ସ୍ୱାମୀ ଚାଲିଗଲେ, ଦୁଇ ଝିଅଙ୍କ ଦାୟିତ୍ୱ ଏକା ନେଲେ, ସିଲେଇ କରି ୩ ମାସରେ ପୂରଣ କଲେ ପକ୍କାଘର ସ୍ୱପ୍ନ !

ଫୁଲବାଣୀ, ୨।୯: ଫୁଲବାଣୀର ଦର୍ଜୀ ରୁନୁ ପ୍ରଧାନଙ୍କ ନିଜସ୍ୱ ପକ୍କାଘର ନିର୍ମାଣ କାହାଣୀ । ଜଣେ ସାଧାରଣ ମହିଳାଙ୍କ ଅଦମ୍ୟ ସଂଘର୍ଷ, ଦୃଢ଼ ଇଚ୍ଛାଶକ୍ତି ଏବଂ ସରକାରୀ ଯୋଜନାର ସମୟୋଚିତ ସହାୟତା କିପରି ଏକ ଜୀବନକୁ ବଦଳାଇ ପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ୯ ନମ୍ବର ୱାର୍ଡର ଦର୍ଜୀ ରୁନୁ ପ୍ରଧାନଙ୍କ ନିଜସ୍ୱ ପକ୍କାଘର ପର୍ଯ୍ୟନ୍ତର ଏହି ଯାତ୍ରା କେବଳ ଚାରି କାନ୍ଥ ଓ ଛାତର କାହାଣୀ ନୁହେଁ, ବରଂ ବର୍ଷ ବର୍ଷର ଅନିଶ୍ଚିତତା ପରେ ସୁରକ୍ଷା, ସମ୍ମାନ ଏବଂ ତାଙ୍କ ଦୁଇ ଝିଅଙ୍କ ପାଇଁ ଏକ ନିରାପଦ ଭବିଷ୍ୟତର ଏକ ଜୀବନ୍ତ ପ୍ରମାଣ । ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ଏବଂ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବେ ରୁନୁ ନିଜର ସିଲେଇ କାମକୁ ଆପଣାଇଥିଲେ । ସିଲେଇ କାମ କରି ସେ ଯାହା ରୋଜଗାର କରୁଥିଲେ, ସେଥିରେ ପରିବାର ପ୍ରତିପୋଷଣ କରିବା ସହିତ ନିଜ ଦୁଇ ଝିଅଙ୍କ ପାଠପଢ଼ାକୁ ମଧ୍ୟ ଜାରି ରଖିଥିଲେ । ଜୀବନର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ କେବେ ହାର ମାନିନଥିଲେ ।
PMAY-U 2.0 ଯୋଜନାରୁ ମିଳିଲା ଆଶାର କିରଣ:
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପରିଚାଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U 2.0) ଅଧୀନରେ ରୁନୁ ୨୦୨୫ ମସିହାରେ ଏକ ପକ୍କାଘର ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନକୁ ଗ୍ରହଣ କରାଯାଇ ୨୦୨୫ ଜୁନ୍ ୧୨ ତାରିଖରେ ତାଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ନିଜର ଅସାଧାରଣ ଦୃଢ଼ତା ଓ କଠିନ ପରିଶ୍ରମ ବଳରେ ସେ ମାତ୍ର ୩ ମାସ ୧୦ ଦିନ ମଧ୍ୟରେ ନିଜ ଘର ନିର୍ମାଣ କାର୍ଯ୍ୟ ସଫଳତାର ସହ ଶେଷ କରିଥିଲେ । ତାଙ୍କର ଏହି ଦ୍ରୁତ କାର୍ଯ୍ୟ ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ‘Early Completion Incentive’ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା ।
ମଜୁରୀ କ୍ଷତି ପୂରଣ ପାଇଁ ମିଳିଲା PMAY-U BANDHU ସହାୟତା:
ଘର ନିର୍ମାଣ କାର୍ଯ୍ୟର ଠିକ୍ ଭାବେ ତଦାରଖ କରିବାକୁ ପଡ଼ିବାରୁ ରୁନୁଙ୍କୁ ନିଜର ସିଲେଇ କାମ ପାଇଁ କମ୍ ସମୟ ମିଳିଥିଲା, ଯାହାଫଳରେ ତାଙ୍କର ଦୈନନ୍ଦିନ ରୋଜଗାର ପ୍ରଭାବିତ ହୋଇଥିଲା । ଜଣେ ଦିନିକିଆ ରୋଜଗାର ଉପରେ ନିର୍ଭର କରୁଥିବା ଶ୍ରମଜୀବୀ ମହିଳାଙ୍କ ପାଇଁ ଏହା ଏକ ବଡ଼ ଆର୍ଥିକ ବୋଝ ଥିଲା । ଠିକ୍ ଏହି ସମୟରେ ‘PMAY-U BANDHU’ ପଦକ୍ଷେପ ଅଧୀନରେ ତାଙ୍କୁ ମଜୁରୀ କ୍ଷତି ପୂରଣ ସ୍ୱରୂପ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ସହାୟତା ତାଙ୍କ ପରିବାରର ଜୀବିକାକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ସୌଜନ୍ୟ ପ୍ରମେୟ




