Lord Jagannath Land: ଶ୍ରୀଜଗନ୍ନାଥଙ୍କ ୨୨ ହଜାର ଏକର ଜମିର ହିସାବ ନାହିଁ, ରାଜଭାଗ ବନ୍ଦ; ଏବେ ଜମି ବିକ୍ରି ପାଇଁ ତତ୍ପରତା

ପୁରୀ, ୧୦।୯: ଗୋଟିଏ ପରେ ଗୋଟିଏ ଅଫିସ୍ ବନ୍ଦ । କଟକ, ବ୍ରହ୍ମପୁର, ନୟାଗଡ଼ରେ ଶ୍ରୀଜଗନ୍ନାଥଙ୍କ ଭୂମିରୁ ରାଜଭାଗ ଆଦାୟ ନିମନ୍ତେ ଖୋଲିଥିବା ଶାଖା ତହସିଲ କାର୍ଯ୍ୟାଳୟ ବନ୍ଦ ହୋଇଗଲା । ଫଳରେ ୨ ବର୍ଷ ହେବ ମହାପ୍ରଭୁଙ୍କ ଜମିରୁ ଆବଶ୍ୟକ ରାଜଭାଗ ଆଦାୟ ହୋଇପାରୁନି । ଏବେ କେବଳ ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଭୂମିରୁ ରାଜଭାଗ ଆଦାୟ ନିମନ୍ତେ ଶାଖା କାର୍ଯ୍ୟାଳୟ କାମ କରୁଛି । ହେଲେ ଖୋର୍ଦ୍ଧାରେ ମହାପ୍ରଭୁଙ୍କ ନାମରେ ଥିବା ପ୍ରାୟ ୧୦୦ଟି ଖଣି ମଧ୍ୟରୁ ଗୋଟିଏ ବି ଦୀର୍ଘ ବର୍ଷେ ହେବ ନିଲାମ ହୋଇପାରୁନି । ଫଳରେ କୋଟି କୋଟି ରାଜସ୍ୱ ପାଇବାରୁ ବଞ୍ଚିତ ହେଉଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନିକ ସ୍ଥାଣୁତା ଜାରି ରହିଥିବା ବେଳେ ମହାପ୍ରଭୁଙ୍କ ଜମି ବିକ୍ରି କରିବାକୁ ପୁଣି ଥରେ ତତ୍ପରତା ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଜମି ଚିହ୍ନଟ, ଏହାର ପଟ୍ଟା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ ଓ ଏହା ଉପରେ ଥିବା ପ୍ରଜାଙ୍କୁ ଚିହ୍ନଟ କରି ରାଜଭାଗ ଆଦାୟକୁ ଗୁରୁତ୍ୱ ଦିଆଯାଉନି । ପ୍ରଶାସନିକ ସୂତ୍ର ମୁତାବକ, ଯଦି ମହାପ୍ରଭୁଙ୍କ ସମସ୍ତ ଜମି ଚିହ୍ନଟ ହେବା ସହ ଏହା ଉପରେ ଦଖଲ କରିଥିବା ପ୍ରଜାଙ୍କ ଠାରୁ ରାଜଭାଗ ଆଦାୟ କରାଯାଏ ତେବେ ଟଙ୍କାର ଅଭାବ ରୁହନ୍ତା ନାହିଁ ।
ମହାପ୍ରଭୁଙ୍କ ନାମରେ ଅଦ୍ୟାବଧି ପ୍ରାୟ ୩୮ ହଜାର ଏକର ଜମିର ପଟ୍ଟା ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି । ଏହା ମଧ୍ୟରୁ ୧୦ ହଜାର ଏକର ଜମି ଉପରେ ରହିଥିବା ପ୍ରଜାଙ୍କୁ ସର୍ଭେ ଜରିଆରେ ଚିହ୍ନଟ କରି ରାଜଭାଗ ଦେବାକୁ ନୋଟିସ୍ କରାଯାଇଥିଲା । ଏଥିରୁ ବର୍ଷକୁ ପ୍ରାୟ ୨ କୋଟି ଟଙ୍କା ରାଜଭାଗ ଶ୍ରୀମନ୍ଦିର ପ୍ରଶାସନକୁ ମିଳୁଛି । ବାକି ୨୮ ହଜାର ଏକର ଜମି ଉପରେ କିଏ ଦଖଲଦାର ରହିଛି ତାହାର ସର୍ଭେ ହୋଇନି । ଏହା ସର୍ଭେ ହୋଇପାରିଲେ ପ୍ରାୟ ବର୍ଷକୁ ପ୍ରାୟ ୮ କୋଟି ଟଙ୍କା ରାଜସ୍ୱ ମିଳିପାରନ୍ତା । ସେପଟେ ଶାଖା ତହସିଲ ଅଫିସ୍ଗୁଡ଼ିକ ବନ୍ଦ ପରେ ରାଜଭାଗ ଆଦାୟ କମିବାରେ ଲାଗିଛି । ଯିଏ ରାଜଭାଗ ମନକୁ ଦେଲା ତ ଭଲ, ନହେଲେ ନାହିଁ । ଶାଖା ତହସିଲଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମିଜମା ଉପରେ ଜ୍ଞାନ ଥିବା ଅବସରପ୍ରାପ୍ତ ତହସିଲଦାର କିମ୍ବା ଓଆରଏସ୍ ଏବଂ ଆରଆଇଙ୍କୁ ନିଯୁକ୍ତି ଦେଇ ରାଜଭାଗ ଆଦାୟ ବ୍ୟବସ୍ଥା ହୋଇଥିଲା । କିଛି ଜାଗାରେ ଏମାନଙ୍କ ଜରିଆରେ ରାଜଭାଗ ଆଦାୟ ବେଳେ କେଳେଙ୍କାରୀ ନଜର ଆସିଥିଲା ଯାହା ବିବାଦୀୟ ପ୍ରସଙ୍ଗ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ଜମିରୁ ଏବେ ରାଜଭାଗ ମିଳୁଛି । ହେଲେ ଅନ୍ଧ୍ର ସମେତ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ରେ ଥିବା ମହାପ୍ରଭୁଙ୍କ ଜମିର ପଟ୍ଟା ଏପର୍ଯ୍ୟନ୍ତ ମିଳିନଥିବା ବେଳେ ରାଜଭାଗ ଆଦାୟ ହୋଇପାରୁନି ।
ସୌଜନ୍ୟ ପ୍ରମେୟ




