ରାଜ୍ୟ

Rumour : ଗୁଜବ ଯୋଗୁ କୁଆଖାଈ ନଦୀପଠାରେ ପୁଲିସ ନୟାନ୍ତ, ମଣିଷ ଗୋଡ଼ ଖୋଜି ୩ ଘଣ୍ଟା ଝାଳନାଳ

ଭୁବନେଶ୍ୱର, ୮/୯ : ସୋମବାର, ସମୟ ସକାଳ ୮ଟା ୪୫ ମିନିଟ୍‌ । କେହି ଜଣେ ବ୍ୟକ୍ତି ଜରୁରୀ ସହାୟତା ନଂ-୧୧୨କୁ ଫୋନ୍‌ କରି କହିଲା, ‘ହେଲୋ । କୁଆଖାଇ ନଦୀ ପଠାରେ ବାଲି ଭିତରେ ଗୋଟିଏ ମୃତଦେହ ପୋତାଯାଇଛି । ବାଲିରୁ ଗୋଡ଼ ବାହାରକୁ ଦେଖାଯାଉଛି । ଜଲ୍‌ଦି, ସେଠାକୁ ଯାଆନ୍ତୁ ।’ ବାସ୍‌, ତତ୍ପର ହୋଇଉଠିଲା ପାହାଳ ଥାନା ପୁଲିସ । ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ତତ୍‌କ୍ଷଣାତ୍‌ ଘଟଣାସ୍ଥଳକୁ ମାଡ଼ିଗଲା । ଅଧାବାଟରେ ସାଇଣ୍ଟିଫିକ୍‌ ଟିମ୍‌କୁ ଫୋନ କରି ଡକାଗଲା । ଅଧଘଣ୍ଟା ଭିତରେ କୁଆଖାଈର ଅଘଟଣ ସ୍ଥଳରେ ପହଞ୍ଚିଲେ ସଭିଁଏ । ଖବରଦାତାକୁ ସାଙ୍ଗରେ ଧରି ପୁଲିସ ନଦୀଘାଟର କୋଣ ଅନୁକୋଣକୁ ତନ୍ନତନ୍ନ କରି ଖୋଜି ପକାଇଲା । ଅଧ ଡଜନେ ଜାଗାରେ ୫ ଫୁଟ୍‌ ଯାଏଁ ବାଲି ଖୋଳାଗଲା । କିନ୍ତୁ ମୃତଦେହର ଚିହ୍ନବର୍ଣ୍ଣ ମିଳିଲାନି । ମିଳିଥିଲା ୧୫ରୁ ଅଧିକ କଇଁଚ ଅଣ୍ଡା ।

ଜଣେ ବ୍ୟକ୍ତିଙ୍କ ଭୁଲ ତଥ୍ୟ ଯୋଗୁ ପାହାଳ ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ୩ ଘଣ୍ଟା ଧରି ଏଭଳି କିଛି ହଇରାଣ ହୋଇଛି । ପୁଲିସ ଅଧିକ ଖୋଳତାଡ଼ କରିବାରୁ ଜାଣିବାକୁ ପାଇଛି, ପ୍ରଶାନ୍ତ ନାମକ ସ୍ଥାନୀୟ ବାସିନ୍ଦା ରବିବାର ସନ୍ଧ୍ୟାରେ ସେଠାକୁ ଶୌଚ ହେବାକୁ ଯାଇଥିଲେ । ହଠାତ୍‌ ବାଲିରେ ତାଙ୍କ ଗୋଡ଼ ଦବିଗଲା । ସେ ଡରିଯାଇ ଗାଁକୁ ଧାଇଁଥିଲେ । ଗାଁରୁ ୩-୪ଜଣ ସାଙ୍ଗକୁ ସାଙ୍ଗରେ ଧରି ସେଠାକୁ ପୁଣି ମାଡି଼ଗଲେ । ଆଖପାଖ ଅଞ୍ଚଳରେ ପାଦ ଚିହ୍ନ ଥିବା ଦେଖି କିଛି ଗୋଟେ କାଣ୍ଡ ଘଟିଥିବା ନେଇ ସନ୍ଦେହ କରିଥିଲେ ସଭିଏଁ । ଏକ ମୃତଦେହକୁ ଘୋଷାଡି଼ ନେଇ ସେଠାରେ ପୋତାଯାଇଛି ବୋଲି ସେମାନେ ଠଉରାଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button