Oil Company Compensation: ମହିଳା ସିଲିଣ୍ଡର ଉଠାଇ ପାରିବେନି କହି ଚାକିରି ଦେଇନଥିଲା, ୧୨ ଲକ୍ଷ କ୍ଷତିପୂରଣ ଦେବ ତୈଳ କମ୍ପାନି

ନୂଆଦିଲ୍ଲୀ ୧୯/୦୯: ହରିୟାଣାର ମହିଳା ସୁମିତ୍ରାଙ୍କୁ ଚାକିରି ନ ଦେବା ମାମଲାରେ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଇଣ୍ଡିଆନ ଅଏଲ କର୍ପୋରେସନ୍ (ଆଇଓସି) କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର କୋର୍ଟ କହିଲେ, କେବଳ ମହିଳା ବୋଲି ଚାକିରି ଦେବାକୁ ମନା କରିବା ନାରୀତ୍ୱର ଅପମାନ । ମାମଲା ୩୮ ବର୍ଷ ପୁରୁଣା । ଆଇଓସି ସୁମିତ୍ରାଙ୍କୁ ଚାକିରି ପାଇଁ ଚୟନ କରିଥିଲା । ପରେ କିନ୍ତୁ ମନା କରିଦେଲା ଏବଂ କାରଣ ଦର୍ଶାଇଲା ଯେ ମହିଳା ସିଲିଣ୍ଡର ଉଠାଇ ପାରିବେ ନାହିଁ । ସୁମିତ୍ରା ଏବେ ଅବସର ବୟସରେ ପହଞ୍ଚି ସାରିଛନ୍ତି । ସେଥିପାଇଁ ତାଙ୍କୁ ଚାକିରି ଦେବା ବଦଳରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲେ । ସୁମିତ୍ରା ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଅକ୍ଟୋବର ୨୦୨୫ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ।
ସୁମିତ୍ରା ହରିୟାଣାର ଗୁଢ଼ା ଗାଁର ବାସିନ୍ଦା । ୧୯୮୮ରେ ତାଙ୍କ ନାଁ ୪୯ ଜଣଙ୍କ ତାଲିକାରେ ଥିଲା, ଯାହାଙ୍କ ସୁପାରିଶ ଡେପ୍ୟୁଟି କମିଶନରଙ୍କ ଅଧ୍ୟକ୍ଷତାଯୁକ୍ତ ସମିତି ଆଇଓସିର ଏଲ୍ପିଜି ବଟଲିଙ୍ଗ ପ୍ଲାଣ୍ଟ ପାଇଁ କରିଥିଲା । ସୁମିତ୍ରା ଖଲାସୀ, ଚପରାସୀ କିମ୍ବା ରିଫିଲିଙ୍ଗ ହେଲ୍ପର ପଦ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ । ଅନ୍ୟମାନଙ୍କୁ ନିଯୁକ୍ତି ପତ୍ର ଦିଆଗଲା, କିନ୍ତୁ ତାଙ୍କୁ ମିଳିଲାନି । ସୁମିତ୍ରା ଏହା ବିରୋଧରେ ଟ୍ରାଏଲ କୋର୍ଟର ଦ୍ୱାରସ୍ଥ ହେଲେ । ଟ୍ରାୟଲ କୋର୍ଟ ସ୍ୱୀକାର କଲେ ଯେ ଉପରୋକ୍ତ ପଦରେ ନିଯୁକ୍ତି ଲାଗି ସୁମିତ୍ରା ଯୋଗ୍ୟ ଥିଲେ । ଜଣେ ସାକ୍ଷୀ ମଧ୍ୟ କୋର୍ଟରେ ସ୍ପଷ୍ଟ କଲେ ଯେ ସୁମିତ୍ରା ମହିଳା ହୋଇଥିବାରୁ ତାଙ୍କୁ ଚାକିରି ମିଳିଲାନି ।
ସୌଜନ୍ୟ ପ୍ରମେୟ




