Heavy Rain Warning: ଆଜି ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ, ଉତ୍ତର ଓ ଉପକୂଳରେ ପ୍ରବଳ ବର୍ଷିବା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ

ଭୁବନେଶ୍ୱର,୧୦/୦୯: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଗୁରୁବାର ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗୁରୁବାର ମୟୂରଭଞ୍ଜରେ ଅତି ଭୀଷଣ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ଅଛି । ୧୧ ତାରିଖ(ଶୁକ୍ରବାର) କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ଆଶଙ୍କା ଅଛି ।
୧୨ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ବୁଧବାର ଖୋର୍ଦ୍ଧାରେ ୧୮ମିମି, ଢେଙ୍କାନାଳରେ ୧୬.୪, ବାରିପଦାରେ ୧୪.୮, କେନ୍ଦୁଝରରେ ୮.୪ ଓ ଯାଜପୁରରେ ୬.୫ମିମି ବର୍ଷା ରେକର୍ଡ ହୋଇଛି ।
ସୌଜନ୍ୟ ପ୍ରମେୟ




