ମଧ୍ୟପ୍ରାଚ୍ୟରେ ଆଉ ଏକ ସଂଘର୍ଷ ଆରମ୍ଭ

ସନା : ଆମେରିକା-ଇରାନ ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟରେ ଆଉ ଏକ ସଂଘର୍ଷ ଆରମ୍ଭ ହୋଇଛିି। ଇରାନ ସମର୍ଥିତ ହୁତି ବିଦ୍ରୋହୀ ମଙ୍ଗଳବାର ସକାଳେ ସାଉଦି ଆରବର ୪ ସହର ଆଭା, ଖାମିସ ମୁସହେତ, ଜିଜାନ ଓ ନଜରାନ ଉପରେ ଆକ୍ରମଣ କରିଛନ୍ତି। କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ରେ ମହିଳା ଓ ଶିଶୁଙ୍କ ସମେତ ୭୩ ଜଣ ଆହତ ହୋଇଛନ୍ତି। ସାଉଦିର ଅବହା ବିମାନବନ୍ଦର, କିଙ୍ଗ ଖାଲିଦ ଏୟାରବେସ ଓ ଆରାମକୋର କିଛି ଶକ୍ତି କେନ୍ଦ୍ରକୁ ମଧ୍ୟ ନିଶାଣ କରାଯାଇଛି। ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଅଲ-ହଜମ ସହର ସ୍ଥିତ ଏକ ଜେଲ୍ ଉପରେ ସାଉଦି ଆକ୍ରମଣ କରିଥିବା ହୁତି ବିଦ୍ରୋହୀ ଅଭିଯୋଗ କରିଥିଲେ। ଏହି ଆକ୍ରମଣରେ ଏକ ଶିଶୁ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଶିଶୁଟି ମାଆଙ୍କ ସହ ବାପାଙ୍କୁ ଭେଟିବା ପାଇଁ ଜେଲକୁ ଆସିଥିଲା। ସାଉଦିରେ ଆକ୍ରମଣ କରି ହୁତି ବିଦ୍ରୋହୀ ଏହାର ପ୍ରତିଶୋଧ ନେଇଛନ୍ତି। ୟେମେନରୁ ସାଉଦିକୁ ଆସୁଥିବା ଟ୍ରକ ଉପରେ ନିଶାଣ କରାଯାଇଥିଲା। ଏହି ଟ୍ରକରେ ଅସ୍ତ୍ରଶସ୍ତ୍ର ଥିଲା ବୋଲି କୁହାଯାଉଛି। ଆକ୍ରମଣ ପରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ଯାଇଥିଲା।
ଅନ୍ୟପକ୍ଷରେ ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ସାଉଦି ନେତୃତ୍ବାଧୀନ ୟେମେନ ମେଣ୍ଟର ପ୍ରବକ୍ତା ମେଜର ଜେନେରା ତୁର୍କୀ ଅଲ-ମଲିକି କହିଛନ୍ତି। ସାଉଦିର ନାଗରିକ ଓ ଆର୍ଥିକ ଠିକଣା ଉପରେ ଆକ୍ରମଣ କରାଯାଇଛି। ଏହା ଦେଶର ସାର୍ବଭୌମତ୍ବ ବିରୋଧୀ ଓ ସାଧାରଣ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ମେଣ୍ଟ ଏହାର ଜବାବ ଦେବ। ବିପଦକୁ ଅଟକାଇବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କେତେବେଳେ ହୁତି ବିଦ୍ରୋହୀ ଆକ୍ରମଣ କରିଥିଲେ ତାହାର କୌଣସି ସୂଚନା ସେ ଦେଇ ନାହାନ୍ତି।
ସୌଜନ୍ୟ ସମାଜ




