MP: ସାଂସଦଙ୍କ ଅସନ୍ତୋଷ, ଅଡ଼ୁଆରେ ସରକାର: ଚର୍ଚ୍ଚାରେ ତିନି ସାଂସଦଙ୍କ ଚିଠି, ବିକାଶମୂଳକ କାର୍ଯ୍ୟର ମନ୍ଥର ଗତି ନେଇ ଅସନ୍ତୋଷ
ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଧିମା ପଡ଼ିଯାଇଥିବା ନେଇ ବିଭିନ୍ନ ମହଲରୁ ଲଗାତାର ଅଭିଯୋଗ ଆସୁଛି। ଠିକ୍ ଏହି ସମୟରେ ଖୋଦ୍ ଶାସକ ଦଳର ତିନି ଜଣ ସାଂସଦଙ୍କ ଚିଠି ସରକାରଙ୍କୁ ଅକଳରେ ପକାଇଦେଇଛି।

ଭୁବନେଶ୍ବର: ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଧିମା ପଡ଼ିଯାଇଥିବା ନେଇ ବିଭିନ୍ନ ମହଲରୁ ଲଗାତାର ଅଭିଯୋଗ ଆସୁଛି। ଠିକ୍ ଏହି ସମୟରେ ଖୋଦ୍ ଶାସକ ଦଳର ତିନି ଜଣ ସାଂସଦଙ୍କ ଚିଠି ସରକାରଙ୍କୁ ଅକଳରେ ପକାଇଦେଇଛି। ନିଜ ନିଜ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟର ମନ୍ଥର ଗତିକୁ ନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଂସଦମାନଙ୍କ ଏହି ଚିଠି ଏବେ କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।
ପୂର୍ତ୍ତ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସାଂସଦ ଶ୍ରୀମତୀ ସିଂହଦେଓ ୬୮୦ କୋଟି ଟଙ୍କାର ସମ୍ବଲପୁର–ସୁବର୍ଣ୍ଣପୁର ରାସ୍ତା ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ରାସ୍ତା ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାମରେ ଆଖିଦୃଶିଆ ଅଗ୍ରଗତି ହେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପକୁ ଓବିସିସି କାର୍ଯ୍ୟକାରୀ କରୁଛି। କିନ୍ତୁ କାମକୁ ଠିକ୍ ଭାବେ ତଦାରଖ କରାଯାଉ ନଥିବାରୁ ବହୁ ବିଳମ୍ବ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓବିସିସି ବଦଳରେ ସୁବର୍ଣ୍ଣପୁର ଆରଆଣ୍ଡବି ଡିଭିଜନ୍କୁ ତଦାରଖ ଦାୟିତ୍ବ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଗତ ମେ’ ମାସରେ ସେ ଏହି ଚିଠି ଲେଖିଥିଲା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ନିକଟରେ ତାଙ୍କୁ ପ୍ରାପ୍ତି ସ୍ବୀକାରପତ୍ର ଦିଆଯାଇଛି। କିନ୍ତୁ ସାଂସଦଙ୍କ ପ୍ରସ୍ତାବ ଉପରେ କି ପଦକ୍ଷେପ ନିଆଯାଇଛି, ତାହା ଜଣାପଡ଼ିନି।
ନବରଙ୍ଗପୁର ସାଂସଦ ଶ୍ରୀ ମାଝୀ ନବରଙ୍ଗପୁର ବାଇପାସ୍ କାମର ବିଳମ୍ବକୁ ନେଇ ଅସନ୍ତୋଷ ଓଗାଳିଛନ୍ତି। ୨୦୨୪ ଡିସେମ୍ବରରେ ଏହି ପ୍ରକଳ୍ପ କାମ ଠିକା ସଂସ୍ଥାକୁ ଦିଆଯାଇଥିଲା। ୨୪ ମାସରେ କାମ ଶେଷ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଏହା ମଧ୍ୟରେ ୨୧ ମାସ ପରେ ବି କାମ ସରିଛି ମାତ୍ର ୧୦ ପ୍ରତିଶତ। ଅହେତୁକ ବିଳମ୍ବର କାରଣ ସମ୍ପର୍କରେ ତଦନ୍ତ କରି ଦାୟୀ ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତାଙ୍କ ନିର୍ବାଚନମଣ୍ଡଳୀର ଗେଟ୍ ବଜାର ଫ୍ଲାଏଓଭର୍ର ନିର୍ମାଣରେ ବିଳମ୍ବ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀର ମାନକୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଥିବା ସେ ଜଣାଇଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଚିଠିର ପ୍ରାପ୍ତି ସ୍ବୀକାର ୧୦ ଦିନ ତଳେ ଦିଆଯାଇଛି। କିନ୍ତୁ ସାଂସଦଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏଥିରେ କିଛି ଉଲ୍ଲେଖ କରାଯାଇ ନାହିଁ।
ସୌଜନ୍ୟ ସମ୍ବାଦ




