ଜାତୀୟ

Cabinet Reshuffle : କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା, ୨୩ ଓ ୨୪ରେ ମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି

ନୂଆଦିଲ୍ଲୀ,୧୯/୦୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା  ସପ୍ତାହରେ ମନ୍ତ୍ରୀମାନଙ୍କ ସହ ସ୍ୱତନ୍ତ୍ର  ଚିନ୍ତନ ବୈଠକ କରିବେ । ଆସନ୍ତା  ୨୩ ଓ ୨୪ ତାରିଖ ଦୁଇଦିନ ଧରି  ଏହି ବୈଠକ ଚାଲିବ। ବୈଠକରେ  ସରକାରଙ୍କ କାର୍ଯ୍ୟକଳାପ, ନୀତି  ଓ ଯୋଜନାର କ୍ରିୟାନ୍ୱୟନ ଏବଂ ଭବିଷ୍ୟତରେ କେଉଁସବୁ ପ୍ରସଙ୍ଗକୁ  ପ୍ରାଥମିକତା ଦିଆଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା  କରାଯିବ । ଏହି ବୈଠକକୁ ଦୃଷ୍ଟିରେ  ରଖି ରାଜନୈତିକ ମହଲରେ କେନ୍ଦ୍ର  ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ  ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ସରକାରଙ୍କ ତରଫରୁ ଏହା ଉପରେ  କିଛି କୁହାଯାଇନାହିଁ ।

ରିପୋର୍ଟ ଅନୁସାରେ ବୈଠକରେ  କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟ ସହ ସରକାରଙ୍କ  କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯିବ । ବିଶେଷକରି ବିଭିନ୍ନ ଯୋଜନା ଓ  ନୀତିକୁ ତୃଣମୂଳ ସ୍ତରରେ ଲାଗୁ କରିବାର ଗତି, ସରକାରୀ ଯୋଜନାର  ପ୍ରଗତି, ମନ୍ତ୍ରଣାଳୟ ଭିତରେ ଉତ୍ତମ  ସମନ୍ୱୟ ଏବଂ ସାଧାରଣ ଲୋକଙ୍କ  ପାଖରେ ସରକାରୀ ସୁବିଧା ସୁଯୋଗ  ପହଞ୍ଚିବା ଭଳି ପ୍ରସଙ୍ଗରେ ଚର୍ଚ୍ଚା  ହେବାର ସମ୍ଭାବନା ରହିଛି । ସାଧାରଣ  କ୍ୟାବିନେଟ ବୈଠକ ଠାରୁ ଏହି  ବୈଠକ ଭିନ୍ନ ହେବ ।ବୈଠକରେ ମନ୍ତ୍ରୀମାନଙ୍କୁ ଭିନ୍ନ ଭିନ୍ନ ଗୋଷ୍ଠୀରେ ଭାଗ କରି  ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ କରାଯାଇପାରେ । ଏଭଳି  କେତେକ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ଯେଉଁମାନେ ଶାସନ  ବ୍ୟବସ୍ଥା, ସମ୍ବାଦ, ସୁଧାର ଏବଂ ସରକାରଙ୍କ କାର୍ଯ୍ୟକୁ ଆହୁରି  ପ୍ରଭାବୀ କରିବା ଭଳି ପ୍ରସଙ୍ଗରେ ଚର୍ଚ୍ଚା କରିବେ । ବୈଠକରେ କିଛି  ମନ୍ତ୍ରଣାଳୟ ପକ୍ଷରୁ ନିଜସ୍ୱ କାର୍ଯ୍ୟ ଓ ଉପଲବ୍ଧିକୁ ନେଇ ରିପୋର୍ଟ  ପ୍ରଦାନ କରାଯିବାର ସମ୍ଭାବନା ରହିଛି । ବର୍ତ୍ତମାନ କାର୍ଯ୍ୟକାରୀ  ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସ୍ଥିତି, ଏପର୍ଯ୍ୟନ୍ତ ହାସଲ  କରାଯାଇଥିବା ଫଳାଫଳ ଏବଂ ଆଗାମୀ ଦିନରେ ପ୍ରାଥମିକତା ପାଇବାକୁ ଥିବା ପ୍ରସଙ୍ଗ ଉପରେ ବିଶେଷ ଭାବେ ଚର୍ଚ୍ଚା କରାଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button