ରାଜ୍ୟ

OMC 19 Mines Environmental Audit ; ଖଣିରେ ପ୍ରଦୂଷଣ ଯାଞ୍ଚ: ୧୯ ଖଣିରେ ପରିବେଶ ଅଡିଟ୍‌ କରିବ ସରକାର

ଭୁବନେଶ୍ୱର, ୯/୯ : ଓଡିଶା ଖଣି ନିଗମ(ଓଏମ୍ସି) ଅଧୀନରେ ଥିବା ୧୯ ଖଣିର ହେବ ପରିବେଶ ଅଡିଟ୍ । ଖଣି ଯୋଗୁ ସ୍ଥାନୀୟ ଅଞ୍ଚଳର ପରିବେଶ ଉପରେ କ’ଣ ପ୍ରଭାବ ପଡୁଛି ? ବାୟୁ ଓ ପାଣିର ମାନ କେମିତି ରହୁଛି ? ଦୈନିକ କେତେ ବିପଜ୍ଜନକ ବର୍ଜ୍ୟ ବାହାରୁଛି ? ଧାର୍ଯ୍ୟ ମାପଦଣ୍ଡ ଅନୁସାରେ ବ୍ଲାଷ୍ଟିଂ ହେଉଛି ନା ନିୟମ ମାନୁନାହାନ୍ତି ? ପ୍ରଦୂଷଣ ନିୟନ୍ତ୍ରଣ ଆଇନ ପାଳନ ହେଉଛି କି ନା, ତାର ଯାଞ୍ଚ ପାଇଁ ପରିବେଶ ଅଡିଟ୍ କରିବେ ସରକାର । ଏକ ସ୍ୱାଧୀନ ଅଡିଟ୍ ସଂସ୍ଥା ଟିକିନିଖି ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ଦେବ । ଆଗକୁ ଅନ୍ୟ ଘରୋଇ ଖଣିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ଖଣି ଖନନ ବେଳେ ପରିବେଶ ନିୟମ ପାଳନ ହେଉନଥିବା ନେଇ ମାଳ ମାଳ ଅଭିଯୋଗ ଆସୁଛି । ଖଣି ଅଞ୍ଚଳର ଲୋକେ ଅତି ପ୍ରଦୂଷଣଭରା ପରିବେଶରେ ଦିନ କାଟୁଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡୁଛି । ବିପଜ୍ଜନକ ବର୍ଜ୍ୟକୁ ଠିକରେ ପରିଚାଳନା କରାଯାଉନି । ଏଭଳି ଅନେକ ଅଭିଯୋଗ ସରକାରଙ୍କ ପାଖରେ ପହଞ୍ଚୁଛି । ସରକାର ଏହି ସବୁ ଅଭିଯୋଗର ଯାଞ୍ଚ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଓଏମସି ଅଧୀନରେ ଥିବା ଖଣିର ପରିବେଶ ଅଡିଟ୍ ହେବ । ଏନ୍ଏବିଏଲ୍ ସ୍ୱୀକୃତିପ୍ରାପ୍ତ ସ୍ୱାଧୀନ ଅଡିଟ୍ ସଂସ୍ଥା ଜରିଆରେ ୧୯ଟି ଖଣିର ଅଡିଟ୍ ହେବ । ରାୟଗଡ଼ାରେ ଥିବା କୋଡିଙ୍ଗାମାଳି ବକ୍ସାଇଟ ଖଣି, ଅମ୍ପାଭାଲି ଚୂନପଥର ଖଣି, କାଳିଆପାଣି ଖଣି, ବାଙ୍ଗୁର ଓ ସୁକୁରାଙ୍ଗି କ୍ରୋମାଇଟ ଖଣି, ଗୋବିନ୍ଦପୁର ଓ ନାରଣଗଡ଼ ଖଣ୍ଡେଲାଇଟ୍ ଖଣି, କୁରମିଟାର ଖଣି, ବଡ଼ବିଲର ଡୁବୁନା ଶାକ୍ରଡିହି ଲୁହାପଥର ଖଣି, ଖଣ୍ଡବନ୍ଧ ଲୁହାପଥର, ଜିଲିଂ ଲଙ୍ଗାଲୋଟା, ରୋଇଡା-ସି, ବାଂଶପାଣି, ତିରିଂପହାର ଲୁହାପଥର ଖଣିର ପରିବେଶ ଅଡିଟ୍ ହେବ । ପୁଣି ଗନ୍ଧମାର୍ଦ୍ଦନ ଲୁହାପଥର ଖଣି ଏ ଆଣ୍ଡ ବି ଓ ଦୈତାରୀ ଲୁହାପଥର ଖଣିର ପରିବେଶ ଅଡିଟ୍ କରାଯିବ । ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା କେତେ ଦୂର ପ୍ରଭାବୀ ହେଉଛି ତାକୁ ଅଡିଟ୍ ସଂସ୍ଥା ଯାଞ୍ଚ କରିବ । ପରିବେଶ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଠିକ୍ ଭାବେ ବ୍ୟବହାର ହେଉଛି ନା ବାଟମାରଣା ହେଉଛି, ତାର ମଧ୍ୟ ଖୋଳତାଡ଼ ହେବ । ବିଶେଷକରି ପୂର୍ବ ସରକାର ସମୟରେ ହୋଇଥିବା ଅନିୟମିତତାକୁ ଖୋଜି ବାହାର କରିବାକୁ ସରକାର ଯାଞ୍ଚ କରୁଥିବା ଜଣାପଡ଼ିଛି । ଅଡିଟ୍ କେବଳ କାଗଜପତ୍ର ଯାଞ୍ଚରେ ସୀମିତ ରହିବନି । ଅଡିଟ୍ ଟିମ୍ ଖଣି ଅଞ୍ଚଳକୁ ଯାଇ ବାସ୍ତବ ସ୍ଥିତି ଯାଞ୍ଚ କରିବ । ସ୍ୱାଧୀନ ଭାବେ ନମୁନା ସଂଗ୍ରହ କରିବା ସହ ମନିଟରିଂ ତଥ୍ୟକୁ ଯାଞ୍ଚ କରିବ । ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ପାଇଁ କେତେ ଅର୍ଥ ବରାଦ ହୋଇଛି ଓ ତାହା କେଉଁ ଉତ୍ସରେ ଖର୍ଚ୍ଚ ହୋଇଛି, ତାର ଟିକିନିଖି ଯାଞ୍ଚ କରାଯିବ । ପରିବେଶ ଉପରେ ପ୍ରଭାବ ଆକଳନ ନେଇ ଓଏମସି ଦେଇଥିବା ତଥ୍ୟକୁ ପୁନଃ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ ହେବ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟକୁ ସ୍ଥାନୀୟ ତଥ୍ୟ ସହ ଯାଞ୍ଚ କରାଯିବ । ଭୂତଳ ଜଳସ୍ତର କେତେ ଖସିଛି, ଦୈନିକ ଧୂଳି ଉଡୁଛି, ପିଇବା ପାଣି ଓ ବାୟୁର ଗୁଣବତ୍ତା ମାନ, ଡିଜି ସେଟ୍ରୁ କେତେ ପ୍ରଦୂଷଣ ନିର୍ଗତ ହେଉଛି, ସ୍ଥାନୀୟ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ଓ କାର୍ଯ୍ୟକ୍ଷେତ୍ରରେ ପ୍ରଦୂଷଣ ସ୍ତର କେତେ ରହୁଛି ଓ ସ୍ୱାସ୍ଥ୍ୟ ଉପରେ ଏହାର କଣ ପ୍ରଭାବ ପଡୁଛି, ତାର ଟିକିନିଖି ଯାଞ୍ଚ ହେବ । ବନୀକରଣ, ସବୁଜିମା ସୃଷ୍ଟି, ବର୍ଜ୍ୟ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ବିଗତ ଦିନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କ୍ଷେତ୍ରରେ ଏହା କେତେ ଫଳପ୍ରଦ ହୋଇଛି, ତାର ରିଅଲ ଟାଇମ୍ ତଥ୍ୟ ସଂଗ୍ରହ କରାଯିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button