୂର୍ଣ୍ଣିମା ତିଥିରେ ବଡ଼ ଠାକୁର ବଳଭଦ୍ର ଜନ୍ମଗ୍ରହଣ କରିଥିବାରୁ ବଡ଼ ଠାକୁରଙ୍କ ସମ୍ମୁଖରେ ସିଂହାସନ ତଳେ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜା ହୋଇଥିଲା। ପରେ ପାଣିପଡ଼ି ଧୋ ପଖାଳ ହୋଇ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଯାତ୍ରାଙ୍ଗୀ ଭୋଗ ସମ୍ପନ୍ନ ହେବା ପରେ ମଙ୍ଗଳା ଅର୍ପଣ ଓ ବନ୍ଦାପନା ନୀତି ହୋଇଥିଲା। ପରେ ଶ୍ରୀମଦନମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ। ଏହାପରେ ଆଜ୍ଞାମାଳ ପାଇ ଶ୍ରୀଦେବୀ, ଭୂଦେବୀ ଏବଂ ଶ୍ରୀମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିଥିଲେ। ପରେ ଦଇତାପତି ସେବକ ଭିତରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଏକ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ କରାଯାଇଥିଲା। ପରେ ଦଇତାପତିମାନେ ସୁଦର୍ଶନଙ୍କୁ ବିଜେ କରାଇ ଜଗମୋହନସ୍ଥିତ ଚଉଦୋଳକୁ ବିଜେ କରାଇ ସେଠାରେ ପତନୀ ଓ ମାଳଚୂଳ ଲାଗି ହେବା ପରେ ଝୁଲଣମଣ୍ଡପ ନିକଟରେ ସୁବର୍ଣ୍ଣ ଓଡ଼ିଆଣୀ ଓ ହରଡ଼ମାଳି ଲାଗି ହୋଇଥିଲା। ପରେ ବିମାନବଡୁ ସେବକମାନେ ଚକ୍ରରାଜ ଶ୍ରୀସୁଦର୍ଶନ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରାଇଥିଲେ। ସେଠାରେ ଥିବା ମଣ୍ଡପରେ ସୁଦର୍ଶନଙ୍କୁ ବିଜେ କରିବା ପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ଶୁଦ୍ଧସୁଆର ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ପୂଜାପଣ୍ଡା ସାମନ୍ତ ତାହାକୁ ଜୀବନ୍ୟାସ ଦେଇ ଜାତ କର୍ମ ସମ୍ପନ୍ନ କରିଥିଲେ। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାମନ୍ତ ପଞ୍ଚ ଉପଚାରରେ ଶୀତଳ ଭୋଗ କରିଥିଲେ। ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ପ୍ରତିମୂର୍ତ୍ତିକୁ ଜଳରେ ବିସର୍ଜନ କରାଯାଇଥିଲା। ନୀତି ସମ୍ପନ୍ନ ହେବା ପରେ ଶ୍ରୀସୁଦର୍ଶନ ଚାରି ଆଶ୍ରମ (ମାର୍କ‌େ‌ଣ୍ଡୟ, ଭୃଗୁ, ଅଙ୍ଗିରା ଏବଂ ପଣ୍ଡୁ) ସହ ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button