ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର ; ୬ ୟୁକ୍ରେନ ନାଗରିକ, ଜଣେ ଆମେରିକୀୟଙ୍କ ବିରୋଧରେ ଏନଆଇଏ ଚାର୍ଜସିଟ୍

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହାର ସ୍ୱତନ୍ତ୍ର କୋର୍ଟରେ ଜଣେ ଆମେରିକା ନାଗରିକ ଓ ୬ ଜଣ ୟୁକ୍ରେନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ମଙ୍ଗଳବାର ସ୍ବତନ୍ତ୍ର ବିଚାରପତି ପ୍ରଶାନ୍ତ ଶର୍ମାଙ୍କ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରିବା ଓ ଭାରତ ବିରୋଧୀ ଶକ୍ତିକୁ ପ୍ରଶିକ୍ଷଣ ଦେବା ଅଭିଯୋଗରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଏହା ମିଆଁମାରର ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଡ୍ରୋନ୍ ତଥା ଅନ୍ୟାନ୍ୟ ସାମରିକ ତାଲିମ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଲେ ଆମେରିକାର ଭାନ ଡାଇକ ଓ ୟୁକ୍ରେନର କାମିନସ୍କି ଭିକ୍ଟର, ହୁର୍ବା ପେଟ୍ରୋ, ସ୍ଲିଭିଆକ୍ ତାରାସ, ଇଭାନ୍ ସୁକମାନୋଭସ୍କି, ଷ୍ଟେଫାନକିଭ୍ ମାରିଆନ୍ ଓ ହୋନଚାରୁକ୍ ମାକସିମ୍। ଗତ ମାର୍ଚ୍ଚ ୧୩ରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ମିଜୋରାମ ସୀମା ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ଏହି ମାମଲାରେ ଏନଆଇଏ ପୂର୍ବରୁ କଠୋର ଆତଙ୍କବିରୋଧୀ ଆଇନ ୟୁଏପିଏ ଓ ବିଏନ୍ଏସ୍ ଧାରା ଲଗାଇଥିଲା। ଏବେ ଚାର୍ଜସିଟ୍ରେ ଅଭିଯୁକ୍ତଙ୍କ ବିରୋଧରେ ଇମିଗ୍ରେସନ୍ ଆଣ୍ଡ ଫୋରେନର୍ସ ଆଇନର ଧାରା ୨୧ ଓ ୨୩ ଅଧୀନରେ ବେଆଇନ ପ୍ରବେଶ ଓ ରହଣି ଅଭିଯୋଗ ଆରୋପ କରାଯାଇଛି। ଏନ୍ଆଇଏ କୋର୍ଟଙ୍କୁ ଜଣାଇଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ୟୁଏପିଏ ସମ୍ପର୍କିତ ଅଧିକ ତଦନ୍ତ ଜାରି ରହିଛି, ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ।
ସୌଜନ୍ୟ ସମାଜ




