Orangutan Mystery: କ୍ରାଇମ୍ ବ୍ରାଞ୍ଚ STF ହାତରେ ବଡ଼ ସୁରାକ୍; ଥାଇଲାଣ୍ଡରୁ ମିଜୋରାମ ଭାୟା ମିଆଁମାର ପରେ ବାଲେଶ୍ବର ଜଙ୍ଗଲ, ଜଳବାୟୁ ସହ ଖାପ୍ ଖୁଆଇବାକୁ ମାସେ ରଖାଯାଇଥିଲା !

- ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶା ହେବନି ଟ୍ରାଞ୍ଜିଟ୍ ରୁଟ୍
- ଥାଇଲାଣ୍ଡ-ମିଆଁମାର ରୁଟ୍ରେ ମିଜୋରାମ, ପରେ ବାଲେଶ୍ବର
- ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ, ତଦନ୍ତ ନିର୍ଦ୍ଦେଶ
- ଇଣ୍ଟରପୋଲ ସହାୟତା ନିଆଯିବ: ଆରସିସିଏଫ୍
- ୧୫ କିମି ପରିଧିରେ ପୂର୍ବରାତିର ଟାୱାର ଡମ୍ପିଂ
- ବାଲେଶ୍ୱର ଆସିବେ ଡବ୍ଲୁସିସିବିର ୪ ଜଣିଆ ଟିମ୍
ଭୁବନେଶ୍ୱର/ଚନ୍ଦନେଶ୍ୱର, ୧୧/୦୯: ଓରାଙ୍ଗଉଟାନ୍ ଶାବକଗୁଡିକୁ ଇଣ୍ଡୋନେସିଆରୁ ସିଧାସଳଖ ଓଡିଶାକୁ ଅଣାଯାଇ ନାହିଁ । କିମ୍ବା ସମୁଦ୍ରପଥରେ ସପ୍ତାହେ ଧରି କୌଣସି ପଣ୍ୟ ଜାହାଜରେ ଚାଲାଣ କରାଯାଇନି । ଥାଇଲାଣ୍ଡ-ମିଆଁମାର ରୁଟ୍ରେ ମିଜୋରାମକୁ ଅଣାଯାଇ ସେଠାରେ ମାସେ ଧରି ଶାବକଗୁଡିକୁ ରଖାଯାଇଥିଲା । ଉତ୍ତର-ପୂର୍ବ ଭାରତର ଜଳବାୟୁ ସହ ରହଣି ପାଇଁ ଅଭ୍ୟସ୍ତ କରାଯାଇଥିଲା । ଓଡିଶାରେ ୫ ଓରାଙ୍ଗଉଟାନ୍ ଶାବକ ଠାବ ଘଟଣାରେ ଏଭଳି କିଛି ଚାଞ୍ଚଲ୍ୟକର ସୁରାକ୍ ପାଇଛନ୍ତି କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଓ ବନ ବିଭାଗ ଟିମ୍ ।
ମା’-ବାପା ବିନା ବର୍ଷକର ଛୁଆମାନେ ଏଠାକାର ପାଣିପାଗ ସହ ଖାପ ଖୁଆଇ ଯାଇଥିବାରୁ ଏହି ଦିଗରେ ସନ୍ଦେହ ଘନେଇଛି । ସେନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି । ଏହାର ସତ୍ୟାସତ୍ୟ ଖୋଜିବାକୁ ଖୁବ୍ ଶୀଘ୍ର ଏକ ଟିମ୍ ମିଜୋରାମକୁ ଯିବ । ଦରକାର ପଡିଲେ, ଇଣ୍ଟରପୋଲର ସହାୟତା ନିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଓଡିଶାକୁ କେବେ ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣର ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଉ ଚେତାଇ ଦେଇଛନ୍ତି, ଯଦି ଅନ୍ତରାଷ୍ଟ୍ରୀୟ ସ୍ମଗଲିଂର ସମ୍ପୃକ୍ତି ମିଳେ, କାହାରିକୁ ଛଡ଼ାଯିବନି । ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଟିକିନିଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିରଳ ପ୍ରାଣୀଗୁଡିକ କେଉଁ ରୁଟ୍ ଦେଇ ଓଡିଶାରେ ପହଞ୍ଚିଲେ? ଏହା ପଛରେ ଉଦ୍ଦେଶ୍ୟ କଣ ହୋଇପାରେ? ଚୋରା ଚାଲାଣରେ କିଏ କିଏ ସମ୍ପୃକ୍ତ ଅଛନ୍ତି? ଏସବୁ ତଦନ୍ତ କରି ରହସ୍ୟରୁ ପରଦା ହଟାଯିବ ବୋଲ ସେ ସ୍ପଷ୍ଟ କରିଛନ୍ତି ।
ଓରାଙ୍ଗଉଟାନ୍ଗୁଡ଼ିକୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡବ୍ଲୁସିସିବିର କୋଲକାତା ଓ ଭୋପାଳ ଶାଖାର ୪ଜଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି । ଜଣେ ଉପନିର୍ଦ୍ଦେଶକ ଏହାର ତଦନ୍ତ ଭାର ସମ୍ଭାଳିଛନ୍ତି । ସେମାନେ ଆସନ୍ତାକାଲି ଘଟଣାସ୍ଥଳକୁ ଆସି ଛାନ୍ଭିନ୍ କରିବେ । ପୂର୍ବରୁ ମିଜୋରାମ ଓ ଆସାମରୁ ଏକାଧିକ ଥର ଅନ୍ତର୍ଜାତୀୟ ଓରାଙ୍ଗଉଟାନ୍ ର୍ୟାକେଟ୍ର ପର୍ଦ୍ଦାଫାଶ ହୋଇଛି । ଇଣ୍ଡୋନେସିଆରୁ ଥାଇଲ୍ୟାଣ୍ଡମିଆଁମାର ରୁଟ୍ ଦେଇ ଭାରତକୁ ଏକ ପୁରୁଣା ସ୍ମଗଲିଂ ରୁଟ୍ ଲମ୍ବିଛି । ସେହି ରୁଟ୍ରେ ବିରଳ ଓରାଙ୍ଗଉଟାନ୍ଗୁଡିକୁ ଅଣାଯାଇଥିବା ଅନୁମାନ କରାଯାଉଛି । ଏହି ଚୋରା ଚାଲାଣ ସିଣ୍ଡିକେଟ୍ଟି ମିଜୋରାମର କିଛି ଜଙ୍ଗଲ ଇଲାକାରେ ବେଶ୍ ସକ୍ରିୟ । ସେଠାରେ ଶାବକମାନଙ୍କୁ ବେଶ୍ କିଛି ଦିନ ରଖାଯାଇ ଏଠାକାର ପାଣିପାଗ ସହ ରହଣିର ଅଭ୍ୟସ୍ତ କରାଯାଇଥାଇପାରେ । ଏସବୁ ଆନ୍ତଃରାଷ୍ଟ୍ରୀୟ ତସ୍କରି ବାବଦକୁ ସବିଶେଷ ତଥ୍ୟ ତଦନ୍ତକାରୀ ଟିମ୍କୁ ଧରାଇଛି ଡବ୍ଲୁସିସିବି ।
ସୌଜନ୍ୟ ପ୍ରମେୟ




