Inspiring story : ବାପା, ମାଆ ଦାଦନ ଖଟିଲେ, ପିଲାଙ୍କୁ ପାଠ ପଢ଼ାଇଲେ, ଡାକ୍ତର ହେବେ ଗୋଟିଏ ପରିବାରର ୫ ଭାଇ-ଭଉଣୀ

ଫୁଲବାଣୀ/ଦାରିଙ୍ଗବାଡ଼ି, ୧୫/୯ : ଭଙ୍ଗା କୁଡ଼ିଆ । କାନ୍ଥ ଦୁର୍ବଳ । ଅର୍ଥ ଅଭାବରୁ ମରାମତି କରି ହେଉନି । ଭଲ ଲୁଗା ଖଣ୍ଡେ ପିନ୍ଧିବାକୁ ନାହିଁ କି ଚଳିବାକୁ ଟଙ୍କା । ଏଥିରେ ପୁଣି ପିଲାଙ୍କ ପଢ଼ା । ଏଭଳି ଚିନ୍ତାରେ ଛନ୍ଦି ହୋଇଯାଇଥିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିକବାଡ଼ି ଗାଁର ବୁର୍ସି ପ୍ରଧାନ । ପିଲାଙ୍କ ଭବିଷ୍ୟତ କଣ ହେବ ଏଭଳି ପ୍ରଶ୍ନ ମନରେ ଉଙ୍କି ମାରୁଥିଲା । ପିଲାଙ୍କ ଭଲ ପାଠପଢ଼ା ଓ ପରିଶ୍ରମ ଦେଖି ଛାଡ଼ିଲେ ଭିଟାମାଟି । ଦାଦନ ଖଟିବାକୁ ଚାଲିଗଲେ । ଯାହାକିଛି ରୋଜଗାର ହେଲା ସେଥିରେ ପିଲାଙ୍କୁ ପଢ଼ାଇଲେ । ଆଜି ଏହି ତ୍ୟାଗର ଫଳ ପାଇଛନ୍ତି । ଆଦିବାସୀ ମୂଲକ କନ୍ଧମାଳ ଜିଲ୍ଲାର ଗୋଟିଏ ଗରିବ ପରିବାରର ୫ ଭାଇ ଭଉଣୀ ବାପା ମାଆଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଯେଉଁ ଘରେ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡ଼ୁଥିଲା, ସେହି ଘରର ୫ ଭାଇ ଭଉଣୀ ଡାକ୍ତର ହେବେ । ଏ କଥା ଶୁଣିଲେ ହୁଏତ ବିଶ୍ୱାସ ଲାଗି ନ ପାରେ, କିନ୍ତୁ ଏହା ହିଁ ସତ୍ୟ । ଦାରିଙ୍ଗବାଡ଼ି ବ୍ଲକ୍ର ଉପାନ୍ତ ଗାଁ ସିକବାଡ଼ିର ଏହି ୫ ଭାଇ ଭଉଣୀଙ୍କ ସଫଳ କାହାଣୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୌଜନ୍ୟ ପ୍ରମେୟ




