Human Interest Story: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଅକ୍ଷମତା, ପାଦରେ କଲମ, ସଂସ୍କୃତରେ ସିଦ୍ଧହସ୍ତା

ବିନିକା,୦୭/୦୯: ପୋଲିଓର ଶିକାର ହୋଇ ଜନ୍ମରୁ ଦୁଇହାତ ଅଚଳ । ସ୍ୱାଭାବିକ ଭାବେ କଥା ବି କହିପାରନ୍ତିନି । ସାଧାରଣ ଲୋକଙ୍କ ଦୃଷ୍ଟିରେ ସେ ଦିବ୍ୟାଙ୍ଗ । ହେଲେ ତାଙ୍କ ଅସାଧାରଣ ସାଧନା ସମସ୍ତଙ୍କୁ ଚମତ୍କୃତ କରିଛି । ହାତ ଅଚଳ ବୋଲି ପାଦରେ କଲମ ଧରିଥିଲେ । ଡାହାଣ ପାଦର ଅଙ୍ଗୁଳିରେ କଲମ ଧରି ସ୍ୱାଭାବିକ ଭାବେ ଫର୍ଦ୍ଦଫର୍ଦ୍ଦ ଲେଖୁଛନ୍ତି । ପିଲାଦିନରୁ ହିଁ ନିଜ ଭିନ୍ନକ୍ଷମତାକୁ ପରାସ୍ତକରି ସେ ସ୍କୁଲ ଶିକ୍ଷା ଶେଷକଲେ । ପାଠ ପଢ଼ିବାର ଆଗ୍ରହ ଏବଂ ବିବିଧ ବିଷୟରେ ଜିଜ୍ଞାସାରୁ ହାଇସ୍କୁଲ ସମୟରୁ ଆରମ୍ଭ କରିଥିଲେ ସଂସ୍କୃତ ଶିକ୍ଷା । ଏବେ ସେ ସ୍ନାତକ ଶ୍ରେଣୀରେ ପଢ଼ୁଛନ୍ତି । ସଂସ୍କୃତରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ପ୍ରତିଯୋଗିତାକରି ସେ ଅଧ୍ୟୟନ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପାଲିପଡ଼ା ଗ୍ରାମର ସ୍ୱସ୍ତିକା ପଣ୍ଡା । ସ୍ୱସ୍ତିକାଙ୍କ ସାଧନା ସମ୍ପର୍କରେ ସୁବର୍ଣ୍ଣପୁର ଗୀତାସେବୀ ପରିବାରରେ ଚର୍ଚ୍ଚା ହେବାପରେ ଏହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ବିନିକା ଏନଏସିର ୯ ନମ୍ବର ୱାର୍ଡ ଅନ୍ତର୍ଗତ ପାଲିପଡ଼ା ଗ୍ରାମର ଅଜିତ ପଣ୍ଡା ଓ ରୀନା ପଣ୍ଡାଙ୍କ ଝିଅ ସ୍ୱସ୍ତିକା ଜନ୍ମରୁ ଦିବ୍ୟାଙ୍ଗ । ଅଜିତ ଜଣେ ସାଧାରଣ ଚାଷୀ । ସ୍ୱସ୍ତିକାଙ୍କ ଜନ୍ମ ପରେ ସେମାନେ ଚିନ୍ତାରେ ପଡ଼ିଥିଲେ । ମାତ୍ର ଭଗବତ ବିଶ୍ୱାସୀ ଅଜିତ ଓ ତାଙ୍କ ପତ୍ନୀ ଏହା ପଛରେ ଈଶ୍ୱରଙ୍କ କୌଣସି ସନ୍ଦେଶ ରହିଥିବା ଭାବି ଝିଅର ଯତ୍ନକଲେ । ତାକୁ ସ୍ୱାଭାବିକ ପରିବେଶ ଦେଇ ପ୍ରାଥମିକ ଶିକ୍ଷା ପାଇଁ ପଠାଇଲେ । ହାତ ଅଚଳ, ସ୍ୱାଭାବିକ ଭାବେ କଥା କହିପାରନ୍ତି ନାହିଁ । କିନ୍ତୁ ତାଙ୍କ ବୁଝିବାର ସାମର୍ଥ୍ୟ ଅନ୍ୟମାନଙ୍କଠାରୁ ଢେର ଅଧିକ । ହାଇସ୍କୁଲରେ ହିଁ ସଂସ୍କୃତ ପ୍ରତି ତାଙ୍କ ଆଗ୍ରହ ଜାତ ହୋଇଥିଲା । ବିନିକାସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରୁ ଯୁକ୍ତଦୁଇ ପଢ଼ିବା ପରେ ଏବେ ସେ ସ୍ନାତକ ଦ୍ୱିତୀୟ ବର୍ଷ ପଢ଼ୁଛନ୍ତି । ସଂଯୋଗକୁ ୨୦୨୧ମସିହାରେ ସିଦ୍ଧାର୍ଥ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଭାବେ ଯୋଗଦେଲେ ସାଧୁରାମ ସାହୁ । ସାଧୁରାମ ବଲାଙ୍ଗିିର ରାଜେନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ସାରିବା ପରେ ତିରୁପତିସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପରେ ଏମଫିଲ ସମାପ୍ତକରି ପିଏଚଡି କରୁଛନ୍ତି । ବର୍ତ୍ତମାନ ସେ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଅବସ୍ଥାପିତ ହୋଇଛନ୍ତି । ସାଧୁରାମ ମଧ୍ୟ ଆଂଶିକ ଦୃଷ୍ଟିବାଧିତ ହୋଇଥିବାରୁ ସ୍ୱସ୍ତିକାଙ୍କ ସଂଘର୍ଷକୁ ସେ ବୁଝିପାରିଥିଲେ । ସମ୍ଭବତଃ ସିଦ୍ଧାର୍ଥ ଡିଗ୍ରୀ କଲେଜକୁ ଆସିବା ପଛରେ ସ୍ୱସ୍ତିକାଙ୍କୁ ଗଢ଼ିବା ପାଇଁ ନିୟତିର ନିର୍ଦ୍ଦେଶ ରହିଛି ବୋଲି ସେ ହୃଦୟଙ୍ଗମ କରିଥିଲେ ଏବଂ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପଢ଼ାଇବା ଆରମ୍ଭ କରିଥିଲେ ବୋଲି ଶ୍ରୀ ସାହୁ କହିଛନ୍ତି । ଗୁରୁ ଜାଣି ଛାତ୍ରୀ, ସ୍ୱସ୍ତିକା କହିପାରୁ ନଥିଲେ ବି ଏବେ ସଂସ୍କୃତରେ ପାରଙ୍ଗମ ହୋଇପାରିଛନ୍ତି ।
ଦୃଢ଼ ଇଚ୍ଛାଶକ୍ତି, ନିରନ୍ତର ପରିଶ୍ରମ ଏବଂ ନିଜ ଉପରେ ରହିଥିବା ଅଦମ୍ୟ ବିଶ୍ୱାସ ବଳରେ ସେ ଆଜି ନିଜ ପାଦରେ କଲମଧରି ନିଜ ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ସ୍ୱସ୍ତିକାଙ୍କ ଏହି ଅସାଧାରଣ ସାଧନାକୁ ସମ୍ମାନ ଜଣାଇ ସୋନପୁର ପ୍ରଜ୍ଞାନ ମିଶନ ପକ୍ଷରୁ ଜିଲ୍ଲା ସଂଯୋଜକ ସୀତାଂଶୁ ପୂଜାହାରୀ, ସାଧୁରାମ ସାହୁ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଏବେ ଯୁବପିଢ଼ି ଛୋଟଛୋଟ ସମସ୍ୟାରେ ହାର ମାନି ବସିଯାଉଥିବା ବେଳେ ସ୍ୱସ୍ତିକାଙ୍କ ସଂଘର୍ଷ ଓ ସାଧନା ସେମାନଙ୍କ ପାଇଁ ଜୀବନ୍ତ ପ୍ରେରଣା । ତେବେ ସ୍ୱସ୍ତିକା ପାଦରେ ଲେଖୁଥିବାରୁ ତାଙ୍କ ଅକ୍ଷର ସାଧାରଣ ପିଲାଙ୍କ ଭଳି ହୋଇନଥାଏ । ତେଣୁ ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ତାଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତ କରିବା ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଚାରକଲେ ସ୍ୱସ୍ତିିକା ଉପକୃତ ହୁଅନ୍ତେ ବୋଲି ତାଙ୍କ ଶିକ୍ଷକ ସାଧୁରାମ କହିଛନ୍ତି । ସ୍ୱସ୍ତିକାଙ୍କ ସଂଘର୍ଷ ଓ ସାଧନା ତାଙ୍କୁ ନିଶ୍ଚିତ ଭାବେ ସଫଳ କରିବ ବୋଲି ଗୀତାସେବୀ ପରିବାର ପକ୍ଷରୁ କୁହାଯାଇଛି ।
ସୌଜନ୍ୟ ପ୍ରମେୟ




