Bank Strike: ବ୍ୟାଙ୍କ ଧର୍ମଘଟରେ ୧୦ ହଜାର କୋଟି ଟଙ୍କାର କାରବାର ଠପ୍, ଜାଣନ୍ତୁ କେତେ ଦିନ ବନ୍ଦ ରହିବ ?

ଭୁବନେଶ୍ୱର ,୧୨/୦୯; ୟୁନାଇଟେଡ଼୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ (ୟୁଏଫ୍ବିୟୁ)ର ଆହ୍ୱାନ କ୍ରମେ ଶୁକ୍ରବାର ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ସଫଳ ହୋଇଛି । ଦେଶର ୮ ଲକ୍ଷରୁ ଊଦ୍ଧ୍ୱର୍ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଓଡ଼ିଶାରୁ ପ୍ରାୟ ୭୦ ହଜାର ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । କାଁ ଭାଁ କେତେକ ବେସରକାରୀ ବ୍ୟାଙ୍କ ଶାଖାକୁ ଛାଡ଼ିଦେଲେ ଏସ୍ବିଆଇ ସହିତ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ବନ୍ଦ ରହିଥିଲା । ଚେକ୍ କ୍ଲିୟରାନ୍ସ, ଟଙ୍କା ଜମା ଏବଂ ଉଠାଣ ସହ ନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହୋଇଛି । ତେବେ ଦିନିକିଆ ଧର୍ମଘଟ ଯୋଗୁ ରାଜ୍ୟରେ ପ୍ରାୟ ୧୦,୦୦୦ କୋଟିର ବ୍ୟାଙ୍କିଙ୍ଗ୍ କାରବାର ବ୍ୟାହତ ହୋଇଥିବା ୟୁଏଫ୍ବିୟୁ ଆବାହକ ଚିତ୍ତରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି ।
ଏହି ଧର୍ମଘଟକୁ ମିଶାଇଲେ ଓଡ଼ିଶାରେ ଲଗାତର ୫ ଦିନ ବ୍ୟାଙ୍କ ସେବା ବନ୍ଦ ରହୁଛି । ନିରବଚ୍ଛିନ୍ନ ସେବା ପାଇଁ ବିକଳ୍ପ ଚ୍ୟାନେଲ ଯେପରି ଏଟିଏମ୍, ମୋବାଇଲ ବ୍ୟାଙ୍କିଙ୍ଗ, ଇଣ୍ଟର୍ନେଟ ବ୍ୟାଙ୍କିଙ୍ଗ୍ ଆଦିର ବ୍ୟବହାର କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ବ୍ୟାଙ୍କ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମ୍କୁ ନେଇ ଅସଂଗତି ଏବଂ ପେନ୍ସନ ପ୍ରସଙ୍ଗ ସହ ଅନ୍ୟାନ୍ୟ ପିଛିଲା ଦାବିକୁ ନେଇ ଏହି ଧର୍ମଘଟ ହୋଇଛି । କେନ୍ଦ୍ର ସରକାର ଏହି ଦାବି ଉପରେ ଟାଳଟୁଳ ନୀତି ଆପଣାଇଛନ୍ତି । ଦାବି ତୁରନ୍ତ ପୂରଣ ନ ହେଲେ ଚଳିତ ମାସ ୨୮, ୨୯ ଏବଂ ୩୦ ତାରିଖରେ ପୁଣି ୩ ଦିନ ଧର୍ମଘଟ କରାଯିବ । ଏହା ପରେ ବି ଯଦି ଦାବି ପୂରଣ ନ ହୁଏ ତେବେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଚାଲିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ସୌଜନ୍ୟ ପ୍ରମେୟ




