ରାଜ୍ୟ

ଇରାନର ପରମାଣୁ କେନ୍ଦ୍ରରେ ନିର୍ମାଣ କାମ ଜୋରଦାର

ୱାଶିଂଟନ : ଆମେରିକା ସହ ସାମରିକ ସଂଘର୍ଷ ଲାଗି ରହିଥିବାବେଳେ ଇରାନର ଭୂତଳ ପରମାଣୁ କେନ୍ଦ୍ର ‘ପିକ୍-ଆକ୍ସ ମାଉଣ୍ଟେନ୍’ରେ ନିର୍ମାଣ କାର୍ଯ୍ୟ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି। ଆମେରିକାର ଗବେଷଣା ସଂସ୍ଥା ‘ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍’ (ସିଏସ୍‌ଆଇଏସ୍‌)ର ରିପୋର୍ଟ ଆଧାରରେ ଗଣମାଧ୍ୟମରେ ଏହି ସୂଚନା ପ୍ରକାଶ ପାଇଛି। ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟସ୍ଥ କୋ-ଏ କୋଲାଙ୍ଗ ଗାଜ୍ ଲା ପାହାଡ଼ ତଳେ ଭୂପୃଷ୍ଠରୁ ପ୍ରାୟ ୮୦ ରୁ ୧୦୦ ମିଟର ଗଭୀରତାରେ ଏହି ଗୁପ୍ତ ଭୂତଳ କେନ୍ଦ୍ର ନିର୍ମାଣ ହେଉଛି। ବିଗତ ୬ ବର୍ଷର ଉପଗ୍ରହ ଚିତ୍ରକୁ ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ, ୨୦୨୬ ମସିହାରେ ଏଠାରେ ସବୁଠାରୁ ଅଧିକ ନିର୍ମାଣ କାର୍ଯ୍ୟ ଓ ରାସ୍ତାଘାଟ କାମ ଚାଲିଛି। ଟନେଲ୍‌ଗୁଡ଼ିକର ପ୍ରବେଶ ପଥକୁ ଆହୁରି ମଜଭୁତ କରାଯାଉଛି ଏବଂ ଭିତର ନିର୍ମାଣ ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ସୁରକ୍ଷିତ ଭୂତଳ କେନ୍ଦ୍ରଟିକୁ ଇରାନ ନିଜର ସେଣ୍ଟ୍ରିଫ୍ୟୁଜ୍ ଆସେମ୍ବ୍ଲି, ୟୁରାନିୟମ୍ ସମୃଦ୍ଧିକରଣ କିମ୍ବା ପରମାଣୁ ଅସ୍ତ୍ର ସମ୍ପର୍କିତ ସମ୍ବେଦନଶୀଳ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଗୁପ୍ତ ସ୍ଥାନ ଉପରେ ଶୀଘ୍ର ଆକ୍ରମଣ କରାଯାଇପାରେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହା ଏତେ ଗଭୀରରେ ଅବସ୍ଥିତ ଯେ ସାଧାରଣ ବଙ୍କର-ବଷ୍ଟର ବୋମା ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଅତ୍ୟନ୍ତ କଷ୍ଟକର। ଗଭୀର ଭୂତଳ ଲକ୍ଷ୍ୟସ୍ଥଳଗୁଡ଼ିକୁ ଭାଙ୍ଗିବା ପାଇଁ ଆମେରିକାର ପେଣ୍ଟାଗନ୍ ଏକ ଗୁପ୍ତ ଅସ୍ତ୍ର ପରୀକ୍ଷଣ ପାଇଁ ଜରୁରୀକାଳୀନ ପ୍ରସ୍ତୁତି ଚଳାଇଥିବା ମଧ୍ୟ ରିପୋର୍ଟରେ ଦାବି କରାଯାଇଛି। ଇରାନ ଏହି ସ୍ଥାନକୁ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ, ଆମେରିକା ଏହାକୁ ନଷ୍ଟ କରିବା ପାଇଁ ସାମରିକ ରଣନୀତି ପ୍ରସ୍ତୁତ କରୁଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button