Vijay Mallya: “ଋଣ ଠାରୁ ଦୁଇଗୁଣରୁ ଅଧିକ ଆଦାୟ, ତଥାପି ‘ପଳାତକ’ କାହିଁକି ? ମାଲ୍ୟାଙ୍କ ବିସ୍ଫୋରକ ଦାବି

ନୂଆଦିଲ୍ଲୀ, ୯।୯: ଭାରତରେ ପଳାତକ ଘୋଷିତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଉପରେ ଲାଗିଥିବା ‘ପଳାତକ’ ଟ୍ୟାଗକୁ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକାଧିକ ପୋଷ୍ଟ କରିଛନ୍ତି । ଏଥିରେ ସେ କେବଳ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିନାହାଁନ୍ତି, ବରଂ ଭାରତୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ କାଠଗଡ଼ାରେ ଠିଆ କରିଛନ୍ତି । ମାଲ୍ୟାଙ୍କ ସବୁଠୁ ବଡ଼ ଦାବି ତାଙ୍କ ଋଣ ଏବଂ ସେଥିରୁ ହୋଇଥିବା ଆଦାୟକୁ ନେଇ ରହିଛି ।
ଋଣଠାରୁ ଦ୍ୱିଗୁଣରୁ ଅଧିକ ଅର୍ଥ ଆଦାୟ:
ବିଜୟ ମାଲ୍ୟା ବମ୍ବେ ହାଇକୋର୍ଟରେ ଇଡି ଦ୍ୱାରା ଦାଖଲ ହୋଇଥିବା ଏକ ଆଫିଡେଭିଟ୍ର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, କୋର୍ଟରେ ତାଙ୍କ ମୁଣ୍ଡରେ ୬,୨୦୩ କୋଟି ଟଙ୍କାର ଋଣ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ, ଇଡିର ନିଜସ୍ୱ ଆଫିଡେଭିଟ୍ ଅନୁସାରେ, ୨୦୨୧ ମସିହା ସୁଦ୍ଧା ତାଙ୍କଠାରୁ ୧୪,୧୩୧.୬୦ କୋଟି ଟଙ୍କା ଆଦାୟ କରାଯାଇସାରିଛି । ମାଲ୍ୟା ପ୍ରଶ୍ନ କରିଛନ୍ତି ଯେ, ଋଣଠାରୁ ଅଧିକ ଅର୍ଥ ପୈଠ ହେବାର ୫ ବର୍ଷ ପରେ ବି ତାଙ୍କୁ ଗଣମାଧ୍ୟମରେ କାହିଁକି ଠକ ବୋଲି କୁହାଯାଉଛି ? କିଙ୍ଗଫିସର ଏୟାରଲାଇନ୍ସର କର୍ମଚାରୀମାନଙ୍କ ପ୍ରସଙ୍ଗ ଉଠାଇ ସେ ଦାବି କରିଛନ୍ତି ଯେ ଇଡି ଜବତ କରିଥିବା ତାଙ୍କ ସମ୍ପତ୍ତିରୁ ହିଁ ୩୫୦ କୋଟି ଟଙ୍କା କର୍ମଚାରୀମାନଙ୍କୁ ବଣ୍ଟାଯାଇଥିଲା । ତାଙ୍କ ଯୁକ୍ତି ହେଲା, ଯେତେବେଳେ ବ୍ୟାଙ୍କଗୁଡ଼ିକ ତାଙ୍କ ଋଣଠାରୁ ଅଧିକ ଟଙ୍କା ଆଦାୟ କରିସାରିଛନ୍ତି, ତେବେ ତାଙ୍କର ବଳକା ଟଙ୍କା ତାଙ୍କୁ କେବେ ଫେରସ୍ତ ମିଳିବ ?
ଲଣ୍ଡନ ନ ଛାଡ଼ିବା ପଛରେ ରହିଛି ଆଇନଗତ କଟକଣା:
ଭାରତ ନ ଫେରିବା ଏବଂ ପଳାତକ ବୋଲି କୁହାଯାଉଥିବା ଅଭିଯୋଗର ଜବାବ ଦେଇ ମାଲ୍ୟା କହିଛନ୍ତି ଯେ ସେ ନିଜ ଇଚ୍ଛାରେ ସେଠାରେ ଅଟକି ନାହାଁନ୍ତି । ସେ ୧୯୯୨ ମସିହାରୁ ୟୁକେର ସ୍ଥାୟୀ ବାସିନ୍ଦା । ବର୍ତ୍ତମାନ ଆଇନଗତ ଜଟିଳତା କାରଣରୁ ତାଙ୍କର ୟୁକେ ଛାଡ଼ିବା ଉପରେ କଟକଣା ରହିଛି । ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ସେ କହିଛନ୍ତି ଯେ, ତାଙ୍କ ମାମଲାରେ ପ୍ରବଳ ଅନ୍ୟାୟ କରାଯାଇଛି ଏବଂ ସେ ଭାରତ ଆସିବାରୁ ପଛାଉନାହାଁନ୍ତି, ବରଂ ଆଇନଗତ ମାମଲାରେ ବାନ୍ଧି ହୋଇ ରହିଛନ୍ତି ।
ଭାରତ ସରକାର ଏବଂ କୋର୍ଟଙ୍କ କଡ଼ା ଆଭିମୁଖ୍ୟ:
ମାଲ୍ୟା ଯାହା ବି ଦାବି କରନ୍ତୁ ନା କାହିଁକି, ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ଆର୍ଥିକ ଅପରାଧ କରିଥିବା ଏପରି ପଳାତକମାନଙ୍କୁ ଭାରତୀୟ କୋର୍ଟର ସାମ୍ନା କରିବାକୁ ପଡ଼ିବ ବୋଲି ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ, ଭାରତୀୟ ଅଦାଲତ ମଧ୍ୟ ମାଲ୍ୟାଙ୍କ ପ୍ରତି ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଇନଗତ ପ୍ରକ୍ରିୟାରୁ ଜାଣିଶୁଣି ଦୂରେଇ ରହି କେହି ମଧ୍ୟ କୋର୍ଟରୁ ଆଶ୍ୱସ୍ତି ପାଇପାରିବେ ନାହିଁ ବୋଲି ବମ୍ବେ ହାଇକୋର୍ଟ ସ୍ପଷ୍ଟ କରିସାରିଛନ୍ତି । ମାଲ୍ୟା ଭାରତ ଫେରିବାକୁ ଚାହୁଁଛନ୍ତି କି ନାହିଁ, ସେନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ ପୂର୍ବରୁ ତାଙ୍କୁ ଶେଷ ସୁଯୋଗ ମଧ୍ୟ ଦେଇଥିଲେ ।
ସୌଜନ୍ୟ ପ୍ରମେୟ



