ରାଜ୍ୟ

Real estate market : ଦିଲ୍ଲୀ-ମୁମ୍ବାଇକୁ ଟପିଗଲା ଭୁବନେଶ୍ୱରରେ ଘର ଦର ବୃଦ୍ଧି, ୫ ବର୍ଷରେ ୬୩% ବଢ଼ିଲାଣି

ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୯/୯ : କିଛି ବର୍ଷ ତଳେ ଖଣ୍ଡଗିରି, ପଟିଆ ଭଳି ସ୍ଥାନ ଭୁବନେଶ୍ୱର ସହରର ଉପକଣ୍ଠ ଭାବେ ଗଣା ହେଉଥିଲା । ଏହି ଅଞ୍ଚଳରେ ଘର କିଣିବା ଶସ୍ତା ଥିଲା । ଏବେ କିନ୍ତୁ ଏହି ଅଞ୍ଚଳରେ ଫ୍ଲାଟ୍‌ରେ ଆଉ ହାତ ମାରି ହଉନି । ବର୍ଗଫୁଟ ପିଛା ଦର ୭ରୁ ୧୦ ହଜାର ଟଙ୍କା ଯାଏ ବଢ଼ିଗଲାଣି । କୋଭିଡ ପରଠୁ ଦେଶର ରିୟଲ ଇଷ୍ଟେଟ କ୍ଷେତ୍ରରେ ଏକ ଭିନ୍ନ ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି । କେବଳ ବଡ଼ ସହର ନୁହେଁ ଛୋଟ ସହର ଗୁଡିକରେ ମଧ୍ୟ ଘର ଦର ଆକାଶଛୁଆଁ ଭାବେ ବଢ଼ିଛି । ଏହି ତାଲିକାରେ ରହିଛି ଭୁବନେଶ୍ୱର ସମେତ ଅନ୍ୟ ୧୧ ସହର । ଏସବୁ ସହର ହେଉଛି ଏସବୁ ଅଣମେଟ୍ରୋ ବା ଟିୟର ୨ । ୨୦୨୧ ପରଠୁ ଏସବୁ ସ୍ଥାନରେ ଘର ମୂଲ୍ୟ ୬୩% ବଢ଼ିଗଲାଣି । ଏମିତିକି ଦର ବୃଦ୍ଧିରେ ୮ ପ୍ରମୁଖ ରିୟଲ୍‌ ଇଷ୍ଟେଟ ବଜାରକୁ ପଛରେ ପକାଇ ଦେଇଛି ଏସବୁ ସହର । ଭୁବନେଶ୍ୱରରେ ଘର ମୂଲ୍ୟ ବୃଦ୍ଧି ଦିଲ୍ଲୀ-ମୁମ୍ବାଇଠାରୁ ମଧ୍ୟ ଅଧିକ ରହିଛି । ଶିଳ୍ପସଂଘ ସିଆଇଆଇ ଓ ପ୍ରପର୍ଟି କନସଲଟାଣ୍ଟ ନାଇଟ୍‌ ଫ୍ରାଙ୍କ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି । ଅନ୍ୟ ପ୍ରମୁଖ ସହର ଗୁଡିକ ମଧ୍ୟରେ ଭୋପାଳ, ଚଣ୍ଡୀଗଡ ଟ୍ରାଇସିଟି, ଗୋଆ, ଇନ୍ଦୋର, ଜୟପୁର, କୋଚି, ଲକ୍ଷୌ, ନାଗପୁର, ବିଶାଖାପାଟଣା ଏବଂ ନାଗପୁର ରହିଛି । ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା ଏବଂ ଚାହିଦା ବୃଦ୍ଧି ସହ ଏସବୁ ସହରରେ ପ୍ରପର୍ଟି ଦର ବୃଦ୍ଧି ବଡ଼ ସହର ଗୁଡିକୁ ପଛରେ ପକାଇଥିବା ଏହି ରିପୋର୍ଟରେ କୁହାଯାଇଛି ।

୨୦୧୬ରୁ ୨୦୨୬ ମଧ୍ୟରେ ୧୧ ଛୋଟ ସହରରେ ଘର ମୂଲ୍ୟ ବାର୍ଷିକ ୮% ହାରରେ ବଢ଼ିଛି । ଯାହା ଶୀର୍ଷ ୮ ପ୍ରମୁଖ ସହରରେ ହାରାହାରି ୪% । ତେବେ ଗତ ୫ ବର୍ଷରେ ଦର ବୃଦ୍ଧିର ଏହି ବ୍ୟବଧାନ ୬୩% ବଢ଼ିଛି । ଯାହା ୮ ବଡ ସହରରେ ୪୨% । ୧୧ ସହରରେ ବର୍ଗଫୁଟ ପିଛା ହାରାହାରି ପ୍ରପର୍ଟି ମୂଲ୍ୟ ୪୫୦୦ ଟଙ୍କାରୁ ୧୩,୫୦୦ ଟଙ୍କା ଯାଏ ବଢ଼ିଗଲାଣି । ଭୁବନେଶ୍ୱର ବଜାର କଥା ବିଚାରକୁ ନେଲେ ବାସଗୃହ ବର୍ଗଫୁଟ ପିଛା ଦର ୬୫୦୦ ଟଙ୍କାରୁ ୮୫୦୦ ଟଙ୍କା ଛୁଇଁଲାଣି । କୋଏମ୍ବାଟୁର, ଇନ୍ଦୋର, ନାଗପୁର, ବିଶାଖାପାଟଣା ଏବଂ ଭୋପାଳ ଭଳି ସ୍ଥାନ ଗୁଡିକ ତୁଳନାରେ ଏଠାରେ ବର୍ଗଫୁଟ ପିଛା ଦର ଅଧିକ ରହିଛି । ରିୟଲ ଇଷ୍ଟେଟ ଶିଳ୍ପ ସୂଚନା ଅନୁସାରେ, ଘର ଦର ବୃଦ୍ଧିରେ ଭୁବନେଶ୍ୱର ବଜାର ଦେଶର ପୂର୍ବ ଭାଗର ଅନ୍ୟ ଟିୟର ୨ ସହର ଗୁଡିକୁ ପଛରେ ପକାଇ ଦେଇଛି । ଖଣ୍ଡଗିରି, ରସୁଲଗଡ ଏବଂ ପଟିଆ ଭଳି ସ୍ଥାନଗୁଡିକରେ ବର୍ଗଫୁଟ ପିଛା ଦର ୭ରୁ ୧୦ ହଜାର ଟଙ୍କା ଯାଏ ବଢ଼ିଗଲାଣି । ଗତ ୫ ବର୍ଷରେ ଏଣ୍ଟ୍ରିଲେଭଲ ପ୍ରପର୍ଟି ଗୁଡିକର ଦର ମଧ୍ୟ ୨ ଗୁଣ ହୋଇଛି । ସହରର ସମ୍ପ୍ରସାରଣ, ଅର୍ଥନୈତିକ ସୁଯୋଗ ବୃଦ୍ଧି ଯୋଗୁ ସହରରେ ପ୍ରପର୍ଟି ଦର ବଢ଼ୁଛି ।

ଓଡ଼ିଶାର ଅଭିବୃଦ୍ଧି ୨୦୨୫-୨୬ରେ ୭.୬% ବୃଦ୍ଧି ହୋଇଛି । ଭୁବନେଶ୍ୱର ଆଇଟି କ୍ଷେତ୍ରର ସମ୍ପ୍ରସାରଣ ସହ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଦୃଢ଼ତା ଦେଖାଇଛି । ଟିସିଏସ୍‌, ଇନଫୋସିସ୍‌, ୱିପ୍ରୋ କ୍ୟାପଜେମିନି ସହ ଅନ୍ୟ ପ୍ରମୁଖ କମ୍ପାନି ନିଜର ଉପସ୍ଥିତି ଭୁବନେଶ୍ୱରରେ ବଢ଼ାଇଛନ୍ତି । ଅନ୍ୟପଟେ ନରାଜରେ ୮୭୦ ଏକରରେ ସିଲିକନ ଭ୍ୟାଲି ସ୍ଥାପନ ଘୋଷଣା, ୪୩୨ କିମିର କ୍ୟାପିଟାଲ ରିଜିୟନ ରିଂରୋଡ, ସ୍ମାର୍ଟ ସିଟି ସମ୍ପ୍ରସାରଣ, ମେଟ୍ରୋ ପ୍ରସ୍ତାବ ୪୩୨ କିମିର କ୍ୟାପିଟାଲ ରିଜିୟନ ରିଂରୋଡ, ସ୍ମାର୍ଟ ସିଟି ସମ୍ପ୍ରସାରଣ, ମେଟ୍ରୋ ପ୍ରସ୍ତାବ ରିୟଲ ଇଷ୍ଟେଟ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (ବିସିବିପିଇଆର) ଦ୍ୱାରା ୨୦୪୭ ସୁଦ୍ଧା ରାଜ୍ୟରେ ୫୦୦ ବିଲିୟନ ଡଳାରର ଅର୍ଥନୈତିକ ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି । ଏହା ଦ୍ୱାରା ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ରକୁ ବଳ ମିଳିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button