ରାଜ୍ୟ

Bribery allegation : ରମାଦେବୀ ବିଶ୍ୱବିଦ୍ୟାଳୟରେ ସିଏଲ୍‌ସି ପାଇଁ ବଟି ଆଦାୟ, ଟେବୁଲ ତଳେ ଟଙ୍କା କାରବାର, କ୍ୟାସ ନଥିଲେ ଫୋନ୍‌ ପେ’

ଭୁବନେଶ୍ୱର, ୯/୯ : ବର୍ତ୍ତମାନ ନାମଲେଖା ପର୍ବ ଚାଲିଛି । ଅନେକ ଛାତ୍ରଛାତ୍ରୀ ନୂଆ ନାମ ଲେଖାଉଛନ୍ତି ତ ଆଉ କିଏ ଭଲ ସ୍ଥାନରେ ପାଠପଢ଼ା ପାଇଁ କଲେଜ ଲିଭିଂ ସାର୍ଟିଫିକେଟ୍‌ (ସିଏଲ୍‌ସି) ନେଉଛନ୍ତି । ଆଉ ଏହା ହିଁ ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀଙ୍କୁ ମୌକା ଦେଇଛି । ପିଲାଙ୍କର ଜରୁରୀ ଦସ୍ତାବେଜ ହୋଇଥିବାରୁ ଏଥିରୁ ବଟି ଆଦାୟ କରୁଛନ୍ତି କର୍ମଚାରୀ । ମଙ୍ଗଳବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ସରକାରଙ୍କ ନିୟମ ଅନୁଯାୟୀ ସିଏଲ୍‌ସି ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୧୦ ଟଙ୍କା ଫି’ ଧାର୍ଯ୍ୟ କରିଛନ୍ତି । ଏହି ଅର୍ଥ ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରସିଦ୍‌ ପ୍ରଦାନ କରୁଛନ୍ତି । ମାତ୍ର ସିଏଲ୍‌ସି ପ୍ରଦାନ ସମୟରେ ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ସେକ୍ସନ୍‌ରେ ଥିବା କିଛି ଅଧିକାରୀ ଓ କର୍ମଚାରୀ ଛାତ୍ରୀଙ୍କ ଠାରୁ ଜୋରଜବରଦସ୍ତ ପ୍ରତି ସିଏଲ୍‌ସି ପିଛା ୧୦୦ ଟଙ୍କା ଆଦାୟ କରୁଛନ୍ତି । ଏହାକୁ ନେଇ ପ୍ରଶ୍ନ କରିବାକୁ ଆମେ ତୁମ କାମ କରାଇଲୁ ଆମକୁ ଖୁସି କରାଇବାକୁ ୧୦୦ଟଙ୍କା ଦେବାକୁ ହେବ ବୋଲି ଖୋଲାଖୋଲି କହୁଛନ୍ତି ।

ସୋମବାର ପୂର୍ବାହ୍ନରେ କିଛି ପିଲା ସିଟି ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ବ୍ଲକ୍‌ ଥିବା ଆଡମିଶନ ସେକ୍ସନକୁ ଆସିଥିଲେ । ସେଠାରେ ଆପ୍ଲିକେସନ ଦେବା ପରେ ରସିଦ୍‌ କାଟି ୧୦ ଟଙ୍କା ଫି ବିଶ୍ୱବିଦ୍ୟାଳୟରେ ଦାଖଲ କରିଥିଲେ । ଆଡମିଶନ୍‌ ସେକ୍ସନରେ ଥିବା କର୍ମଚାରୀ ଜଣକ ପିଲାଙ୍କୁ ସିଏଲ୍‌ସି ଦେବା ସମୟରେ ଟେବୁଲ ତଳ ପଟେ ଟଙ୍କା ଆଦାୟ କରୁଥିଲେ । ତେବେ କ୍ୟାସ ନଥିଲେ ୟୁପିଆଇ ମାଧ୍ୟମରେ ମଧ୍ୟ ଟଙ୍କା ନେବାକୁ ବିକଳ୍ପ ରଖିଥିଲେ । ଏହାକୁ ନେଇ କୁଳପତିଙ୍କ ପାଖେ ଫଟୋ ପ୍ରମାଣ ସହ ଅଭିଯୋଗ ପରେ କୁଳପତି ପ୍ରଫେସର ଜ୍ୟୋସ୍ନା କେବି ରାଉତ୍‌ ବିରକ୍ତି ପ୍ରକାଶ କରିବା ସହ ଉକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ କହିଛନ୍ତି, ପରବର୍ତ୍ତୀ ସମୟରେ ଏପରି କୌଣସି ବେଆଇନ ଅର୍ଥ ଆଦାୟରେ ଅଧିକାରୀ କିମ୍ବା କର୍ମଚାରୀ ଧରାପଡ଼ିଲେ ତାଙ୍କ ସିଧା କାର୍ଯ୍ୟରୁ ବିଦା କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button