ନବରଙ୍ଗପୁର (ସୁରେଶ ନାଇଡୁ): ଅଗଷ୍ଟ ୨୦୨୬ ମାସର ଓଡ଼ିଶା ଷ୍ଟେଟ ୱର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (ଓସ୍ବାସ) ପ୍ରଦର୍ଶନ ଆଧାରରେ ସରକାରୀ ଫାଇଲ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଓସ୍ବାସର ସୂଚାରୁ ବ୍ୟବହାର ଫଳରେ ଫାଇଲ୍ ପ୍ରକ୍ରିୟାକରଣ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗତିଶୀଳତା ଆସିଛି।
ଅପରପକ୍ଷରେ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ କାର୍ଯ୍ୟାଳୟ ନାମକୁ ମାତ୍ର ଓସ୍ବାସରେ କାମ କରୁଥିବା ବେଳେ ତିନି ଅଙ୍କକୁ ବି ଛୁଇଁ ନାହାନ୍ତି। ୪ଟି କାର୍ଯ୍ୟାଳୟ ଏଥିରେ କାର୍ଯ୍ୟ ଆରମ୍ଭ କରି ନାହାନ୍ତି। ଯେଉଁ ବିଭାଗ ଓସ୍ବାସରେ କାମ କରିବେ ନାହିଁ ସେହି ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।
ଅଗଷ୍ଟ ମାସରେ ନବରଙ୍ଗପୁର କଲେକ୍ଟୋରେଟ୍ର ପ୍ରତିଷ୍ଠାନ ଶାଖା ୧,୭୪୪ଟି, ସାଧାରଣ ଓ ବିବିଧ ଶାଖା ୧,୨୪୧ଟି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ୧,୧୦୮ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି। ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ପକ୍ଷରୁ ୧,୧୩୨ଟି, ସିଡିଏମଓ ଓ ପିଏଚଙ୍କ କାର୍ଯ୍ୟାଳୟ ପକ୍ଷରୁ ୧,୦୩୪ଟି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬୮୮ଟି ଫାଇଲ୍ ପ୍ରକ୍ରିୟାକରଣ କରାଯାଇଛି। ବ୍ଲକ୍ ସ୍ତରରେ ନବରଙ୍ଗପୁର ପଞ୍ଚାୟତ ସମିତି ୭୪୨ଟି, ଉମରକୋଟ ପଞ୍ଚାୟତ ସମିତି ୬୨୨ଟି ଏବଂ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ୫୫୧ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି।
ତହସିଲ୍ ସ୍ତରରେ ଉମରକୋଟ ତହସିଲ୍ ୬୩୬ଟି, ନନ୍ଦାହାଣ୍ଡି ତହସିଲ୍ ୪୮୫ଟି ଏବଂ ଚନ୍ଦାହାଣ୍ଡି ତହସିଲ୍ ୪୧୪ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି। ସେହିପରି ନବରଙ୍ଗପୁର ପୌରପାଳିକା ପକ୍ଷରୁ ୮୧୯ଟି ଫାଇଲ୍ ପ୍ରକ୍ରିୟାକରଣ କରାଯାଇଛି। ଏସବୁ କାର୍ଯ୍ୟାଳୟକୁ ଆଜି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ମହେଶ୍ୱର ସ୍ୱାଇଁ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ପରିଚାଳନା କରିଥିଲେ।
ସୌଜନ୍ୟ ସମ୍ବାଦ