ରାଜ୍ୟ

Fire incident at MKCG: ଏମ୍‌କେସିଜିରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ଏସି, ରୋଗୀ ଭୟଭୀତ

ବ୍ରହ୍ମପୁର ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଆଜି ପୁଣି ଭୟାନକ ଅଗ୍ନିକାଣ୍ଡ ଘଟିଛି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ କୋଠାର ଦ୍ବିତୀୟ ମହଲାସ୍ଥିତ ଓଟି ନିକଟ ନିଶ୍ଚେତକ କକ୍ଷରେ ଆଜି ଅପରାହ୍‌ଣରେ ଏହି ଅଘଟଣ ହୋଇଛି।

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଆଜି ପୁଣି ଭୟାନକ ଅଗ୍ନିକାଣ୍ଡ ଘଟିଛି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ କୋଠାର ଦ୍ବିତୀୟ ମହଲାସ୍ଥିତ ଓଟି ନିକଟ ନିଶ୍ଚେତକ କକ୍ଷରେ ଆଜି ଅପରାହ୍‌ଣରେ ଏହି ଅଘଟଣ ହୋଇଛି। ଏସିରେ ଅଧିକ ଲୋଡ୍ ପଡ଼ିବାରୁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦାୟିତ୍ବରେ ଥିବା କର୍ମଚାରୀ ନିଆଁ ଦେଖିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। କର୍ମଚାରୀ ପହଞ୍ଚି ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ। ଏସିର ଭିତର ପାର୍ଶ୍ବ ଯନ୍ତ୍ରପାତି ନିଆଁରେ ତରଳି ତଳକୁ ଗଳିପଡ଼ିଛି। ଏମ୍‌କେସିଜି ବଡ଼ଡାକ୍ତରଖାନାରେ ବାରମ୍ବାର ନିଆଁ ଲାଗୁଛି। ବିଗତ ଦିନରେ ବିଭିନ୍ନ ବିଭାଗର ଓଟି ଓ ମେଡିସିନ ବିଭାଗ ସହ ନିକଟରେ ଟିବି ୱାର୍ଡରେ ରୋଗୀ ଥିବା ସମୟରେ ନିଆଁ ଲାଗିଥିଲା। ଏପରିକି କିଛିଦିନ ତଳେ ନର୍ସିଂ କଲେଜ ଭିତରେ ନିଆଁ ଜଳିଥିଲା। ତଥାପି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି। ପ୍ରତି ୧୫ରୁ ୨୦ ଦିନରେ ବିଭିନ୍ନ ସ୍ଥାନରେ ସର୍ଟ ସର୍କିଟ୍ ହେଉଛି। ଏସି ଓ ବିଭିନ୍ନ ଯନ୍ତ୍ରପାତିରେ ବିଦ୍ୟୁତ୍‌ ଲୋଡ୍ ଅଧିକ ହେବାରୁ ନିଆଁ ଧରୁଛି। ଦାୟିତ୍ବରେ ଥିବା ଜିଇଡି ବିଭାଗ କିନ୍ତୁ ନିଦାବିଷ୍ଣୁ। ତଳୁ ଉପର ଯାଏଁ ଅଧିକାରୀମା‌ନେ ନିଘୋଡ଼ ନିଦରେ ଶୋଇଥିବା ବେଳେ ଏମ୍‌କେସିଜିରେ ରୋଗୀଙ୍କ ଜୀବନ ବିପଦରେ।

ଜଳିଗଲା ଏସି, ରୋଗୀ ଭୟଭୀତ
ଚିଠି ଲେଖି ଚୁପ୍‌ ରହୁଛନ୍ତି ଅଧୀକ୍ଷକ
ଜିଇଡି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯାଉନି

ଏପ୍ରିଲ ୩ ତାରିଖରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏମ୍‌କେସିଜି ଆସି ଅଗ୍ନିଶମ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ସବୁ ଠିକ୍ ଥିବା ନେଇ ଜିଇଡି ଓ ଏମ୍‌କେସିଜି କର୍ତ୍ତୃପକ୍ଷ ତାଙ୍କୁ ଗୋଲାପି ଚିତ୍ର ଦେଖାଇବାକୁ ଚେଷ୍ଟା କରିଥିଲେ। ତଥାପି ସେ ବିଭିନ୍ନ ବିଭାଗର ରହିଥିବା ଦୁର୍ବଳ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବି ୪ ଥର ନିଆଁ ଲାଗିଲାଣି। ନା’ ଅଧୀକ୍ଷକ ନା’ ଜିଇଡି କର୍ତ୍ତୃପକ୍ଷ କେହି ଉତ୍ତରଦାୟିତ୍ବ ନେବାକୁ ରାଜି ନାହାନ୍ତି। ଏମ୍‌କେସିଜି ବ୍ୟାଙ୍କ ଖାତାରେ ଅଗ୍ନି ନିରାପତ୍ତା ପାଇଁ ଥିବା ଟଙ୍କାର ସୁଧ ବଢ଼ିବାରେ ଲାଗିଛି। କିନ୍ତୁ ଦୁର୍ବଳ ଭିତ୍ତିଭୂମି ସଜାଡ଼ୁ ନାହାନ୍ତି। ‌ଅଧୀକ୍ଷକ ଡା.ସୁଦୀପା ଦାଶଙ୍କୁ ପଚାରିଲେ ଅଜବ ଉତ୍ତର ମିଳୁଛି। ‘ନିଆଁ ଲାଗିଲେ ଚିଠି ଲେଖିବା ଛଡ଼ା ଆଉ କ’ଣ କରିପାରିବି? ଜିଇଡି ବିଭାଗକୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବ।’  ଆଜି ପର୍ଯ୍ୟନ୍ତ ଜିଇଡି ବିଭାଗର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହାରି ହାତ ଯାଉନାହିଁ। ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଅଘଟଣ ଆଶଙ୍କାରେ ରହୁଥିବା କହିଛନ୍ତି। ଏମ୍‌କେସିଜି କ’ଣ ରୋଗୀଙ୍କୁ ମରିବାକୁ ଡାକୁଛି କି ବୋଲି ପ୍ରଶ୍ନ ଉଠିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button