ରାଜ୍ୟ

UCC Debate in Odisha: ଓଡ଼ିଶାରେ ୟୁସିସି ଚର୍ଚ୍ଚା: ଧର୍ମ ନୁହେଁ, ନାଗରିକ ଭାବେ ଆଇନଗତ ଅଧିକାର ମିଳିବ

୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ‌ଏହାପରେ ଓଡ଼ିଶାରେ ଖୁବ୍‌ଶୀଘ୍ର ୟୁସିସି ଲାଗୁ କରିବାକୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଭୁବନେଶ୍ବର: ୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ‌ଏହାପରେ ଓଡ଼ିଶାରେ ଖୁବ୍‌ଶୀଘ୍ର ୟୁସିସି ଲାଗୁ କରିବାକୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଆଇନ ଲାଗୁ କରିବାକୁ ଆଇନ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିୟମ, ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିର୍ଦ୍ଦେଶ, ସାମ୍ବିଧାନିକ ବ୍ୟବସ୍ଥା, ଉତ୍ତରାଖଣ୍ଡରେ ଲାଗୁ ହୋଇଥିବା ମୂଳ ଆଇନ ଏବଂ ଏଥିରେ ହୋଇଥିବା ସଂଶୋଧନ ସମେତ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତ ହୋଇଥିବା ଚିଠା ଆଇନକୁ ତର୍ଜମା କରି  ଓଡ଼ିଶାରେ ଏକ ଚିଠା ଆଇନ ପ୍ରସ୍ତୁତ ହେବ। ଏଥିପାଇଁ ପ୍ରଥମେ ଏକ ବିଶେଷଜ୍ଞ କମିଟି ଗଠନ ହେବ। ଆଇନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରେ କିପରି ୟୁସିସି କାର୍ଯ୍ୟକାରୀ ହେବ ସେନେଇ ଏକ ୫ରୁ ୬ଜଣିଆ ବିଶେଷଜ୍ଞ କମିଟି ରୂପରେଖ ପ୍ରସ୍ତୁତ କରିବ। ଏହାର ଅଧ୍ୟକ୍ଷ ଜଣେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରହ‌ିବେ। ଏହି କମିଟିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି, ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଜଣେ ସମାଜସେବୀ, ଆଇନ ବିଭାଗର ଜଣେ ଅଧିକାରୀ ରହିବେ। ସରକାର ଚାହିଁଲେ ଏହି କମିଟି ସଦସ୍ୟଙ୍କ ସଂଖ୍ୟା ବଢ଼ାଇପାରିବେ। ଏହି କମିଟି ମୁଖ୍ୟତଃ ଗୋଟିଏ ରାଜ୍ୟ/ଦେଶରେ ଗୋଟିଏ ଆଇନ କିପରି ଲାଗୁ ହେବ ସେନେଇ ବିଭିନ୍ନ ପରାମର୍ଶ ଓ ପ୍ରସ୍ତାବ ଦେବେ। ତେଣୁ ଓଡ଼ିଶାରେ ବିଶେଷଜ୍ଞ କମିଟି ଗଠନ ହେଲେ ହିଁ ଏହା ପରଠୁ ୟୁସିସି ପାଇଁ କାର୍ଯ୍ୟ ଆରମ୍ଭ ହେବ।

ସମାନ ନାଗରିକ ସଂହିତା ଲାଗୁ ହେଲେ ରାଜ୍ୟରେ ଯେକୌଣସି ଧର୍ମର ଯିଏ ବି ବିବାହ କଲେ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମ ଅନୁପାଳନ କରିବାକୁ ହେବ। ବିଭିନ୍ନ ଧର୍ମ ପାଇଁ ଥିବା ଭିନ୍ନ ଭିନ୍ନ ଆଇନ ଲାଗୁ ହେବନି। ଓଡ଼ିଶାର କୌଣସି ନାଗରିକ ଏକାଧିକ ବିବାହ କରିପାରିବେନି। ଅର୍ଥାତ୍ ସ୍ବାମୀ କି ସ୍ତ୍ରୀ ଜୀବିତ ଥିଲେ ସେମାନଙ୍କ ମଧ୍ୟରୁ କେହି ଅନ୍ୟତ୍ର ବିବାହ କରିପାରିବେନି। କେବଳ ବିବାହ ନୁହେଁ ସବୁ ଧର୍ମ ପାଇଁ ଛାଡ଼ପତ୍ର କ୍ଷେତ୍ରରେ ବି ସମାନ ନିୟମ ଲାଗୁ ହେବ। ଏଥିରେ ଛାଡ଼ପତ୍ର ପାଇଁ ଥିବା ଆଇନଗତ ପ୍ରକ୍ରିୟା, ଆଧାର, ପରବର୍ତ୍ତୀ ଅଧିକାର ପାଇଁ ସମାନ ଆଇନ ରହିବ। ଭରଣପୋଷଣ କ୍ଷେତ୍ରରେ ବି ସମସ୍ତଙ୍କ ପାଇଁ ଏକ ସମାନ ଆଇନ ରହିବ। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତଙ୍କ ପାଇଁ ଆଇନଗତ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ।

ଧର୍ମ ନୁହେଁ, ନାଗରିକ ଭାବେ ଆଇନଗତ ଅଧିକାର ମିଳିବ
ବିବାହରୁ ବିଚ୍ଛେଦ, ପୋଷ୍ୟରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ନିୟମ ବଦଳିବ
୯୬ଲକ୍ଷ ଜନଜାତିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ
ବିଶେଷଜ୍ଞ କମିଟି ରୂପରେଖ ପ୍ରସ୍ତୁତ କରିବ

ସେହିପରି ବିଭିନ୍ନ ଧର୍ମ ଅନୁଯାୟୀ ଭିନ୍ନ ଭିନ୍ନ ସମ୍ପତ୍ତି ଉତ୍ତରାଧିକାରୀ ‌ନିୟମ ଥିବାବେଳେ ଘର, ଜମି, କୃଷି ଜମି, ପୈତୃକ ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ପତ୍ତି କ୍ଷେତ୍ରରେ ଉତ୍ତରାଧିକାରୀ ନିୟମ ସମାନ ରହିବ। ଅର୍ଥାତ୍ ପୁଅ, ଝିଅଙ୍କୁ ସମାନ ଅଧିକାରୀ ମିଳିବ। ପତ୍ନୀ/ସ୍ବାମୀଙ୍କର ବି ସମ୍ପତ୍ତିରେ ଅଧିକାର ରହିବ। ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ବି ଏକ ପ୍ରକାରର ହେବ। ନିଜର ସନ୍ତାନ ଏବଂ ପୋଷ୍ୟ ସନ୍ତାନ କ୍ଷେତ୍ରରେ କୌଣସି ଅସାମଞ୍ଜସ୍ୟ ରହିବନି। ଓଡ଼ିଶାରେ ଯଦିଓ ଏବେ ଲିଭ୍‌ ଇନ୍ ପରମ୍ପରା ବେଶ୍ ପ୍ରଚଳିତ ନାହିଁ। କିନ୍ତୁ ଭବିଷ୍ୟତ ପିଢ଼ିଙ୍କୁ ନଜରରେ ରଖି ଯିଏ ଲିଭ୍‌ ଇନ୍‌ରେ ରହିବେ ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ। ବିବାହ ବିଚ୍ଛେଦ ପରି ଲିଭ୍‌ ଇନ୍‌ରେ ବି ସମ୍ପର୍କ ତୁଟାଇ ହେବ। ଲିଭ୍‌ ଇନ୍‌ରେ ଥିବାବେଳେ ଯଦି କୌଣସି ସନ୍ତାନସନ୍ତତି ଥିବେ ତେବେ ସେମାନଙ୍କୁ ବି ହକ୍ ମିଳିବ। ଏହାବାଦ୍ ବିଭିନ୍ନ ଧର୍ମ ଆଧାରରେ ଥିବା ନିୟମକୁ ଏକତ୍ରୀକରଣ କରି ଗୋଟିଏ ନିୟମ ଲାଗୁ କରାଯିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button