ଜିଲ୍ଲା

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। ସ୍ତ୍ରୀ- ସ୍ବାମୀ  ଏକ କାର୍‌ ଯୋଗେ ପାରାଦୀପ ଅଭିମୁଖେ ଯାଉଥିବାବେଳେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲକୁ ଖସି ପଡ଼ିଥିଲା। ଖାଲରେ ଜମି ରହିଥିବା ପାଣିରେ କାର୍‌ଟି ଓଲଟି ପଡ଼ିବାରୁ ଅଣନିଶ୍ୱାସୀ ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି।

ମୃତକ ଦମ୍ପତି ହେଲେ ବିଭୂତି ଦାସ ଓ ପ୍ରଭାତୀ ଦାସ। ବିଭୂତି ପାରାଦୀପ ବନ୍ଦରର ମେରାଇନ୍‌ ବିଭାଗରେ ଚାକିରି କରୁଥିଲେ। ସେ ଗତ ଅଗଷ୍ଟ ୩୧ ତାରିଖ (ସୋମବାର) ଅବସର ଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦମ୍ପତି ନିଜ କାର୍‌ରେ ଗଡ଼ସ୍ଥିତ ସେମାନଙ୍କ ସମ୍ପର୍କୀୟ (ଶଳା)ଙ୍କ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ନୂଆବଜାରସ୍ଥିତ ନିଜ କ୍ୱାର୍ଟର୍‌କୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗଡ଼ ଗ୍ରାମରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ବୁଲାଣି ସମୟରେ କାର୍‌ଟି ଅଧିକ ବାମପଟକୁ ବୁଲିଯିବାରୁ ଡ୍ରେନ୍‌ ତଳକୁ ଖସି ଓଲଟି ପଡ଼ିଥିଲା। ନିକଟରେ ଜମି ରହିଥିବା ପୋଖରୀ ସଦୃଶ ପାଣିରେ କାର୍‌ଟି ଚକା ଉପରକୁ ହୋଇ ଓଲଟି ପଡ଼ିଥିଲା।

ଭୋର ସମୟରେ ସ୍ଥାନୀୟ ଲୋକେ କାର୍‌ଟିକୁ ପାଣିରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି କାର୍‌ଟିକୁ ପାଣିରୁ ସିଧା କରିବା ପରେ ଭିତରେ ଦମ୍ପତି ଥିବା ଜଣାପଡ଼ିଥିଲା। ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ କାର୍‌ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପୁଅ ଓ ଝିଅ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button