Revised textbooks : ବହି ନାହିଁ… ସପ୍ତାହେ ପରେ ଅର୍ଦ୍ଧବାର୍ଷିକ ପରୀକ୍ଷା, କେବେ ମିଳିବ ସଂଶୋଧିତ ପାଠ୍ୟପୁସ୍ତକ ?

ଭୁବନେଶ୍ୱର, ୧୨/୯ : ଆଉ କିଛି ଦିନ ପରେ ଆରମ୍ଭ ହେବ ଅର୍ଦ୍ଧବାର୍ଷିକ ପରୀକ୍ଷା । ଏହା ପଛକୁ ପୁଣି ପୂଜା ଛୁଟି । ହେଲେ ଏଯାବତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିଲାନି ସଂଶୋଧିତ ପାଠ୍ୟପୁସ୍ତକ । କଥା କଥାରେ ରହିଗଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରତିଶ୍ରୁତି । କେତେ ବାଟ ସଂଶୋଧନ ପ୍ରକ୍ରିୟା ଆଗେଇଲା ? ପାଠ୍ୟପୁସ୍ତକ କେବେ ମିଳିବ ? ଏସବୁର ଉତ୍ତର କାହାରି ପାଖରେ ନାହିଁ । ସଂଶୋଧିତ ବହି ତ ଅଲଗା କଥା, ଏମିତିକି ଅନେକ ପିଲାଙ୍କ ପାଖରେ ସଂପୂର୍ଣ୍ଣ ବହି ପହଞ୍ଚିନଥିବାର ଅଭିଯୋଗ ମଧ୍ୟ ଆସିଛି । ଏପଟେ ଅଭିଭାବକ କହିଲେଣି ଯେ, ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବିଭାଗ । ଶିକ୍ଷକମାନେ ମଧ୍ୟ ଚିନ୍ତାରେ ସଂଶୋଧିତ ବହି କେବେ ମିଳିବ ।
ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷରୁ ପ୍ରାଥମିକ ଶିକ୍ଷା ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି ପରିବର୍ତ୍ତନ କରାଯାଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଓଡ଼ିଶା କରିକୁଲମ ଫ୍ରେମ୍ୱାର୍କ (ସ୍କୁଲ ଶିକ୍ଷା) ୨୦୨୫ ଆଧାରରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଗଲା । ପ୍ରଥମତଃ ଶିକ୍ଷାବର୍ଷ ଆରମ୍ଭରୁ ବହି ବଣ୍ଟନ ହେବା କଥା ତାହା ହୋଇପାରିଲା ନାହିଁ । ଖରା ଛୁଟି ସରିଗଲା ପଛେ ପିଲାଙ୍କ ପାଖେ ବହି ପହଞ୍ଚି ପାରିଲା ନାହିଁ । ପ୍ରଥମ ଥର ନୂତନ ପାଠ୍ୟପୁସ୍ତକ ମୁଦ୍ରଣ ହୋଇଥିବାରୁ ସାମାନ୍ୟ ବିଳମ୍ବ ହେଉଛି ବୋଲି ବିଭାଗ କହିଲା । ଓଲଟି ଯେତିକି ବହି ବଣ୍ଟନ କରାଗଲା ସେହି ନୂଆ ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟିକୁ ଧରିଲେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ । ଏହାକୁ ଖୋଦ୍ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ତଥା ଏସ୍ସିଇଆର୍ଟି ମଧ୍ୟ ସ୍ୱୀକାର କଲା । ନିଜେ ୧୬୭୮ଟି ଭୁଲ୍ ଥିବା ଏକ ତାଲିକା ମଧ୍ୟ ଜାରି କରି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)କୁ ପ୍ରଦାନ କରି ଭୁଲ୍ ସଂଶୋଧିତ କରି ପଢ଼ାଇବାକୁ କୁହାଯାଇଥିଲା । ଏହାପରେ ଖୋଳୁ ଖୋଳୁ ସାଂଘାତିକ ଭୁଲ୍ ଦେଖିବାକୁ ମିଳିଥଲା । ଜୁନ୍ ୧୬ ତାରିଖରେ ଏସଂପର୍କିତ ଏକ ଖବର ପ୍ରକାଶ ପାଇଥିଲା ।
ଏହି ତ୍ରୁଟିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ତଦନ୍ତ କମିଟି ଗଠନ କରି ଏହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । ତଦନ୍ତ କମିଟିର ରିପୋର୍ଟ ଆଧାରରେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଗଲା । ଏଥିସହ ଆଉ ୬ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା । ଏପରିକି ସରକାର କ୍ରାଇମ୍ବ୍ରାଞ୍ଚକୁ ତଦନ୍ତ ଭାର ଦେଲେ, କ୍ରାଇମ୍ବ୍ରାଞ୍ଚ ଖୋଳତାଡ଼ କରିବା ସହ ପୂର୍ବ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କଲା । ମୁଖ୍ୟମନ୍ତ୍ରୀ, ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟିର ୧୪ଟି ସୁପାରିଶ କାର୍ଯ୍ୟକାରୀ କରାଯିବ ବୋଲି ନିର୍ଦ୍ଦେଶ ଦେଲେ । ଏହି ଅନୁଯାୟୀ, ୭ଦିନ ମଧ୍ୟରେ ମୁଖ୍ୟ ତ୍ରୁଟି ସଂଶୋଧିତ ପୁସ୍ତିକା ପ୍ରକାଶ କରାଯିବ । ପାଠ୍ୟପୁସ୍ତକରେ ଥିବା ସାଘାଂତିକ ଭୁଲ୍ ଥିବା ପୃଷ୍ଠାକୁ ବଦଳାଇ ସେଠାରେ ନୂଆ ପୃଷ୍ଠା ପ୍ରିଣ୍ଟିଂ କରି ଯୋଗାଇ ଦିଆଯିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୃଷ୍ଠା ଯୋଗାଇ ଦିଆଯିବ । ସଂଶୋଧିତ ପିଡିଏଫ୍କୁ ଅଫିସିଆଲ୍ ଶିକ୍ଷଣ ସଂସ୍କରଣ ଭାବେ ଘୋଷଣା କରାଯିବ । ଏକ ସାର୍ବଜନୀନ ତ୍ରୁଟି ସଂଶୋଧନ ପୋର୍ଟାଲ ଖୋଲାଯିବ । ଏଥିସହ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି) ରେ ଟେକ୍ଷ୍ଟବୁକ୍ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ପ୍ରତିଷ୍ଠା କରାଯିବ । ଏହାକୁ ମଧ୍ୟ ବିଭାଗ ସ୍ୱୀକାର କରି ସାମ୍ବାଦିକ ସମ୍ମିଳନୀରେ ପିଲାଙ୍କୁ ଖୁବ୍ଶୀଘ୍ର ସଂଶୋଧିତ ପୁସ୍ତକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲା । ହେଲେ ଏଯାବତ୍ ଏସବୁର କିଛି ଦେଖା ଦର୍ଶନ ନାହିଁ ।
ସୌଜନ୍ୟ ପ୍ରମେୟ




