Suicide Prevention Day ; ଆଜି ଆତ୍ମହତ୍ୟା ନିରୋଧୀ ଦିବସ, ଚିନ୍ତା ବଢ଼ାଉଛି ପାରିବାରିକ ସମସ୍ୟା

କଟକ,୧୦/୯ : ଦିନକୁ ଦିନ ବଢୁଥିବା ଆତ୍ମହତ୍ୟା ପ୍ରବଣତା ରୋକିବା ସହ ଏ ସମ୍ପର୍କରେ ସତେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରାଯାଉଛି । ଏଥିପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଏହାର ନିରାକରଣ ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି । କିନ୍ତୁ ଆତ୍ମହତ୍ୟା କମିବା ବଦଳରେ ବଢ଼ି ଚାଲିଛି । ଏହା ପଛରେ ବିଶେଷକରି ପାରିବାରିକ ସମସ୍ୟା ଏବଂ ପ୍ରେମଜନିତ ହତାଶାଭାବ ଥିବା ଲକ୍ଷ୍ୟ କରାଯାଉଛି । ଏହାଠୁ ଆହୁରି ଉଦ୍ବେଗର ବିଷୟ ହେଉଛି, କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢ଼ିବା ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୪ ମଧ୍ୟରେ ଆତ୍ମହତ୍ୟାର ହାର ୨୦୨୨ ମସିହା ପର୍ଯ୍ୟନ୍ତ ବଢୁଥିବା ବେଳେ ୨୦୨୨ ତୁଳନାରେ ୨୦୨୩ ଏବଂ ୨୦୨୪ରେ ସଂଖ୍ୟା ସାମାନ୍ୟ କମିଛି । ବିଶେଷକରି କୋଭିଡ୍ ପରେ ଅର୍ଥାତ୍ ୨୦୨୨ରେ ରାଜ୍ୟରେ ଆତ୍ମହତ୍ୟା ଘଟଣା ୬ ହଜାର ୧୪୦ରେ ପହଞ୍ଚିଥିଲା । ୨୦୨୪ରେ ୫୭୯୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ରେ ୫୯୮୯ ଜଣ, ୨୦୨୨ରେ ୬୧୪୦ ଜଣ, ୨୦୨୧ରେ ୫୬୫୧ ଜଣ, ୨୦୨୦ରେ ୫୫୬୯ ଜଣ ଏବଂ ୨୦୧୯ରେ ସର୍ବନିମ୍ନ ୪୫୮୨ ଜଣ ଆତ୍ମହତ୍ୟା କରିଥିଲେ । ୨୦୨୫ ଏବଂ ୨୦୨୬ର ଆତ୍ମହତ୍ୟାଜନିତ ତଥ୍ୟ ଉପଲବ୍ଧ ହୋଇନାହିଁ । ୨୦୨୪ରେ ହୋଇଥିବା ୫୭୯୧ ଆତ୍ମହତ୍ୟାରୁ ୫୬.୮ ପ୍ରତିଶତ ଆତ୍ମହତ୍ୟା ପାରିବାରିକ ସମସ୍ୟା ପାଇଁ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ଏହା ସହ ପ୍ରେମଜନିତ ହତାଶାଭାବ ଆଉ ଏକ ପ୍ରମୁଖ କାରଣ ହୋଇଛି । ଯାହାର ଏକାଧିକ ଉଦାହରଣ ନିକଟ ଅତିତରେ କଟକ ଭଳି ରାଜ୍ୟର ପ୍ରମୁଖ ସହରରେ ଦେଖିବାକୁ ମିଳିଛି ।
ଜୁଲାଇ ୪ରେ ଚାଉଳିଆଗଞ୍ଜ ଥାନା ଅଧିକାରୀ ଥିବା ବିୟୁଟି ମହାନ୍ତି ନିଜ ଅଫିସ୍ କ୍ୱାର୍ଟରରେ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଅପରାଧ ନିୟନ୍ତ୍ରଣ କରିବା କାର୍ଯ୍ୟରେ ଥାଇ ମଧ୍ୟ ନିଜେ ହତାଶାଭାବର ଶିକାର ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସେହିପରି ପ୍ରେମଜନିତ କାରଣ ପାଇଁ ଗତ ଜୁଲାଇ ମାସରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ କାଠଯୋଡ଼ି ନଦୀରୁ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା କୁହାଯାଇଥିଲା । ସେହିପରି ୨୦୨୫ ମସିହାରେ ଜଣେ ମହିଳା ଡାକ୍ତର ଦରଘାବଜାର ସ୍ଥିତ ଘରେ କରିଥିବା ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ବ୍ଲାକମେଲ୍ ଏବଂ ମାନସିକ ଅବସାଦରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଥିଲା । ଏଭଳି ଘଟଣା ବଢୁଥିବା ବେଳେ ଏହାର କାରଣ ଏବଂ ପ୍ରତିକାର ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଜୟ ମିଶ୍ର କହିଛନ୍ତି, ଆତ୍ମହତ୍ୟା ଘଟଣାରେ ବିଭିନ୍ନ କାରଣ ରହିଛି । ପାରିବାରିକ ସମସ୍ୟା ସହ ଅତ୍ୟଧିକ ଚାପ, ଭୟ, ମାନସିକ ଅବସାଦ ଏବଂ ସମସ୍ୟା ସମାଧାନ ହେଉନଥିବାର ହତାଶାଭାବ ଏହାର ପ୍ରମୁଖ କାରଣ । ତେବେ ଏହାର ପ୍ରତିକାର ପାଇଁ ନିଜ ଲୋକଙ୍କୁ ମନକଥା କହିବା ସହ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଆତ୍ମହତ୍ୟା ପ୍ରବଣତା ଦୂର ହୋଇପାରିବ ।
ସୌଜନ୍ୟ ପ୍ରମେୟ




