Nuakhai 2026: ନୂଆଁଖାଇରେ ମହରଗ ନୂଆଧାନ, ପାକଳ ହେବାକୁ ଆହୁରି ୧୫ ଦିନ; ଚିନ୍ତାରେ ଚାଷୀ ଓ ଅଧିବାସୀ

ବରଗଡ଼,୧୦/୯: ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଜୋର୍ ଧରିଲାଣି ପ୍ରସ୍ତୁତି । ମା’ ସମଲେଶ୍ୱରୀଙ୍କ ସମେତ ନିଜ ନିଜ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ଲଗ୍ନ ଘୋଷଣା ହୋଇସାରିଛି । ହାତରେ ମାତ୍ର ୫ ଦିନ । ହେଲେ ପର୍ବର ପ୍ରମୁଖ ଉପାଦାନ ନୂଆଧାନକୁ ନେଇ ଦେଖାଦେଇଛି ସଙ୍କଟ । କାରଣ ଏଯାଏ ଧାନ ପାକଳ ହୋଇନି । ଏଥିପାଇଁ ଅତିକମରେ ଆହୁରି ୧୫ଦିନ ସମୟ ଲାଗିବ । ନୂଆଧାନ ଅଭାବରେ କିଭଳି ନୂଆଁଖାଇ ପାଳନ କରାଯିବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ର ଚାଷୀ ଓ ଅଧିବାସୀ । ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଯଥେଷ୍ଟ ବିଳମ୍ବରେ ଆରମ୍ଭ ହୋଇଛି ଖରିଫ୍ ଚାଷ । ସେପ୍ଟେମ୍ବର ପ୍ରଥମ ସପ୍ତାହ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଚାଷ ଅଧାଅଧି ପର୍ଯ୍ୟାୟ ଡେଇଁନାହିଁ । କୌଣସି ଗୋଟିଏ ସ୍ଥାନରେ ଧାନ ଅମଳଯୋଗ୍ୟ ହୋଇନାହିଁ । ବଡ଼ଧାନ ତ ଦୂରର କଥା, ଛୋଟ ଧାନ ମଧ୍ୟ ପାକଳ ହୋଇନାହିଁ । ବାହାଲ ଜମିରେ ରୁଆ ଯାଇଥିବା ଛୋଟ ଧାନ ପିଲ ଉଠୁଛି । ମାଲ ଜମିର ଧାନ ସବୁ ଗର୍ଭଧାରଣ କରିଛି । ଗର୍ଭିଣୀ ଧାନଗଛରୁ କେଣ୍ଡା ବାହାରିବାକୁ ଅନ୍ତତଃ ୧୫ଦିନ ଲାଗିବ । ଛୋଟଧାନ ଅକ୍ଟୋବର ୧୫ ପରେ ପାକଳ ହେବ । ବଡ଼ଧାନ ଅମଳ ହେବା ବେଳକୁ ଅକ୍ଟୋବର ଟପିବ । ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ଥିତି ସମାନ । ତେଣୁ ନୂଆଁଖାଇ ପାଇଁ ଆବଶ୍ୟକ ଧାନକୁ ନେଇ ଚିନ୍ତା ବଢ଼ିଛି ।
ଚାଷୀଙ୍କ କହିବା କଥା, ଚଳିତ ବର୍ଷ ଜୁନରେ କମ୍ ବର୍ଷିଲା । ଜୁଲାଇରେ ମାତ୍ରାଧିକ ବର୍ଷା ବନ୍ୟା ଆଣିଲା । ତଥାପି ଠିକ୍ ସମୟରେ ଚାଷ ଉଠିଯିବ ବୋଲି ଆଶା ଥିଲା । ହେଲେ ଏଗ୍ରିଷ୍ଟାକ ଭଳି ନିୟମରେ ଧନ୍ଦି ହୋଇ ଚାଷୀ ଚାଷରେ ମନ ଦେଇ ପାରିଲେନି । ଫଳରେ ଚାଷ ଆହୁରି ବିଳମ୍ବିତ ହୋଇଛି । ନୂଆଧାନ ସଂଗ୍ରହକୁ ନେଇ ପ୍ରତି ପରିବାର ସଂଘର୍ଷ କରୁଛନ୍ତି । ନୂଆଁଖାଇ ପାଇଁ ୬୦ଦିନ ବା ଦୁଇମାସରେ ଅମଳ କ୍ଷମ ଧାନ ଚାଷ କରାଯାଏ । ବରଗଡ଼ ଜିଲ୍ଲାରେ ସରିଆ ଓ ଷାଠିଆ, ଦେବଗଡ଼ ଜିଲ୍ଲାରେ ଗୁଡା ଓ କରଙ୍ଗା, କଳାହାଣ୍ଡି ଜିଲ୍ଲାରେ ସେତକା ଓ ପାହାଡି ଜୀରା କିସମ ଏଥିପାଇଁ ବର୍ଷ ବର୍ଷ ଧରି ନିର୍ଭରଯୋଗ୍ୟ ରହିଆସିଛି । ସାଧାରଣତଃ ୫୫ରୁ ୬୦ଦିନ ଭିତରେ ଅମଳ ହୋଇପାରୁ ଥିବାରୁ ନୂଆ ଧାନ ସଂଗ୍ରହରେ ବିଶେଷ ସମସ୍ୟା ହେଉ ନ ଥିଲା । କିନ୍ତୁ ଚଳିତ ବର୍ଷ ବିଳମ୍ବିତ ଖରିଫ୍ ଚାଷ ସମସ୍ୟାକୁ ବହୁଗୁଣିତ କରିଦେଇଛି । ବିଳମ୍ବିତ ଚାଷ ସମୟରେ ଉଠା ଜଳସେଚିତ ଜମିର ଧାନ ନୂଆଖାଇରେ ଆଶାର କିରଣ ସାଜୁଥିଲା । କିନ୍ତୁ ପାୱାରକଟ୍, ଲୋଭୋଲଟେଜ୍ ସମସ୍ୟା ଏବଂ ବକେୟା ବିଜୁଳି ବିଲ ଆଦାୟ ଆଳରେ ସଂଯୋଗ ବିଚ୍ଛିନ୍ନରେ ଚାଷୀ ଆକ୍ତାମାକ୍ତା ହୋଇଛନ୍ତି । ଏଭଳି ସ୍ଥଳେ ପଶ୍ଚିମ ଓଡ଼ିଶାବାସୀ ଛତିଶଗଡ଼ର ଧାନ ଉପରେ ନିର୍ଭର କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ଉଲ୍ଲେଖଯୋଗ୍ୟ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା ଅଞ୍ଚଳରେ ସରିଆ ଧାନରେ ନୂଆଁଖାଇ ପାଳନ କରାଯାଏ । ସେତ୍କା ଧାନରେ ନୂଆ ଖାଇଥାନ୍ତି କଳାହାଣ୍ଡି ଅଞ୍ଚଳବାସୀ । ସେହିଭଳି ବୌଦ୍ଧ, ରେଢ଼ାଖୋଲ, ସୋନପୁର ଅଞ୍ଚଳବାସୀ ଷାଠିଆ, ଗୁଡ଼ା, କରଙ୍ଗା ଧାନ ଉପରେ ନିର୍ଭର କରିଥାନ୍ତି । ଉପରୋକ୍ତ କୌଣସି ଜିଲ୍ଲାରେ ପାକଳ ଧାନର ଚିହ୍ନବର୍ଣ୍ଣ ନଥିବାରୁ ନୂଆଧାନ ମହରଗ ହେବ ବୋଲି ଜଳଜଳ ହୋଇ ଦିଶୁଛି ।
ସୌଜନ୍ୟ ପ୍ରମେୟ




