Cabinet Reshuffle : କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା, ୨୩ ଓ ୨୪ରେ ମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି

ନୂଆଦିଲ୍ଲୀ,୧୯/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ମନ୍ତ୍ରୀମାନଙ୍କ ସହ ସ୍ୱତନ୍ତ୍ର ଚିନ୍ତନ ବୈଠକ କରିବେ । ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ ଧରି ଏହି ବୈଠକ ଚାଲିବ। ବୈଠକରେ ସରକାରଙ୍କ କାର୍ଯ୍ୟକଳାପ, ନୀତି ଓ ଯୋଜନାର କ୍ରିୟାନ୍ୱୟନ ଏବଂ ଭବିଷ୍ୟତରେ କେଉଁସବୁ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା କରାଯିବ । ଏହି ବୈଠକକୁ ଦୃଷ୍ଟିରେ ରଖି ରାଜନୈତିକ ମହଲରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ସରକାରଙ୍କ ତରଫରୁ ଏହା ଉପରେ କିଛି କୁହାଯାଇନାହିଁ ।
ରିପୋର୍ଟ ଅନୁସାରେ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟ ସହ ସରକାରଙ୍କ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯିବ । ବିଶେଷକରି ବିଭିନ୍ନ ଯୋଜନା ଓ ନୀତିକୁ ତୃଣମୂଳ ସ୍ତରରେ ଲାଗୁ କରିବାର ଗତି, ସରକାରୀ ଯୋଜନାର ପ୍ରଗତି, ମନ୍ତ୍ରଣାଳୟ ଭିତରେ ଉତ୍ତମ ସମନ୍ୱୟ ଏବଂ ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ପହଞ୍ଚିବା ଭଳି ପ୍ରସଙ୍ଗରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ସାଧାରଣ କ୍ୟାବିନେଟ ବୈଠକ ଠାରୁ ଏହି ବୈଠକ ଭିନ୍ନ ହେବ ।ବୈଠକରେ ମନ୍ତ୍ରୀମାନଙ୍କୁ ଭିନ୍ନ ଭିନ୍ନ ଗୋଷ୍ଠୀରେ ଭାଗ କରି ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ କରାଯାଇପାରେ । ଏଭଳି କେତେକ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ଯେଉଁମାନେ ଶାସନ ବ୍ୟବସ୍ଥା, ସମ୍ବାଦ, ସୁଧାର ଏବଂ ସରକାରଙ୍କ କାର୍ଯ୍ୟକୁ ଆହୁରି ପ୍ରଭାବୀ କରିବା ଭଳି ପ୍ରସଙ୍ଗରେ ଚର୍ଚ୍ଚା କରିବେ । ବୈଠକରେ କିଛି ମନ୍ତ୍ରଣାଳୟ ପକ୍ଷରୁ ନିଜସ୍ୱ କାର୍ଯ୍ୟ ଓ ଉପଲବ୍ଧିକୁ ନେଇ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି । ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସ୍ଥିତି, ଏପର୍ଯ୍ୟନ୍ତ ହାସଲ କରାଯାଇଥିବା ଫଳାଫଳ ଏବଂ ଆଗାମୀ ଦିନରେ ପ୍ରାଥମିକତା ପାଇବାକୁ ଥିବା ପ୍ରସଙ୍ଗ ଉପରେ ବିଶେଷ ଭାବେ ଚର୍ଚ୍ଚା କରାଯିବ ।
ସୌଜନ୍ୟ ପ୍ରମେୟ




